ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାସିଆ ବାଉରୀ

ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ଖାଇବା ବେଳେ, ଶୋଇବା ବେଳେ ସବୁବେଳେ ଖାଲି ସେ ଦାସିଆ ପ୍ରଭୁ ଜଗନ୍ନାଥଙ୍କୁ ହିଁ ସ୍ମରଣ କରନ୍ତି । ଏକ ନୀତି ନିୟମର ପ୍ରଥା ଅଛି । ଓଡିଶାର ଲୋକମାନେ ପ୍ରଥମଥର ପୁରୀ ଯାଇ ଗୃହକୁ ଫେରିଲେ ‘ହବିଷାନ୍ନ’ ଭୋଜନ କରନ୍ତି । ଏକଦା ଦାସିଆ ବାଉରୀ ପ୍ରଥମ ଥର ପାଇଁ ପୁରୀ ଯାଇଥା’ନ୍ତି । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ । ପ୍ରଭୁଙ୍କ ଦର୍ଶନ ପାଇ ସେ ଦାସିଆ ବାଉରୀ ନିଜକୁ ମଧ୍ୟ ଭୁଲି ଗଲେ । ମନ୍ଦିରର ସବୁ ସ୍ଥାନ ଭ୍ରମଣ କଲେ । ଭୋଗରାଗ କଲେ, ନିଜର ତଥା ଅନ୍ୟମାନଙ୍କର ଶୁଭ ମନାସି ଦାସିଆ ଘରକୁ ଫେରିଲେ । ପ୍ରଥାନୁଯାୟୀ ଦାସିଆ ବାଉରୀର ସ୍ତ୍ରୀ ତାଙ୍କ  ସ୍ୱାମୀଙ୍କ ଲାଗି ଅନ୍ନ ଓ ଶାଗର ପାକ କରିଥିଲେ । ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମେଂଚାକ ଦେଖି ଦାସିଆ ଶ୍ରୀଜଗନ୍ନାଥଙ୍କ ଚକାନୟନ ଧ୍ୟାନରେ ମଗ୍ନ ହୋଇଗଲେ । ସେହି ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମଧ୍ୟରେ ସେ ଦେଖିଲେ ଯେମିତି ଜଗନ୍ନାଥ ମହାପ୍ରଭୁ ସେ ଶାଗ ପୂର୍ଣ୍ଣ ହାଣ୍ଡି ଉପରେ ବସିଛନ୍ତି । ହେଇ ମୋ ପ୍ରଭୁ ଆସିଛନ୍ତି? କହି ଦାସିଆ ତାଙ୍କ ଖାଇବା ସ୍ଥାନରୁ ଉଠି ଆନନ୍ଦରେ କରତାଳି ଦେଇ ପ୍ରଭୁଙ୍କ ମହିମା ଗାନକରି ନାଚିବାକୁ ଲାଗିଲେ । ଦାସିଆର ଏଭଳି ଢଙ୍ଗଢାଙ୍ଗ ଦେଖି ଲୋକେ ଦାସିଆକୁ ପାଗଳ ଭକ୍ତ ବୋଲି କହିଲେ । କିନ୍ତୁ ସେ ଦାସିଆର ଏ ସବୁରେ କୌଣସି ପ୍ରତିକ୍ରିୟା ହେଲା ନାହିଁ । ଯେ ପ୍ରକୃତ ଭକ୍ତ ସେ କେବେବି କାହାରି ନିନ୍ଦା ଆଉ ପ୍ରଶଂସାକୁ ମୋଟେ ଭୂକ୍ଷେପ କରେ ନାହିଁ । ଏପରିକି ମାନ ଅପମାନରେ ମଧ୍ୟ ଧ୍ୟାନ ଦିଏ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ