ତାପରେ ସେ ବ୍ରାହ୍ମଣ ଜଣକ ଗାଆଁକୁ ଫେରିଲେ । ସମସ୍ତଙ୍କୁ ସେ ଦାସିଆ ବାଉରୀର ଭକ୍ତି ଓ ଘଟିଥିବା ଘଟଣାକୁ କହିଲେ । ଲୋକେ ଦାସିଆ ବାଉରୀର ଜଗନ୍ନାଥଙ୍କ ପ୍ରତି ଏପ୍ରକାର ଦୃଢ ଭକ୍ତି ସମ୍ବନ୍ଧରେ ଅବଗତ ହେଲେ ।
ଆଉ ଏକ ଘଟଣା – ଦାସିଆ ନିଜ ଗ୍ରାମ ବାଲିଗାଁରୁ କିଛି ମିଠା ଆମ୍ବ ନେଇ ଶ୍ରୀକ୍ଷେତ୍ର ଗଲେ । ଉଦ୍ଧେଶ୍ୟ ମିଠା ଆମ୍ବ ମହାପ୍ରଭୁଙ୍କୁ ଖୁଆଇବେ । ପ୍ରଭୁ ଖାଇଲେ ସେ ଯେଉଁ ଆନନ୍ଦ ପାଇବେ ସେ ଆନନ୍ଦ ଅନ୍ୟ କାହାରି ଭାଗ୍ୟରେ ବି ନଥିବ । ପ୍ରଭୁଙ୍କୁ ଆମ୍ବ ସମର୍ପଣ କରିବ । ସେ ଲୋଭନୀୟ ଆମ୍ବଗୁଡିକୁ ଦେଖି ସେବକମାନେ ଦାସିଆକୁ ଘେରି ଗଲେ । ତାପରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ସେହି ସେବକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ପ୍ରତିଯୋଗିତା ଆରମ୍ଭ ହୋଇଗଲା । ସେ ଦାସିଆ ବାଉରୀ କିନ୍ତୁ ନଛୋଡ ବନ୍ଧା । ସେ ସେବାକାରୀମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଦେଖି ଦାସିଆ ସ୍ୱ-ହସ୍ତରେ ମହାପ୍ରଭୁଙ୍କୁ ମନେ ମନେ ଚିନ୍ତାକରି ସେ ଆମ୍ବଗୁଡିକୁ ନିଜ ହାତରେ ଟେକି ଦେଲେ । ସେତେବେଳେ ସେ ଦାସିଆ ବାଉରୀର ଚାରିପଟେ ତ ଜଗନ୍ନାଥଙ୍କର ସେବାକାରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଆମ୍ବଗୁଡିକ ଶୂନ୍ୟେ ଶୂନ୍ୟେ କୁଆଡେ ଉଭାଇ ଗଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ପଣ୍ଡାମାନେ ବି ସେ ଦାସିଆ ବାଉରୀର ଏଭଳି କୃତ୍ୟକୁ ଦେଖି କାଳେ ଯାଦୁ ବିଦ୍ୟା ଜାଣିଛି ବୋଲି ସନ୍ଦେହ କଲେ । ଏପରି ସନ୍ଦେହ କରି ମହାପ୍ରଭୁଙ୍କ ରତ୍ନସିଂହାସନ ନିକଟକୁ ଧାଇଁଲେ । ସେଠାରେ ଦେଖିଲେ ଦାସିଆ ବାଉରୀ ହାତରୁ ଶୂନ୍ୟ ହୋଇଯାଇଥିବା ମିଠା ଆମ୍ବଗୁଡିକର ଚୋପା ଆଉ ଟାକୁଆ ସବୁ ପଡିଛି ।
ତା’ପରେ ସେମାନଙ୍କର ଦାସିଆ ପ୍ରତି ଶ୍ରଦ୍ଧା ଜାତ ହେଲା । ସେମାନେ ପ୍ରଭୁଙ୍କ ଧଣ୍ଡା ନେଇ ଦାସିଆକୁ ଅର୍ପଣ କଲେ ଓ ଦାସିଆ ଭଳି ଶ୍ରେଷ୍ଠ ଭକ୍ତ ଯେ ବାଲିଗାଁରେ ବିରଳ । ଦାସିଆର ଭକ୍ତିଭାବ ଆଉ ଘଟିଥିବା ସମସ୍ତ ଘଟଣା ସମସ୍ତଙ୍କୁ କହି ଦାସିଆକୁ ଅତ୍ୟନ୍ତ ପ୍ରଶଂସା କଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।