ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାୟିତ୍ୱହୀନା

ସୁରେଖା ଚମକିପଡି ଅନାଇବାରୁ ସେ କହିଲା, “ସୁନ୍ଦରୀ, ତମକୁ ଦେଖି ଗନ୍ଧର୍ବତ୍ୱ ଭୁଲି ମଣିଷ ଭାବରେ ତମ ସହ ସଂସାର କରିବାକୁ ମୋର ଭାରି ମନ ହେଉଛି । ଚାଲ୍, ଏଥର ଆମେ ବିଭା ହେବା । କ’ଣ, ତମର ଏଥିରେ ସମ୍ମତି ଅଛି ତ?”

ସୁରେଖା ତ ସେ ଗନ୍ଧର୍ବକୁ ଦେଖି ଅତି ମାତ୍ରାରେ ମୁଗ୍ଧ ହୋଇ ଯାଇଥିଲା । ତଥାପି ମଧ୍ୟ ସେ ଟିକିଏ ଦୋଦୋପାଂଚ କରିବାରୁ ଗନ୍ଧର୍ବ ଆହୁରି ଥରେ ମିନତିଭରା କଣ୍ଠରେ ତା’ ଅନୁରୋଧ ଜଣାଇଲା । ସୁରେଖା ରାଜି ହୋଇଗଲା ।

ଗନ୍ଧର୍ବ ପରଦିନ ଆସିବ ବୋଲି କହି ସେଠାରୁ ଚାଲିଗଲା । ସଂନ୍ଧ୍ୟାବେଳେ ସୁରେଖା ନିଜ ଆନନ୍ଦ ଆଉ ଚାପି ରଖି ନପାରି ସୁନୀତିକୁ ସେ ସବୁ କଥା କହିଲା । ତା’ର ସବୁକଥା ଶୁଣି ସୁନୀତି ଗମ୍ଭୀର ଭାବରେ କହିଲା, “ଦେଖ ସୁରେଖା! ମନେ ହୁଏ ସେ ଗନ୍ଧର୍ବ ଅତ୍ୟନ୍ତ ଚଂଚଳମତି । ସେ ମୋତେ ବି ବିଭା ହେବାକୁ ଭାରି ମନ କରୁଥିଲା । ତୋତେ ଦେଖି ସେ ପୁଣି ତୋତେ ମଧ୍ୟ ବିଭା ହେବାକୁ ମନ କଲାଣି । କାଲିକି ହୁଏତ ସେ ପୁଣି ଆଉ କାହାକୁ ଦେଖି ତାକୁ ମଧ୍ୟ ବିଭା ହେବାକୁ ପ୍ରସ୍ତାବ ଦେବ । ତେଣୁ ତୁ ଭାବିଚିନ୍ତି ସବୁ କାମ କର ।”

“ନା, ଅପା । ସେ ମୋତେ ଅତ୍ୟନ୍ତ ନିବିଡ ଭାବରେ ପ୍ରେମ କରୁଛି । ଏଥିରେ ତ ମୋର କୌଣସି ସନ୍ଦେହ ନାହିଁ । ଜଣେ ଗନ୍ଧର୍ବ ଯେତେବେଳେ ବିଭା ହେବାକୁ ପ୍ରସ୍ତାବ ଦେଉଛି, ମଣିଷ କନ୍ୟା ହୋଇ ମୁଁ ତାକୁ କିପରି ବା ପ୍ରତ୍ୟାଖ୍ୟାନ କରିବି?”

ସୁରେଖା ଯାଇ ବାପାଙ୍କୁ ତା’ ମନକଥା କହିଲା । ଉଦାର ପ୍ରକୃତିର ରାଜା ଏଥିରେ ମୋଟେ ଆପତ୍ତି କଲେ ନାହିଁ । ଗନ୍ଧର୍ବ ଗୋପନରେ ବିଭା ହୋଇ ସୁରେଖାକୁ କୁଆଡେ ନେଇ ଯିବାକୁ ପ୍ରସ୍ତାବ ଦେଲା । କିନ୍ତୁ ତା’ର ଏଭଳି ପ୍ରସ୍ତାବରେ ସୁରେଖା ବା ରାଜା ଆଦୌ ସମ୍ମତ ହେଲେ ନାହିଁ । ଶେଷରେ ଖୁବ୍ ଧୁମ୍ଧାମରେ ସେମାନଙ୍କର ବିବାହ ହେଲା । ରାଜା ଗୋଟିଏ ପ୍ରାସାଦ ଛାଡି ଦେଲେ । ସେଥିରେ ତାଙ୍କ ଝିଅ ଜୁଆଁଇ ରହିଲେ ।

ଏହାର କିଛିଦିନ ପରେ ବଡ ରାଜକନ୍ୟା ସୁନୀତିର ବିବାହ ଜଣେ ସାମନ୍ତ ରାଜପୁତ୍ର ସହ ହୋଇଗଲା ।

କିନ୍ତୁ ଦୁଇ ତିନିମାସ ପରେ ଏକ ସମସ୍ୟା ଦେଖାଦେଲା । ଦିନେ ସେ ଗନ୍ଧର୍ବ ଜାମାତା କୁଆଡେ ଗଲା ଯେ ସେ ଆଉ ଫେରିଲା ନାହିଁ! ସୁରେଖା ପ୍ରଥମେ ପ୍ରଥମେ କହିଲା କି ସେ ଦିନେନା ଦିନେ ନିଶ୍ଚେ ଫେରି ଆସିବ । କିନ୍ତୁ ମାସଟିଏ ବିତିଯିବା ପରେ ବି ଯେତେବେଳେ ସେ ଆଉ ଫେରିଲା ନାହିଁ, ସେତେବେଳେ ଯାଇ ସୁରେଖା ବହୁତ କାନ୍ଦିଲା । ଝିଅର ଏପରି କାନ୍ଦିବା ଦେଖି ରାଜାଙ୍କର ବି ମନ ବହୁତ ଖରାପ ହେଲା । କିନ୍ତୁ ସେ ବା ଏଥିରେ କ’ଣ କରିବେ? ଗନ୍ଧର୍ବମାନେ ତ ଆଉ ସହର ନଗରରେ ରହନ୍ତି ନାହିଁ ଯେ ଲୋକ ପଠାଇ ରାଜା ତାଙ୍କୁ ଖୋଜି ଆଣିବେ ।

ଠିକ୍ ସେତିକିବେଳେ ସୁନୀତି ଜଣେ ଋଷିଙ୍କ ସନ୍ଧାନ ପାଇଲା । ସେ ଦିନେ ତା’ ସାନ ଭଉଣୀ ସୁରେଖାକୁ ଧରି ରଥରେ ସେ ଋଷିଙ୍କ ଆଶ୍ରମକୁ ଗଲା । ରଥ ଦୂରରେ ରଖି ସେ ଦୁଇ ଭଉଣୀ ଚାଲି ଚାଲି ଯାଇ ଋଷିଙ୍କୁ ଭେଟିଲେ । ସୁନୀତି ସବୁ କଥା ଗପିଲା ।

ଋଷି ସବୁ ଶୁଣି ସୁରେଖାକୁ ଗୋଟିଏ ମନ୍ତ୍ର ଶିଖାଇ ଦେଲେ । ସୁରେଖା ଘରକୁ ଫେରି ସାତଦିନ ସେ ମନ୍ତ୍ର ଜପିଲେ ତା’ ଗନ୍ଧର୍ବ ସ୍ୱାମୀ ଫେରି ଆସିବ ଏବଂ ତେଣିକି ସେ ଆଉ ସୁରେଖାକୁ ଛାଡି କୁଆଡେ ବି ଯିବ ନାହିଁ ବୋଲି ସେ କହିଲେ ।

ଦୁଇ ଭଉଣୀ ଋଷିଙ୍କଠାରୁ ବିଦାୟ ନେଇ ଫେରିବା ବେଳକୁ ଋଷି ସୁନୀତିକୁ ଅନାଇ କହିଲେ, “ଝିଅ! ତୁ ତ ବଡ ଦାୟିତ୍ୱହୀନା!” ଏଭଳି କଥା ଶୁଣି ସୁନୀତି ମୁଣ୍ଡ ତଳକୁ କରି ଚୁପ୍ ରହିଲା ।

ସତକୁ ସତ ସାତଦିନ ପରେ ସେ ଗନ୍ଧର୍ବ ଫେରି ଆସିଲା ଓ ତା’ପରେ ସେ ଆଉ କୁଆଡେ ମଧ୍ୟ ଗଲା ନାହିଁ ।

ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ତୀବ୍ର କଣ୍ଠରେ ପ୍ରଶ୍ନ କଲା, “ରାଜା! ମୋର ଏହି କାହାଣୀରେ ଗୋଟିଏ ସନ୍ଦେହ ରହିଛି । ସୁନୀତିହିଁ ସୁରେଖାକୁ ସବୁବେଳେ ସତ୍ ଉପଦେଶ ଦେଇଛି । ସୁନୀତିହିଁ ସୁରେଖାକୁ ସେ ଋଷିଙ୍କ ପାଖକୁ ନେଇଗଲା । ତଥାପି ବି ସେ ଋଷି ତାକୁ ଦାୟିତ୍ୱହୀନା ବୋଲି କହିବାର କାରଣ କ’ଣ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତୁମେ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ରାଜା ବିକ୍ରମାର୍କ ସଙ୍ଗେସଙ୍ଗେ ଉତ୍ତର ଦେଲେ, “ଋଷି ସୁନୀତିକୁ ଦାୟିତ୍ୱହୀନା ବୋଲି କହିଲେ, ସ୍ୱାର୍ଥପର ବା ଖଳ ପ୍ରକୃତି ବୋଲି କହି ନାହାଁନ୍ତି । ଦାୟିତ୍ୱହୀନା କହିବାର କାରଣ, ଗନ୍ଧର୍ବ ଅତ୍ୟନ୍ତ ଚଂଚଳମତି ଏବଂ ସୁରେଖା ପିଲାଳିଆ ସ୍ୱଭାବର ଝିଅ ବୋଲି ଜାଣି ମଧ୍ୟ ସୁନୀତି ସେ ଦୁହିଁଙ୍କ ଭିତରେ ଦେଖାସାକ୍ଷାତ୍ ହେବାର ବାଟ ଫିଟାଇ ଦେଲା । ଋଷି ସିନା ମନ୍ତ୍ର ବଳରେ ଗନ୍ଧର୍ବକୁ ପୁଣି ସୁରେଖାର ବଶକୁ ଆଣିଲେ, କିନ୍ତୁ ନିଜ ସ୍ୱଭାବ ଅନୁସାରେ ଗନ୍ଧର୍ବ କ’ଣ କରିଥାନ୍ତା? ସେ ସୁରେଖାକୁ ଛାଡି ଆଉ କୌଣସି ସୁନ୍ଦରୀ କନ୍ୟାକୁ ବାହା ହେବାକୁ ବସିଥାନ୍ତା । ଗନ୍ଧର୍ବର ସ୍ୱଭାବ ସମ୍ପର୍କରେ ସୁନୀତି ନିଜେ ସନ୍ଦିହାନ ଥିବା ସତ୍ତ୍ୱେ ସୁରେଖା ପାଖକୁ ତାକୁ ପଠାଇବା ବିବେକୀ କାର୍ଯ୍ୟ ହୋଇ ନାହିଁ । ତେବେ, ଏତକ ଦାୟିତ୍ୱହୀନତାକୁ ଛାଡିଦେଲେ, ସୁନୀତି ଯେ ସୁରେଖାକୁ ଖୁବ୍ ସ୍ନେହ କରୁଥିଲା, ସେଥିରେ କୌଣସି ସନ୍ଦେହ ନାହିଁ ।”

ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ସେହି ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୁନରାୟ ସେ ପ୍ରାଚୀନ ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ