ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦିଗ୍ଭ୍ରାନ୍ତ ପଥିକ

ରାଜା ଶୁଭଙ୍କର ବଣ ଭିତରକୁ ଶିକାର ପାଇଁ ଯାଇଥାନ୍ତି । ଦୁଇପହର ହୋଇଗଲା । ପରିଚାରକମାନେ ବଣ ଭିତରେ ରାଜାଙ୍କ ପାଇଁ ତମ୍ବୁ ପକାଇଲେ । ରାଜା ଝରଣାରେ ସ୍ନାନ କରି ଗଛତଳେ ବସି ମନ୍ତ୍ରୀଙ୍କ ସହ ଗପସପ ହେଉଥାନ୍ତି । ପରିଚାରକମାନେ ଖାଦ୍ୟଦ୍ରବ୍ୟ ପରିବେଷଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି ।

                ରାଜା ମନ୍ତ୍ରୀଙ୍କ ସହ ଗପସପ ହେଉଛନ୍ତି, ହଠାତ୍ ଜଣେ ଲୋକ ଆସି ତାଙ୍କୁ ଅଭିବାଦନ କରି କହିଲା, “ମହାଭାଗ! ମୁଁ ପଡୋଶୀ ରାଜ୍ୟର ବାସିନ୍ଦା । ଆପଣଙ୍କ ରାଜ୍ୟରୁ ଫେରିବା ବାଟରେ ପଥବଣା ହୋଇଗଲି । ବର୍ତ୍ତମାନ ଅବଶ୍ୟ ବାଟ ବୁଝିଗଲିଣି, କିନ୍ତୁ ବଡ କ୍ଳାନ୍ତ ମୋତେ ସନ୍ତୋଷ ମିଳୁ ।”

                ରାଜା ଗୋଟିଏ ମୁଦ୍ରା ବାହାର କରି ସେ ଲୋକଟିକୁ ବଢାଇଦେଲେ । ଲୋକଟି ଇତସ୍ତତଃ କରି ତାହା ଗ୍ରହଣ କଲା । କିନ୍ତୁ ଆଉ କିଛି କହିବାକୁ ଉଦ୍ୟତ ହେଉଥିଲା ବେଳେ ରାଜା ତାକୁ ସେଠାରୁ ଚାଲିଯିବାକୁ ଇଙ୍ଗିତ ଦେଲେ ।

                ଲୋକଟି ଚାଲିଗଲା । କିନ୍ତୁ କିଛି ସମୟ ପରେ ସେ ଲେଉଟି ଆସି କହିଲା, “ମହାଭାଗ! ଏ ମୁଦ୍ରାଟି ନକଲି ।”

                “ନକଲି ହେଉ, ଅସଲି ହେଉ, ମୋଠି ଆଉ ମୁଦ୍ରା ନାହିଁ । ଯାଅ ।” ଏହା କହି ରାଜା ଅଧୈର୍ଯ୍ୟ ହୋଇ ହାତ ଦେଖାଇ ତାକୁ ଚାଲିଯିବାକୁ ନିର୍ଦ୍ଧେଶ ଦେଲେ । ଲୋକଟି ଚାଲିଗଲା ।

                କିନ୍ତୁ ଅଳ୍ପ ସମୟ ପରେ ସେ ଫେରି ଆସି ଚଟାପଟ ମୁଦ୍ରାଟି ରାଜାଙ୍କ ଆଗରେ ଥୋଇଦେଇ କହିଲା, “ଆଜ୍ଞା, ମୋତେ ଏ ଭାରରୁ ନିଷ୍କୃତି ଦିଅନ୍ତୁ ।” ଏହା କହି ସେ ସେଠାରୁ ଯିବାକୁ ପ୍ରସ୍ତୁତ ହେଲାବେଳେ ରାଜା ତାକୁ କହିଲେ, “କେଡେ ଅବିବେକୀ ମଣିଷ! ମୋତେ ତିନିଥର ବିରକ୍ତ କଲାଣି!”

                “ମୁଁ କିନ୍ତୁ ମାତ୍ର ଦୁଇଥର ବିରକ୍ତ କରିବାକୁ ଚାହୁଁଥିଲି । ଥରେ ମୋ ନିଜ ପାଇଁ, ଆଉ ଥରେ ରାଜା ଓ ରାଜ୍ୟ ପାଇଁ ।” ଲୋକଟି ଏହି ମନ୍ତବ୍ୟ ଦେଇ ସେଠାରୁ ଚାଲିଗଲା ।

                ମନ୍ତ୍ରୀ ହଠାତ୍ କହିଲେ, “ମଣିମା, ଲୋକଟି ଅବିବେକୀ ନୁହେଁ । ତା’ର କିଛି ବିଶେଷ ବକ୍ତବ୍ୟ ଥିବା ଭଳି ମନେ ହୁଏ ।” ରାଜାଙ୍କ ଅନୁମତି ନେଇ ମନ୍ତ୍ରୀ ଲୋକଟିକୁ ଡକାଇ ପଠାଇଲେ ଓ ତାକୁ ପଚାରିଲେ, “ତମର ସେଭଳି ମନ୍ତବ୍ୟର ଅର୍ଥ କ’ଣ?”

                ଲୋକଟି କହିଲା, “ମହାଶୟ! ପ୍ରଥମ ଥର ମୁଁ ମୋ ନିଜ ସନ୍ତୋଷ ଚାହୁଁଥିଲି, ଅର୍ଥାତ୍ ଖାଦ୍ୟ ଓ ବିଶ୍ରାମ ଲୋଡୁଥିଲି । ବଣ ଭିତରେ ମୁଦ୍ରାଟିଏ ନେଇ ମୁଁ କ’ଣ କରିବି? ଦ୍ୱିତୀୟ ଥର ମୁଁ ଆପଣଙ୍କ ରାଜ୍ୟରେ ଯେ ନକଲି ଟଙ୍କା ପ୍ରଚଳନ ହେଉଛି, ଏହା ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲି – ଆପଣଙ୍କର ଓ ରାଜ୍ୟର ହିତ ଦୃଷ୍ଟିରୁ ।”

                ମନ୍ତ୍ରୀ ପଚାରିଲେ “ନକଲି ମୁଦ୍ରାଟି ରାଜାଙ୍କୁ ଫେରାଇ ଦେଇ ଲାଭ କ’ଣ ହେଲା? ରାଜା ତାକୁ ନେଇ କ’ଣ କରିବେ?”

                ଲୋକଟି କହିଲା “ମହାଶୟ! ମୁଁ ତାକୁ କାହାକୁ ଦେଲେ ପାପ କରିବି । ନିଜେ ରଖିଲେ ତା’ ଉପରେ ଆଖି ପଡିବା ମାତ୍ରେ ମନେ ହେବ, ରାଜା ମୋ କଥା ନ ବୁଝି କେଡେ ଭୁଲ୍ କଲେ! ସେକଥା ଅନ୍ୟମାନଙ୍କୁ କହିବାକୁ ଲୋଭ ହେବ । ତେଣୁ ତାହା ଫେରାଇ ଦେଇ ଭାରମୁକ୍ତ ହେଲି ।”

                ରାଜା ଖୁସି ହୋଇ ସଙ୍ଗେ ସଙ୍ଗେ ତାକୁ ନିଜ ମୁକ୍ତା ହାର ପୁରସ୍କାର ଦେଲେ ଓ ତା’ର ଭୋଜନର ବ୍ୟବସ୍ଥା କରିଦେଲେ ଓ କହିଲେ, “ତମେ ଦିଗ୍ଭ୍ରାନ୍ତ ହୋଇ ମୋତେ ଦିଗ୍ଦର୍ଶନ ଦେଲ । ବାସ୍ତବିକ୍ ମୁଁ କେଡେ ଭୁଲ୍ କରୁଥିଲି ଓ ତୁମକୁ ମଧ୍ୟ ଭୁଲ୍ ବୁଝୁଥିଲି!”


ଗପ ସାରଣୀ

ତାଲିକାଭୁକ୍ତ ଗପ