ରତନପୁର ଗ୍ରାମର ଜଣେ ସାଧାରଣ କୃଷକଙ୍କର ପୁତ୍ର-ଶ୍ରୀମୟ । ତାଙ୍କର ଚେହେରା ବଳିଷ୍ଠ ଓ ସେ ଦେଖିବାକୁ ବେଶ୍ ଆକର୍ଷଣୀୟ । କିନ୍ତୁ ସେ ତା’ପିତାଙ୍କୁ କୃଷିକାର୍ଯ୍ୟରେ ଆଦୌ ସହଯୋଗ କରନ୍ତି ନାହିଁ । ସର୍ବଦା ଦିବାସ୍ୱପ୍ନରେ, କଳ୍ପନା-ବିଳାସରେ ବୁଡିରହିଥାନ୍ତି ଯେ କିପରି ସେ ରାଜକୁମାରୀଙ୍କୁ ବିବାହ କରିବେ ଓ ନିଜେ ରାଜା ହେବେ । ତାଙ୍କର ଏପରି ଆଚରଣ ଓ ଖିଆଲକୁ ତାଙ୍କ ପିତା ଆଦୌ ପସନ୍ଦ କରନ୍ତି ନାହିଁ । ଶେଷରେ ଦିନେ ବାଧ୍ୟ ହୋଇ ପିତା ତାଙ୍କ ପୁତ୍ରକୁ ଘରୁ ବାହାର କରିଦେଲେ ।
ଶ୍ରୀମୟ କିନ୍ତୁ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ମଣିଲେ । ତାଙ୍କ ଗ୍ରାମର ସୁମନ୍ତ ରାଜାଙ୍କର ସୈନ୍ୟ ବିଭାଗରେ ଚାକିରୀ କରନ୍ତି । ଧୈର୍ଯ୍ୟ ଓ ସାହସ ପାଇଁ ସେ ମଧ୍ୟ ରାଜାଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ତାଙ୍କର କନ୍ୟା ମଲ୍ଲିକା ରାଜକୁମାରୀ ପ୍ରିୟମ୍ବଦାଙ୍କର ପ୍ରଧାନ ପରିଚାଳିକା ଅଟେ । ତେଣୁ ଶ୍ରୀମୟ ଘରୁ ବାହାରି ଯାଇ ରାଜଧାନୀରେ ସୁମନ୍ତ ଘରେ ଯାଇ ପହଁଚିଲେ ।
ହୃଷ୍ଟପୁଷ୍ଟ ଓ ସୁନ୍ଦର ଯୁବକ ଶ୍ରୀମୟଙ୍କୁ ଦେଖି ସୁମନ୍ତ ବେଶ୍ ଆନନ୍ଦିତ ହେଲେ । ଏପରି ଯୁବକକୁ ଖୁବ୍ ସହଜରେ ରାଜ-ଦରବାରରେ ଚାକିରୀ ମିଳିଯିବ । ତେଣୁ ସେ ମନରେ ଭାବିଲେ ପ୍ରଥମେ, ଏହା ପାଇଁ କର୍ମସଂସ୍ଥାନ କରିଦେବି ଓ ତା’ପରେ ମୋର କନ୍ୟାକୁ ତା ସହିତ ବିବାହ କରାଇବି । ଯାହାଦ୍ୱାରାକି ଘରଜାମାତା ହୋଇ ସେ ମୋ ସହିତ ରହିବ ।
ନିଜର ଏହି ବିଚାର ସେ ଶ୍ରୀମୟଙ୍କୁ ଜଣେଇଲେ । ରାଜଦରବାରରେ ଚାକିରୀ ମିଳିବା ବିଷୟ ନେଇ ସେ ଆନନ୍ଦିତ ହେଲେ ସତ, ମାତ୍ର ମଲ୍ଲିକାକୁ ବିବାହ କରିବା ପ୍ରସ୍ତାବ ତାଙ୍କ ମନକୁ ଆସିଲା ନାହିଁ । କିନ୍ତୁ ସେ ନିଜର ମନୋଭାବ ଗୋପନ ରଖିଲେ ଓ ସ୍ଥିର କଲେ ପ୍ରଥମେ ଚାକିରୀ ହାତକୁ ଆସିଯାଉ, ପରେ ଯାହା କରିବି । ତେଣୁ ସେ ସୁମନ୍ତଙ୍କ କଥାରେ ରାଜିହେଲେ ।