ରାଜାଙ୍କର ଡାକରା ପାଉ ପାଉ ଶ୍ରୀମୟ ଧରିନେଲେ ଯେ, ସମ୍ଭବତଃ ରାଜାଙ୍କୁ ତାଙ୍କର ପତ୍ର ସମ୍ବନ୍ଧୀୟ ବ୍ୟାପାରଟି ମାଲୁମ ହୋଇଯାଇଛି । ତାଙ୍କୁ ମୃତ୍ୟୁଦଣ୍ଡ ନ ଦେଇ ସେ ଛାଡିବେ ନାହିଁ । ସୁତରାଂ ଡରରେ ଥରି ଥରି, ସେ ସିପାହୀଙ୍କ ସାଥିରେ ଗଲେ ।
ଶ୍ରୀମୟଙ୍କୁ ଦେଖୁ ଦେଖୁ ରାଜା ଗର୍ଜି ଉଠି କହିଲେ, “ଆରେ ମୂଢ, ତୁ ରାତ୍ରିର ଘଂଟି ବଜାଇଥିଲୁ?”
ରାଜାଙ୍କ ପ୍ରଶ୍ନରେ ଶ୍ରୀମୟଙ୍କ ପାଟିରୁ ଆଉ କିଛି ବି କଥା ବାହାରୁ ନ ଥାଏ । ସେ ଥର ଥର ହୋଇ ହଁ ଅର୍ଥରେ ମୁଣ୍ଡ ହଲେଇଲେ ।
ତାଙ୍କର ଏପରି ସ୍ଥିତି ଦେଖି ରାଜାଙ୍କ ମନରେ ଭାରି ଦୟା ଆସିଲା । ସେ ତାକୁ ଧୀର ସ୍ୱରରେ ପ୍ରଶ୍ନ କଲେ, “ତୁମେ ଏଠାରେ କେବେ ଠାରୁ କାମ କରୁଛ?” ତହୁଁ ଶ୍ରୀମୟ କହିଲା “ମହାରାଜ, ଏହି ମାସକୁ ମିଶେଇ ତିନିମାସ ହେଲା ।” ଶ୍ରୀମୟ କମ୍ପିତ ସ୍ୱରରେ ଉତ୍ତର ଦେଲେ । ରାଜା ତାଙ୍କୁ ନଖରୁ ଶିଖ ଯାଏଁ ନିରେଖି ଚାହିଁଲେ । ତା’ପରେ ରାଜା କହିଲେ, “ତୁମ ପରି ହୃଷ୍ଟପୁଷ୍ଟ, ବଳିଷ୍ଠ ଯୁବକ ସୈନ୍ୟବାହିନୀରେ ଯୋଗଦେବା କଥା । କିନ୍ତୁ ତୁମକୁ ଏହି ଘଂଟି ବଜାଇବା କାମରେ କିଏ ସେ ନିଯୁକ୍ତି ଦେଇଛି । ଆଉ ଏକ ସପ୍ତାହ ସାବଧାନତାର ସହିତ ଏହି ଦାୟିତ୍ୱ ପାଳନ କରୁଥାଅ । ମୁଁ ସେନାଧିପତିଙ୍କୁ କହି ସେନାବାହିନୀରେ ତୁମକୁ ଭର୍ତ୍ତି କରିଦେବି ।” ହସି ହସି ରାଜା ଏତକ କହି ସେଠାରୁ ଚାଲିଗଲେ ।
କିନ୍ତୁ ଶ୍ରୀମୟଙ୍କ ମନରୁ ସେତେବେଳଯାଏଁ ଭୟ ଯାଇ ନ ଥାଏ । ପ୍ରାଣ ବଂଚିଯିବାରୁ ସେ ଶାନ୍ତିରେ ନିଶ୍ୱାସ ନେଲେ । ପରକ୍ଷଣରେ ପୁଣି ତାଙ୍କ ମନକୁ ଏକ ଚିନ୍ତା ମାଡି ଆସିଲା ଯେ, ରାଜାଙ୍କୁ ଯଦି ସେ ପତ୍ର କଥା ଜଣା ପଡିଯିବ, ତେବେ ସେ କଠୋର ଦଣ୍ଡ ନ ଦେଇ କଣ ଛାଡିଦେବ ।
ଚିନ୍ତାରେ ମୁଣ୍ଡ ତଳକୁ କରି ମୁଖ୍ୟଦ୍ୱାର ଦେଇ ସେ ଚାଲିଆସୁଥିବା ସମୟରେ ମଲ୍ଲିକା ତାଙ୍କ ସମ୍ମୁଖକୁ ଆସି କହିଲା, “ହେ ମୋର ପ୍ରିୟ! ମୁଁ ଭଲଭାବେ ଜାଣେ ତୁମେ ନିଜଗ୍ରାମ ଛାଡି, କେବଳ ମୋ ପାଇଁ ହିଁ ଏଠାକୁ ଆସିଛ । ତେବେ ମନକଥା ମତେ ଜଣାଇବା ପାଇଁ ତୁମକୁ କଣ ଏହି ଫୁଲ ଚାଙ୍ଗୁଡି ମିଳିଲା? ପିତାଶ୍ରୀ ଅଳ୍ପଦିନ ମଧ୍ୟରେ ଆମର ବିବାହର ଆୟୋଜନ କରୁଛନ୍ତି । ହସି ହସି ଏତକ କହିଦେଇ ମଲ୍ଲିକା ପୁଣି ଅନ୍ତଃପୁରକୁ ଚାଲିଗଲା ।”
ମଲ୍ଲିକାର କଥା ଶୁଣି ଶ୍ରୀମୟ ମୁଣ୍ଡରୁ ପାହାଡ ଓଜନର ବୋଝ ଓହ୍ଲେଇ ଯିବା ପରି ମନେହେଲା । ସେ ସ୍ଥିର ମନରେ ନିଜର ବୋକାମୀ କଥା ଚିନ୍ତା କଲେ । ବୁଦ୍ଧିହୀନ ଭାବରେ ସେ ଯେଉଁ ଭୁଲ୍ କରିଥିଲେ, ତାରି ଫଳ ସ୍ୱରୂପ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ ହେବାକୁ ପଡିଥାଆନ୍ତା । ଅଳ୍ପକେ ସେ ବର୍ତ୍ତୀଗଲେ । ପ୍ରତ୍ୟେକ ମଣିଷ ନିଜର ସୀମା ଭିତରେ ରହି ଆଶା ଓ କଳ୍ପନା କରିବା ଦରକାର । ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି-ଅନୁକୂଳ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ । କେବଳ ଦିବାସ୍ୱପ୍ନରେ ବୁଡି ରହି ଆକାଶ-କୁସୁମ ତୋଳିବାର ପ୍ରୟାସ ଫଳହୀନ ହୁଏ । ମଲ୍ଲିକା ତାଙ୍କର ରକ୍ଷା ଠିକ୍ ସମୟରେ କରି ନ ଥିଲେ, ମାଟିରେ ଠିଆହୋଇ ଆକାଶକୁ ଛୁଇଁବାର ସ୍ୱପ୍ନ ଶ୍ରୀମୟଙ୍କ ଜୀବନକୁ ବରବାଦ କରିଦେଇଥାନ୍ତା । ସେହି ମୁହୂର୍ତ୍ତରେ ସେ ରାଜକୁମାରୀଙ୍କ କଥା ଭୁଲିଯାଇ ମଲ୍ଲିକାକୁ ନିଜର ଯୋଗ୍ୟା ପତ୍ନୀ ରୂପେ ଗ୍ରହଣ କରିନେଲେ ।