ଅତି ପ୍ରାଚୀନ କାଳର କଥା । ଗୋଟିଏ ଜଙ୍ଗଲରେ ଦୁଇଟି ବୃକ୍ଷ ପାଖା ପାଖି ଥାଆନ୍ତି । ପାଖାପାଖି ଥିବାରୁ ସୂର୍ଯ୍ୟ କିରଣ ଭୂମି ଉପରେ ପଡୁ ନଥାଏ । ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ସେହି ଗଛ ଛାଇ ତଳେ ପ୍ରତିଦିନ ଆସି ବସନ୍ତି ଏବଂ ଜଙ୍ଗଲରୁ ଶିକାର କରି ଆଣିଥିବା ଜୀବଜନ୍ତୁ ମାନଙ୍କୁ ଖାଆନ୍ତି । ଖାଇ ସାରିବା ପରେ ହାଡ ଗୁଡିକୁ ସେହି ଗଛ ମୂଳରେ ପକାଇ ଦିଅନ୍ତି । ହାଡ ଗୁଡିକ ସେଠାରେ କିଛି ଦିନ ପଡିବା ପରେ ଦୁର୍ଗନ୍ଧ ହୁଏ ।
ଦିନେ ଏହି ପଚା ଗନ୍ଧରେ ଅତିଷ୍ଠ ହୋଇ ଗୋଟିଏ ବୃକ୍ଷ ଆଉ ଗୋଟିଏ ବୃକ୍ଷକୁ କହିଲା, “ଭାଇ! ଏହି ଜୀବଜନ୍ତୁ ମାନେ ଆମକୁ ଏଠାରେ ରଖାଇ ଦେବେ ନାହିଁ । ଏମାନଙ୍କୁ ଏଠାରୁ ବିତାଡିତ କରିବା ପାଇଁ ଆମକୁ କିଛି ଗୋଟେ ଉପାୟ କରିବାକୁ ହେବ ।” ଆର ବୃକ୍ଷଟି କହିଲା, “ନା ଭାଇ! ସେପରି କିଛି କରନାହିଁ । ଆମେ ଯଦି ଏହି ଜୀବଜନ୍ତୁ ମାନଙ୍କୁ ଘଉଡାଇ ଦେବା ତା’ ହେଲେ ଆମର ହିଁ ଅସୁବିଧା ହେବ । କାହିଁକି ନା, ଏମାନଙ୍କ ଭୟରେ ମନୁଷ୍ୟମାନେ ଏଠାକୁ ଆସୁ ନାହାଁନ୍ତି । ଏମାନେ ଏଠାରୁ ଚାଲିଗଲେ ମନୁଷ୍ୟମାନେ ଆମକୁ ହାଣି ନେଇ ଯିବେ । ତେଣୁ ବଂଧୁ ତୁମେ ସେ ଭୁଲ୍ କରନାହିଁ ।” କିନ୍ତୁ ଆର ଗଛଟି ତ’ ଏକଦମ୍ ଜିଦ୍ ଖୋର୍ । ପରଦିନ ଯେମିତି ପଶୁମାନେ ସେଠାକୁ ଆସିଛନ୍ତି ସେ ନିଜକୁ ଏତେ ଜୋର୍ରେ ହଲାଇଲା ଯେ ପଶୁମାନେ ଭୟଭୀତ ହୋଇ ସେଠାରୁ ପଳାଇଗଲେ ।
ଏହାପରେ ଅନ୍ୟ ବୃକ୍ଷ୍ୟଟି କହିଲା, “ବଂଧୁ! ତୁମେ ତୁମ ବୁଦ୍ଧିବଳରେ ଜୀବଜନ୍ତୁ ମାନଙ୍କୁ ଘଉଡାଇ ଦେଲ । ଏବେ ଆମେ ଶାନ୍ତିରେ ନିଃଶ୍ୱାସ ମାରି ପାରିବା । ହେଲେ…, ଏହା କହି ସେ ଅଟ୍କି ଗଲା । ଅନ୍ୟ ଗଛଟି କେଉଁ କଥା କହିବା ପାଇଁ ଚାହୁଁଛନ୍ତି ବୋଲି ପଚାରିବାରୁ ସେ ସମୟ ଆସିଲେ କହିବ ବୋଲି କହିଲା ।