‘ଶୁଣ୍ଢ’ ଏବଂ ‘ଉପଶୁଣ୍ଢ’ ନାମକ ଦୁଇଜଣ ରାକ୍ଷସ ହଠାତ୍ ପୃଥିବୀ ପୃଷ୍ଠରେ ଉତ୍ପାତ ଆରମ୍ଭ କରିଦେଲେ । ସେମାନେ ସଂପର୍କରେ ଭାଇ ଥିଲେ । ସେମାନେ ଈଶ୍ୱରଙ୍କୁ ତପସ୍ୟା କରି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠିଲେ । ସେମାନେ ଚେଷ୍ଟା କଲେ ନିଜର ଶକ୍ତି ବଳରେ ସମସ୍ତ ରାକ୍ଷସମାନଙ୍କୁ ଜୟ କରିବା ସହିତ ତିନି ଭୁବନକୁ ମଧ୍ୟ ଜୟ କରିବେ । ରାକ୍ଷସମାନେ ଏମିତି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠନ୍ତି ସତ, ହେଲେ ଶେଷରେ ସେମାନେ ସେମାନଙ୍କର ଗର୍ବ, ଅହଂକାର ଯୋଗୁଁ ମୃତ୍ୟୁ ବରଣ କରନ୍ତି ।
ଶୁଣ୍ଢ, ଉପଶୁଣ୍ଢ ପୁଣିଥରେ ଈଶ୍ୱରଙ୍କୁ ତପସ୍ୟା କରିବାକୁ ଲାଗିଲେ । ଭକ୍ତ ମାନଙ୍କର କଠୋର ତପସ୍ୟା ଦେଖି ଈଶ୍ୱର ସେମାନଙ୍କ ଆଗରେ ଆବିର୍ଭୁତ ହୋଇ କହିଲେ – “ବତ୍ସ ! ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ମୋତେ ତୁମେ ଯାହା ବର ମାଗିବ ମୁଁ ତାହା ପୂରଣ କରିବି ।” ଈଶ୍ୱରଙ୍କ ମୁହଁରୁ ଏପରି କଥା ଶୁଣି ଦୁଇଭାଇ କହିଲେ, “ପ୍ରଭୁ! ଏ ତିନି ଭୁବନରେ ଥିବା ଅପରୂପା ସୁନ୍ଦରୀ ଆମ୍ଭମାନଙ୍କର କାମ୍ୟ ।” ଈଶ୍ୱର ସଂଗେ ସଂଗେ ‘ତଥାସ୍ତୁ’ କହିଦେଲେ । ଏହାପରେ ଈଶ୍ୱର ଅପରୂପା ସୁନ୍ଦରୀଙ୍କୁ ସେମାନଙ୍କ ନିକଟକୁ ପଠାଇ ଦେଲେ ।
ସୁନ୍ଦରୀ ତ’ ଦେଖିବାକୁ ଅପରୂପା । ତାଙ୍କର ରୂପରେ ମୁଗ୍ଧ ହୋଇ ଦୁଇ ଭାଇ ତାଙ୍କୁ ପାଇବା ପାଇଁ ଉଚ୍ଛୁକ ହେଲେ । ସେଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଗଲା । ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଏକ ଚତୁର ବ୍ରାହ୍ମଣ ନିକଟରେ ପହଁଚିଲେ । ବ୍ରାହ୍ମଣ ଜଣକ ପ୍ରଚଣ୍ଡ ଧୂର୍ତ୍ତ ଏବଂ ଚାଲାକ୍ ଥିଲା । ଶୁଣ୍ଢ ଏବଂ ଉପଶୁଣ୍ଢଙ୍କ ସମସ୍ୟା ଶୁଣିସାରି ସେମାନଙ୍କୁ ବୁଝାଇବାକୁ ଯାଇ କହିଲା, ବ୍ରାହ୍ମଣମାନଙ୍କ ରୁକ୍ ବେଦ ପୁରୁଷ ସୁକ୍ତ ଅନୁସାରେ ସମାଜକୁ ଚାରି ଶ୍ରେଣୀରେ ଲୋକଙ୍କ ବୃତ୍ତି ବା କର୍ମ ଅନୁଯାଇ ଭାଗ କରାଯାଇଛି ସେଥିପାଇଁ – “ଆମ ବ୍ରାହ୍ମଣବାଦୀ ସମାଜରେ ଚାରୋଟି ଜାତି ରହିଛି । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର । ବ୍ରାହ୍ମଣମାନେ ସଦାସର୍ବଦା ବିଦ୍ୟା ଅଧ୍ୟୟନ ଓ ପୂଜା ପାଠରେ ରତ ଥାଆନ୍ତି । ସେମାନେ ବେଦ, ଉପନିଷଦ ପ୍ରଭୃତି ନୀତି ଶାସ୍ତ୍ରକୁ ଅଧ୍ୟୟନ କରିଥାଆନ୍ତି । କ୍ଷତ୍ରିୟମାନେ ସାଧାରଣତଃ ଯୋଦ୍ଧା । ସେମାନେ ସେମାନଙ୍କର ବାହୁ ବଳରେ ରାଜ୍ୟକୁ ରକ୍ଷା କରନ୍ତି । ବୈଶ୍ୟମାନେ ସର୍ବଦା ବେପାର ବଣିଜ କରି ଦେଶର ଅର୍ଥନୀତିକୁ ସମୃଦ୍ଧ କରନ୍ତି । ଶୂଦ୍ରମାନେ ବ୍ରାହ୍ମଣମାନଙ୍କର ସେବା କରିବା ସାଂଗକୁ କୃଷି କାର୍ଯ୍ୟରେ ମନୋନିବେଶ କରନ୍ତି । ତେଣୁ ତୁମେମାନେ ହେଉଛ ସ୍ୱଭାବରେ କ୍ଷତ୍ରିୟ । ତୁମେ ପରସ୍ପର ମଧ୍ୟରେ ଯୁଦ୍ଧ କର । ଯିଏ ଜିତିବ ସେ ଅପରୂପା ସୁନ୍ଦରୀଙ୍କୁ ଗ୍ରହଣ କରିବ । ଧୂର୍ତ୍ତ ବ୍ରାହ୍ମଣର କ୍ଷତ୍ରିୟ ଜାତି ମାନପତ୍ର ପାଇ ମୂର୍ଖ ରାକ୍ଷସ ଦ୍ୱୟ ପରସ୍ପର ବିରୋଧୀ ହୋଇଗଲେ ।
ବ୍ରାହ୍ମଣଟିର କଥା ମାନି ଉଭୟେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ସେମାନେ ତ’ ଉଭୟେ ଯୁଦ୍ଧ କରିବାରେ ପ୍ରବୀଣ ଥିଲେ । କେହି ମଧ୍ୟ ପଛ ଘୁଂଚା ଦେଉ ନଥାନ୍ତି । ଶେଷକୁ ଉଭୟେ ମୃତ୍ୟୁବରଣ କଲେ । ଉଭୟ ରାକ୍ଷସ ମୃତ୍ୟୁବରଣ କରିବାପରେ ଅପରୂପା ସୁନ୍ଦରୀ ଈଶ୍ୱରଙ୍କ ନିକଟକୁ ଫେରିଗଲେ । ତେଣୁ ଜଣେ ଧୂର୍ତ୍ତ ଏବଂ ଚାଲାକ୍ ମଧ୍ୟ – ଗର୍ବୀ ଓ ଅହଂକାରୀକୁ ବିନାଶ କରିପାରେ । କାରଣ ଗର୍ବ, ଅହଂକାର ହିଁ ମନୁଷ୍ୟର ବିନାଶର କାରଣ ହୋଇଥାଏ । ଯେମିତି ଗର୍ବକରି ଶୁଣ୍ଢ ଓ ଉପଶୁଣ୍ଢ ପ୍ରାଣତ୍ୟାଗ କଲେ ।