ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇବନ୍ଧୁ

ଅରବିନ୍ଦପୁର ଗ୍ରାମରେ ଅତୁଲ ନାମରେ କୋଡିଏ ବର୍ଷ ବୟସର ଯୁବକଟିଏ ଥାଏ; ସେ ଅନେକ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଥିଲା ।

ଦିନେ ତା’ର ବାପା ତାକୁ କିଛି ଧନ ଦେଇ କହିଲେ, “ପୁଅ, ଏତକ ଧନ ନେଇ ତୋର ବୁଦ୍ଧି ଓ ପ୍ରତିଭା ବଳରେ ଧନ ଅର୍ଜ୍ଜନ କରିବୁ ।” ଅତୁଲ ପିତାଙ୍କର ଆଶିର୍ବାଦ ନେଇ ସହରକୁ ଗଲା । ଯାଉଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେଠାରେ ଗୋଟିଏ ବଡଗଛ ଛାଇରେ ସେ ବିଶ୍ରାମ ନେଲା । କିଛି ସମୟ ପରେ ସେଠାରେ ଆଉ ଜଣେ ଯୁବକ ଆସି ପହଁଚିଲା । ତା’ର ନାମ ଅବ୍ଦୁଲ୍ଲା; ଦୁହେଁ କଥା ହେଉ ହେଉ ଜଣାଗଲା ଯେ ସେ ମଧ୍ୟ ଅନେକ ବିଦ୍ୟା ପଢିଛି ଏବଂ ସେ ମଧ୍ୟ ତା’ର ପିତାଙ୍କ ନିର୍ଦ୍ଧେଶରେ ଧନ ଅର୍ଜନ କରିବାକୁ ସହର ଯାଉଛି ।

ଅଳ୍ପସମୟ ମଧ୍ୟରେ ସେ ଦୁହେଁ ସ୍ଥିର କଲେ ଯେ ସହରକୁ ଯାଇ ଏକାଠି ରହିବେ । ଦୁହେଁ ଦୁହିଁଙ୍କୁ ଖୁବ୍ ପସନ୍ଦ କଲେ । ଠିକ୍ ଏହି ସମୟରେ ଜଙ୍ଗଲୀ ଲୋକମାନେ ଆସି ସେ ଦୁହିଁଙ୍କୁ ଘେରିଗଲେ । ସେମାନଙ୍କ ସର୍ଦ୍ଦାର କହିଲା, “ଆମର ଦେବୀପୂଜା ପାଇଁ ନରବଳୀ ଏକାନ୍ତ ଦରକାର । ଏବେ ତୁମେ କୁହ ତୁମ ଦୁଇଜଣଙ୍କ ମଧ୍ୟରୁ କାହାକୁ ନେବୁ ।”

ଦୁଇଜଣ ଈଶ୍ୱରବିଶ୍ୱାସୀ ଥିଲେ । ଦୁହେଁ ନିଜ ଭିତରେ କଥାବାର୍ତ୍ତା ହେଲେ । ଅତୁଲ ଅବଦୁଲ୍ଲାକୁ କହିଲା, “ମୁଁ ତୁମକୁ ବିପଦରେ ପକାଇ କିପରି ଯିବି? ମୋ ଭଗବାନ୍ ମୋତେ ସେଥିପାଇଁ କେବେବି କ୍ଷମା କରିବେ ନାହିଁ । ତେଣୁ ମୁଁ ଭଗବାନଙ୍କ ଉପରେ ସବୁ ଛାଡି ଦେଇ ତାଙ୍କ ସହିତ ଯାଉଛି । ତାହେଲେ ଆମ ଦୁଇଜଣଙ୍କ ମଧ୍ୟରୁ ଜଣେ ତ ବଂଚିଯିବ ।”

ଅବ୍ଦୁଲ୍ଲା କହିଲା, “ମୁଁ ମଧ୍ୟ ଏପରି କରିଲେ ଖୋଦା ମୋତେ ଆଦୌ କ୍ଷମା କରିବେ ନାହିଁ । ତେଣୁ ତୁମେ ସହର ଯାଅ; ମୁଁ ଏମାନଙ୍କ ସହିତ ଯିବି । ଦୁଇବନ୍ଧୁ ଏମିତି କୁହାକୁହି କରୁ କରୁ କିଛି ସମୟ ବିତିଗଲା । ଜଙ୍ଗଲୀ ସର୍ଦ୍ଦାର ଉତ୍ତେଜିତ ହୋଇ କହିଲା, “କେତେ ସମୟ ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡିବ? ତେଣେ ଆମର ଡେରି ହେଉଛି ଯେ ।”

ଅବଦୁଲ୍ଲା କହିଲା “ତୁମ ସହିତ ମୁଁ ଯିବି । ସେଥିପାଇଁ ମୋ ବନ୍ଧୁକୁ ବୁଝାଅ ।”

ଅତୁଲ କହିଲା “ନାହିଁ ନାହିଁ, ତୁମମାନଙ୍କ ସହିତ ମୁଁ ଯିବି । ତମେ ତାଙ୍କୁ ବୁଝାଅ ।”

ଏସବୁ ଦେଖି ସର୍ଦ୍ଦାର କହିଲା, “ତୁମ ପରି ଲୋକ ତ ବିରଳ । ଏ ସମସ୍ୟାର ସମାଧାନ ଆମ ପାଖରେ ଅଛି । ଏବେ ଜଣକୁ ବଳୀ ଦେବୁ । ପୁଣି ଛମାସ ପରେ ପୂର୍ଣ୍ଣିମା ରାତିରେ ଆଉ ଜଣକୁ ବଳୀ ଦେବୁ?” ଏତିକି କହି ସେ ଦୁଇ ଯୁବକଙ୍କୁ ବସ୍ତି ଭିତରକୁ ନେଇଗଲେ ।

ସେଠି ପହଁଚି ଅବ୍ଦୁଲ୍ଲା କିଛି ଭାବିବା ପରେ ଅତୁଲକୁ ପଚାରିଲା, “ଜଣେ ଲୋକ ଆଉ ଜଣେ ଲୋକକୁ ହାଣିବା ଦ୍ୱାରା କ’ଣ ଦେବୀ ପ୍ରସନ୍ନ ହେବେ?”

ଅତୁଲ କହିଲା – “ଏହା ଏମାନଙ୍କର ଅଜ୍ଞାନତା ।”

ପରଦିନ ଜଙ୍ଗଲୀଲୋକ ତାଙ୍କ ପାଖକୁ ଆସିବାରୁ, ସେମାନେ କହିଲେ, “ପୂର୍ଣ୍ଣିମା ରାତି ତ ଆଉ ଦଶଦିନ ବାକି ଅଛି । ଆମ ପାଖକୁ ଆସ ଆମେ ଦିନ ଗଣିବା ଶିଖାଇ ଦେବୁ ।”

ଏବେ ଅତୁଲ ଓ ଅବ୍ଦୁଲ୍ଲା ସେମାନଙ୍କୁ ନୀତି କଥା ଶୁଣାଇବାକୁ ଲାଗିଲେ । ସେ ଦୁଇମିତ୍ରଙ୍କ ଠାରୁ, ଏମାନେ ଅନେକ ଗଳ୍ପ କାହାଣୀ ସବୁ ଶୁଣିଲେ । ଶୁଣି ଶୁଣି ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଲା । ସେଠାକାର ଜଣେ ଝିଅ ଅତୁଲକୁ ଭଲ ପାଇଲା । ଅନ୍ୟ ଏକ ଝିଅ ଅବ୍ଦୁଲ୍ଲାକୁ ପସନ୍ଦ କଲା । ଦୁଇଝିଅ ସେମାନଙ୍କୁ କହିଲେ, “କଥା ଦିଅ, ତୁମେ ଆମକୁ ବିବାହ କରିଲେ, ଆମେ ତୁମକୁ ଗୁପ୍ତମାର୍ଗରେ ବାହାରକୁ ନେଇ ଯିବୁ ।”

କିନ୍ତୁ ଦୁଇ ବନ୍ଧୁ ସେପରି ଲୁଚି ଲୁଚି ପଳାଇବାକୁ ଚାହିଁଲେ ନାହିଁ । ସେମାନେ ସର୍ଦ୍ଦାରକୁ ସବୁକଥା କହିଲେ, ସର୍ଦ୍ଦାର ସେମାନଙ୍କର ବିଶ୍ୱସ୍ତତା ଦେଖି ଖୁସି ହୋଇ କହିଲା, “ତୁମ ଦୁହିଁଙ୍କର ଚାଲିଚଳନ ମୋତେ ବହୁତ ଭଲ ଲାଗୁଛି । ମୋର ଭୟ ହେଉଛି ଦେବୀ ଯଦି ରାଗିଯିବେ ତ ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ