ଅବଦୁଲ୍ଲା କହିଲା “କିନ୍ତୁ ନରବଳୀକୁ କୌଣସି ଦେବୀ ପସନ୍ଦ କରନ୍ତି ନାହିଁ ।”
“ଏକଥା କେହି ପ୍ରମାଣ କରିଦିଅନ୍ତା କି?” ଏତିକି କହି ସର୍ଦ୍ଦାର ଚାଲିଗଲା ।
ଅତୁଲ ଓ ଅବ୍ଦୁଲ୍ଲା ଭାବିଚିନ୍ତି କୌଣସି ଉପାୟ ପାଂଚିଲେ, ପରଦିନ ସର୍ଦ୍ଦାରକୁ ଅତୁଲ କହିଲା, “ତୁମେ ପ୍ରମାଣ ଚାହୁଁଥିଲ ତୁମକୁ ଅବ୍ଦୁଲ୍ଲା ତରବାରୀଟିଏ ଦେବ । ତୁମେ ମୋତେ ନେଇ ପୂର୍ଣ୍ଣିମା ଦିନ ସେଠାକୁ ଯିବ । ଦେବୀ ଯଦି ନରବଳୀ ଚାହାଁନ୍ତି ତେବେ ତରବାରୀ କାମ କରିବ, ନ ହେଲେ କରିବ ନାହିଁ ।” ଏକଥା ଶୁଣି ସର୍ଦ୍ଦାର କହିଲା “ମୁଁ ଅବଶ୍ୟ ତୁମ କଥା ମାନି ନେବି ।”
ସର୍ଦ୍ଦାର ଠାରୁ ତରବାରୀଟିଏ ନେଇ ସେମାନେ କାମରେ ଲାଗିଗଲେ । ଚୁମ୍ବକ ଘସି ଘସି ତରବାରୀରେ ଚୁମ୍ବକ ଶକ୍ତି ଆସିଗଲା ଓ ଅତୁଲ ବେକରେ ଥିବା ଲୁହାରେ ମଧ୍ୟ ଓଲଟା ଚୁମ୍ବକ ଶକ୍ତି ଆସିଗଲା । ତେବେ ତରବାରୀ ତା’ ବେକ ପାଖକୁ ନ ଯାଇ ପଛକୁ ହଟିବ ।
ପୂର୍ଣ୍ଣିମା ରାତିରେ ପୂର୍ବ ସର୍ତ୍ତ ଅନୁଯାୟୀ ସବୁ କିଛି କରାହେଲା । ତରବାରୀ ସତରେ ପଛକୁ ହଟିଲା । ଜଙ୍ଗଲୀ ଲୋକମାନେ ଆଶ୍ଚର୍ଯ୍ୟ ହେଲେ ଓ ମାନିଲେ ଯେ ନରବଳୀ ଦେବୀଙ୍କର ଆଉ ପସନ୍ଦ ନୁହେଁ ।
ତିନିଥର ଚେଷ୍ଟା କରି କିଛିବି ହେଲେ ହେଲାନାହିଁ । ସର୍ଦ୍ଦାର ତା’ପରେ ତରବାରୀଟି ଫିଙ୍ଗିଦେଲା ଓ ଅତୁଲକୁ ବଳୀବେଦୀରୁ ତଳକୁ ଆଣିଲା । ତା’ପରେ ସେ ଦୁଇବନ୍ଧୁଙ୍କୁ ପ୍ରଣାମ କରି କହିଲା, “ତୁମେ ଦୁହେଁ କି ମହାନ୍ । ଦେବୀଙ୍କର ମନକଥା ବୁଝିପାରିଲ ଓ ତାକୁ ପ୍ରମାଣ କରାଇ ଦେଲ । ଆମେ ଏବେ ନର ବଳୀ ଛାଡି ତୁମମାନଙ୍କ ପରି ଜୀବନ ଯାପନ କରିବୁ । କିନ୍ତୁ ତୁମ ମାନଙ୍କ ସହିତ ବାହାରେ ଯାଇ ଚଳିବା ପାଇଁ ତ ଧନ ଦରକାର । ଆମେ ଜାଣୁ ଏଇ ପାଖରେ ଥିବା ପାହାଡରେ ଗୋଟିଏ ଗୁମ୍ଫା ଅଛି । ସେଥିରେ ଅମାପ ଧନ ଦୌଲତ ଅଛି । କିନ୍ତୁ ସେଠାକୁ ଯିଏ ଯାଇଛି ସେ ଆଉ ଜୀବିତ ଫେରି ଆସି ନାହିଁ । ସେଠାରେ ଏକ ବଡ ରାକ୍ଷସ ରହିଛି । ଏବେ ଆମେ ଭାବୁଛୁ ତୁମ ଦୁହିଁଙ୍କଠାରେ ବହୁତ ଶକ୍ତି ଅଛି ଯଦ୍ୱାରା ତୁମେ ସେହି ରାକ୍ଷସକୁ ମାରି ଦେଇ ଧନସବୁ ଆଣି ଆମମାନଙ୍କୁ ଦେବ ।”
ଦୁଇମିତ୍ର ସର୍ଦ୍ଦାରକୁ କଥା ଦେଲେ ଯେ ସେମାନେ ଯଦି ଧନ ନେଇ ଫେରନ୍ତି ତେବେ ସାରା ଧନ ଗ୍ରାମବାସୀଙ୍କୁ ଦେବେ । ଦୁହେଁ ଭାବିଲେ ଗୁମ୍ଫା ଭିତରକୁ ପ୍ରଥମେ ଜଣେ ଯିବ । ଅନ୍ୟଜଣେ ବାହାରେ ଥାଇ ତାର ସାହାଯ୍ୟ କରିବ । କିନ୍ତୁ ସେମାନେ ଦେଖିଲେ ଦୁଇଜଣ ଗଲେ ଭଲ । ସର୍ଦ୍ଦାର ସେମାନଙ୍କୁ ନେଇ ଗୁମ୍ଫା ପାଖରେ ଛାଡି ଆସିଲା ।
ଦୁଇମିତ୍ର ଦେଖିଲେ ଗୁମ୍ଫା ଭିତର ଅତ୍ୟନ୍ତ ଅନ୍ଧକାର । ଦୁଇଜଣ ଧୈର୍ଯ୍ୟ ଓ ସାହାସର ସହିତ ଭିତରେ ପ୍ରବେଶ କଲେ । ହଠାତ୍ ବିଜୁଳି ଭଳି ଏକ ଆଲୋକ ଦେଖାଦେଲା ଓ ଜଣେ ସୁନ୍ଦରୀ ମଧ୍ୟ ଆସି ସେମାନଙ୍କ ସମ୍ମୁଖରେ ଛିଡା ହେଲେ ।
ସେହି ସୁନ୍ଦରୀ ଯୁବତୀ ଅତୁଲକୁ କହିଲେ, “ଯିଏ ମୋତେ ଦେଖିବ, ସେ ଯଦି ବଂଚିବାକୁ ଚାହେଁ, ତେବେ ମୋତେ ସେ ବାହାହେବ । ତମେ ମଧ୍ୟ ବେଶ୍ ସୁନ୍ଦର । ସେଥିପାଇଁ ମୁଁ ତୁମ ସାମନାକୁ ଆସିଲି । ଚାଲ ଆମେ ବାହା ହୋଇଯିବା ।”
ଅତୁଲ ପଚାରିଲା “ତେବେ ମୋର ଏ ମିତ୍ରର କ’ଣ ହେବ?” ଏକଥା ଶୁଣି ଯୁବତୀଟି ହସିଲା; ଆଉ ଦେଖୁ ଦେଖୁ ଅବ୍ଦୁଲ୍ଲା ଏକ ପାଉଁଶ ଗଦାରେ ପରିଣତ ହୋଇଗଲା । ଅତୁଲ ଏପରି ଅଦ୍ଭୁତ ବ୍ୟାପାର ଦେଖି କାନ୍ଦି କାନ୍ଦି ସେହି ପାଉଁଶ ଗଦା ପାଖରେ ବସିଗଲା । ତା’ପରେ ସେ କହିଲା, “ତମେ ଅତ୍ୟନ୍ତ ନିର୍ଦ୍ଦୟୀ । ମୁଁ ତୁମକୁ ବିବାହ କରିପାରିବି ନାହିଁ । ମୋତେ ମଧ୍ୟ ପାଉଁଶ କରିଦିଅ ।”
“ମୁଁ ତୁମ ମଧ୍ୟରେ ଆଶା ଜଗାଇବା ପରେ, ତୁମ ଦୁହିଁଙ୍କୁ ଅଲଗା କରିବାକୁ ଚାହୁଁଥିଲି । କିନ୍ତୁ ତାହା ସମ୍ଭବ ହେଲା ନାହିଁ । ତୁମ ଦୁହିଁଙ୍କର ମିତ୍ରତା ଅତି ମହାନ୍ । କିଛି ସମୟ ମଧ୍ୟରେ ତୁମର ମିତ୍ର ଜୀବିତ ହୋଇ ଉଠିବେ । ଆଗକୁ ଯାଅ ।”
କିଛି ସମୟ ପରେ ପାଉଁଶ ଗଦାରୁ ଅବ୍ଦୁଲ୍ଲା ବାହାରି ଆସିଲା, ତା’ପରେ ସେ କହିଲା, “ଯିଏ ଭଗବାନଙ୍କ ଉପରେ ବିଶ୍ୱାସ କରୁ ଥାଏ, ତାହାର କେବେ ମଧ୍ୟ କୌଣସି ବିପଦ ପଡି ନ ପାରେ ।”
ତା’ପରେ ଦୁଇ ମିତ୍ର ଆଗକୁ ଚାଲିଲେ । ଆଗକୁ ଅଳ୍ପ ବାଟ ଯାଇଛନ୍ତି, ଦେଖିଲେ ଜଣେ ଲମ୍ବା ଓ ପତଳା ଲୋକ ଠିଆ ହୋଇ, ତାଙ୍କୁ ଦେଖି ହସୁଛି । ତା’ପରେ ସେ କହିଲା, “ତୁମେ ଦୁହେଁ ଭଲ କରି ଗୀତ ଗାଅ । ଯାହା ଗୀତ ମୋର ପସନ୍ଦ ହେବ ତାକୁ ମୁଁ ଧନଘର ଦେଖାଇ ଦେବି । କିନ୍ତୁ ଯାହାର ଗୀତ ପସନ୍ଦ ନ ହେବ ତାକୁ ସେଇଠି ଶେଷ କରିଦେବି ।”
ଦୁଇ ମିତ୍ର ଗଳା ଠିକ୍ କରି ଗୀତ ଗାଇବାକୁ ଆରମ୍ଭ କଲେ । ସେମାନଙ୍କ ଗୀତ ଶୁଣି ସେ ବ୍ୟକ୍ତି ମୁଗ୍ଧ ହୋଇଗଲା ଓ ନାଚିବାକୁ ଆରମ୍ଭ କଲା । କିନ୍ତୁ ଗୀତ ଯିମିତି ଶେଷ ହୋଇଛି ଅତୁଲ ପଛ ପଟକୁ ପଡିଗଲା । ଏକଥା ଦେଖି ଅବ୍ଦୁଲ୍ଲା ମୁଣ୍ଡ କୋଡି କାନ୍ଦି କାନ୍ଦି କହିଲା, “ମୋ ମିତ୍ର ଯଦି ଜୀବିତ ନ ରହେ ତ ମୁଁ ମଧ୍ୟ ଜୀବିତ ରହିବି ନାହିଁ । ମୋତେ କୁହ ମୁଁ ତାକୁ କିପରି ଜୀବନ୍ତ ପାଇବି?”
ପତଳା ବ୍ୟକ୍ତିଟି କିଛି କହିଲା ନାହିଁ । ସେ ଅବ୍ଦୁଲ୍ଲାକୁ ସାଥିରେ ନେଇ ଆଗକୁ ଚାଲିଲା ଆଗକୁ ଯାଇ ଅବ୍ଦୁଲ୍ଲା ଦେଖିଲା ଯେ ବଡ ପ୍ରାସାଦଟିଏ ଠିଆ ହୋଇଛି । ସେଥିରେ ସବୁ କିଛି ସୁନା । ଏତେଗୁଡାଏ ସୁନା ଦେଖି ଅବଦୁଲ୍ଲାର ଆଖି ଖୋସି ହୋଇଗଲା ।
ବ୍ୟକ୍ତିଟି କହିଲା “ଏହି ସବୁ ଧନ ଏବେ ତୁମର ହୋଇଗଲା । ଏବେ ଯଦି ତୁମ୍ଭ ମିତ୍ରଙ୍କୁ ଜୀବିତ ଦେଖିବାକୁ ଚାହଁ ତେବେ ମିତ୍ର ହୁଏତ ଆସିଯିବ । କିନ୍ତୁ ଏସବୁ ଧନ କୁଆଡେ ଉଭେଇ ଯିବ । ଭଲ ଭାବରେ ଭାବି ଦେଖ । ତୁମେ ମିତ୍ରଙ୍କୁ ଚାହଁ ନା ଧନ?” ଅବ୍ଦୁଲ୍ଲା ତତ୍କ୍ଷଣାତ୍ କହିଲା, “ମୋର ମିତ୍ର ଦରକାର ।”
ପରମୁହୂର୍ତ୍ତରେ ଘରଦ୍ୱାର ଓ ସେହି ବ୍ୟକ୍ତି ସବୁ ମିଳେଇ ଗଲେ । କିନ୍ତୁ ଅତୁଲ ତା’ ସାମନାରେ ଠିଆ ହୋଇଥିବାର ଦେଖାଗଲା ।
ଯାହାସବୁ ଘଟିଥିଲା, ସେସବୁ ଶୁଣିବା ପରେ ଅତୁଲ କହିଲା, “ଏକଥା ପ୍ରମାଣ ହୋଇଗଲା କି ଯିଏ ଭଗବାନ୍ଙ୍କ ଉପରେ ଭରସା କରିଥାଏ, ତାହାର କେହି କିଛି କରିପାରିବେ ନାହିଁ ।”
ଏବେ ସେ ଦୁଇମିତ୍ର ଆନନ୍ଦରେ ଆଗକୁ ଚାଲିଲେ । ସେମାନଙ୍କର କୌତୁହଳ ହେଉଥାଏ, ଏହା ପରେ କ’ଣ ଘଟିବ! ସେମାନେ ଅଳ୍ପ ଆଗକୁ ଯାଇଛନ୍ତି ଦେଖିଲେ ଏକ ପର୍ବତ ପ୍ରମାଣ ବିରାଟ ରାକ୍ଷସ । ସେ ଏହି ଦୁଇମିତ୍ରଙ୍କୁ ବଡ ସ୍ନେହରେ ଚାହିଁ କହିଲା, “ତୁମ ଦୁଇଜଣଙ୍କ ମିତ୍ରତା ବଡ ମହାନ୍ । ତୁମ ଭିତରୁ ଜଣେ ନାରୀର ସୌନ୍ଦର୍ଯ୍ୟ ଉପରେ ବିଜୟ ପାଇଛି । ଅନ୍ୟ ଜଣେ ଧନ ବୈଭବକୁ ତ୍ୟାଗ କରିଦେଲା । ବହୁତ ଭାବିବା ପରେ ମଧ୍ୟ ମୁଁ ଜାଣି ପାରୁନାହିଁ ଯେ ତୁମ ଦୁହିଁଙ୍କ ମଧ୍ୟରେ କିଏ ମହାନ୍? ଏକଥା ତୁମେହିଁ ନିର୍ଣ୍ଣୟ କରି କୁହ ଯେ ମୁଁ କାହାକୁ ଅଧିକ ମହାନ୍ ମାନିବି?”
“ପ୍ରଥମେ କୁହ ତୁମେ କିଏ? ପୁଣି ଆମ ମଧ୍ୟରୁ କିଏ ଅଧିକ ମହାନ୍ ସେ କଥା ଜାଣି ତୁମର ଲାଭ କିପରି ହେବ?”
ରାକ୍ଷସ କହିଲା “ମୋତେ ପର୍ବତରାକ୍ଷସ ବୋଲି କୁହନ୍ତି । ମୁଁ ଏହି ଗୁମ୍ଫାର ମାଲିକ । ମୁଁ ଯେତେବେଳେ ଜାଣିବି ଯେ ତୁମ ଭିତରୁ ଅଧିକ ମହାନ୍ କିଏ ତେବେ ତାକୁ ମୁଁ ସୁନ୍ଦରୀ ଝିଅକୁ ବିବାହ ଦେଇ ଯୌତୁକ ସ୍ୱରୂପ ସବୁତକ ଧନ ଦେଇଦେବି । କିନ୍ତୁ ଅନ୍ୟ ଜଣକୁ ମୁଁ ସିଧା ଖାଇଦେଇ ପାତାଳକୁ ପଳାଇବି ।”
ଦୁଇମିତ୍ର ଗୋଟିଏ କଡକୁ ଚାଲିଯାଇ ନିଜ ନିଜ ମଧ୍ୟରେ କିଛି ଆଲୋଚନା କଲେ; ସେମାନେ ଜାଣିଲେ ରାକ୍ଷସ ଏମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ପରୀକ୍ଷା ନେବାକୁ ଚାହୁଁଛି । ତାପରେ ସେମାନେ ଦୁଇଜଣ କହିଲେ, “ଏହି ଦୁନିଆରେ ସବୁ ଏକପ୍ରକାର, କେହି ବଡ ଛୋଟ, ନାହିଁ, କେହି ମହାନ୍ ନାହିଁ । କେବଳ ଭଗବାନ୍ହିଁ ମହାନ ତେଣୁ ଭଗବାନଙ୍କ ନାମ ନେଇ ଆପଣଙ୍କ ସୁନ୍ଦରୀକୁ ସର୍ଦ୍ଦାର ସହିତ ବିବାହ ଦେଇ ଧନସବୁ ଯୌତୁକ ରୂପେ ଦେଇ ଦିଅନ୍ତୁ । ଆମେ ଦୁଇଜଣ ସହର ଯିବୁ । ତେଣୁ ଆମକୁ ସହରର ରାସ୍ତା ଉପରେ ନେଇ ପହଁଚାଇ ଦିଅନ୍ତୁ ।”
ଦୁହେଁ ଏତିକି କହିବା ପରେ, ସେମାନଙ୍କ ଆଖି ଅନ୍ଧ ହୋଇଗଲା । ଆଖି ଖୋଲି ଦେଖିଲେ ସେମାନେ ସହର ରାସ୍ତା ଉପରେ ଠିଆ ହୋଇଛନ୍ତି । ଏବେ ସେମାନେ ପ୍ରାର୍ଥନା କଲେ କି ଆଉ ଯେପରି କୌଣସି ବାଧାବିପତ୍ତି ତାଙ୍କ ରାସ୍ତାରେ ନ ଆସେ । କିଛିବାଟ ଯିବା ପରେ ସେମାନେ ଦେଖିଲେ ଦୁଇଟି ରାସ୍ତା ଦୁଇ ଆଡକୁ ପଡିଛି । ଗୋଟିଏ ମନ୍ଦିର ଆଡକୁ ଓ ଆରଟି ମସଜିଦ୍କୁ । ଏବେ ସେମାନେ ଖୁସି ହେଲେ ଯେ ନିଜ ନିଜ ଭଗବାନଙ୍କୁ ପ୍ରାର୍ଥନା କରିବାର ସୁଯୋଗ ମିଳିଲା ।
ଏବେ ଦୁହେଁ ନିଜନିଜର ଉପାସନା ସ୍ଥାନକୁ ଗଲେ । ପୁଣି ମନକୁ କ’ଣ ଆସିଲା ଦୁହେଁ ବୁଲିପଡି ପରସ୍ପରକୁ ଚାହିଁ କହିଲେ, “ଆରେ ଆମେ ତ ଅଲଗା ହୋଇଗଲେ ।”
ଈଶ୍ୱର ସେ ଦୁହିଁଙ୍କୁ ଆଶୀର୍ବାଦ ଦେଲେ “ତୁମେ ଦୁହେଁ ଭବିଷ୍ୟତରେ ମୋ ନାମ ନେଇ ଏକାଠି ରହିବ, କେବେବି ମଧ୍ୟ ଅଲଗା ହେବ ନାହିଁ ।”