ଅତିଥି ରାତିରେ ବିଶ୍ରାମ ନେଇଥିବା ବେଳେ ଇଲୋଳ ତାର ସାନଭାଇକୁ ଡାକପକାଏ ବାତାପୀ କେଉଁଠି ଅଛୁ ଶୀଘ୍ର ଏଠାକୁ ଚାଲିଆ । ମୁନିଙ୍କ ପେଟ ଭିତରେ ଥିବା ବାତାପୀ ଭୟଙ୍କର ଗର୍ଜନ କରି ପେଟ ଫଟାଇ ପଦାକୁ ବାହାରି ଆସେ । ତାପରେ ସେ ଦୁଇଭାଇଯାକ ମୁନିଙ୍କ ହାଡ ମାଂସକୁ ଭୋଜନ କରନ୍ତି । ଏହିପରି ଅନେକ ଦିନ ଚାଲିଗଲା । ଫଳରେ ସେ ଇଲୋଳ ଆଉ ବାତାପୀ କବଳରେ ପଡି ଅନେକ ମଣିଷ ପ୍ରାଣ ହରାଇଲେ । ଏମିତିକି କେହି ବି ଏମାନଙ୍କ ମାୟାବୀ ରୂପ କଥା ଆଦୌ ବୁଝିପାରିଲେ ନାହିଁ ।
ଥରେ ଅଗସ୍ତି ମୁନି ସେହି ଜଙ୍ଗଲ ପଥ ଦେଇ ଯାଉଥିଲେ । ଠିକ୍ ସେତିକିବେଳେ ଇଲୋଳ ବ୍ରାହ୍ମଣରୂପ ଧାରଣ କରି ମୁନିଙ୍କ ପାଖରେ ଯାଇ ପହଁଚିଲା ଏବଂ ରାତିରେ ତାଙ୍କ ଘରେ ବିଶ୍ରାମ ନେବା ପାଇଁ ଅନୁରୋଧ କଲା ।
ସେ ଜଙ୍ଗଲ ଭିତରେ ଜଣେ ରୂପବାନ ବ୍ରାହ୍ମଣଙ୍କୁ ଦେଖି ଅଗସ୍ତି ମୁନି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଏବଂ ତାର ଆତିଥ୍ୟ ଗ୍ରହଣ କରିବେ ବୋଲି ସମ୍ମତି ମଧ୍ୟ ଜଣାଇଲେ । ସେ ଅଗସ୍ତି ମୁନି ତାଙ୍କ ଯୋଗବଳରେ ଜାଣିଲେ ଯେ, ଏଇ ବ୍ରାହ୍ମଣ ରୂପି ଲୋକଟି ହେଉଛି ରାକ୍ଷାସ ଇଲୋଳ ଏବଂ ମାରି ଆଣିଥିବା ମୃଗଟି ହେଉଛି ତାର ଭାଇ ବାତାପି । ମୃଗମାଂସ ଖାଇବାକୁ ଦେଇ ଇଲୋଳ ବହୁ ମୁନିଋଷିଙ୍କୁ ମାରି ସେମାନଙ୍କର ହାଡମାଂସ ଖାଇଯାଇଛି ବୋଲି ଅଗସ୍ତି ମୁନି ଜାଣି ପାରିଲେ । ମାୟାବୀ ଅସୁରକୁ ଉଚିତ୍ ଶିକ୍ଷାଦେବେ ବୋଲି ଚିନ୍ତା କରି ସେଦିନ ରାତିରେ ଅଗସ୍ତି ମୁନି ସେଠାରେ ବିଶ୍ରାମ ନେଲେ । ବ୍ରାହ୍ମଣ ତାଙ୍କୁ ଅନ୍ନ ସହିତ ମୃଗମାଂସ ପରଶି ଭୂରିଭୋଜନ ଖାଇବାକୁ ଦେଲେ । ଅଗସ୍ତି ତୃପ୍ତିରେ ଖାଇ ସାରି ନିଜ ପେଟ ଉପରେ ସାତଥର ହାତ ବୁଲାଇ ଆଣି ବିଶ୍ରାମ ନେଲେ ।
ଠିକ୍ ରାତି ଅଧ ହେବାରୁ ଚିରାଚରିତ ପ୍ରଥା ଅନୁସାରେ ଇଲୋଳ ପାଟି କରି ତା’ ଭାଇ ବାତାପିକୁ ଡାକିଲା ବାତାପୀ ତୁ କେଉଁଠି ଅଛୁ ଶୀଘ୍ର ଚାଲିଆ । ମାତ୍ର ସେ ଇଲୋଳ ଯେତେ ଉଚ୍ଚ କଣ୍ଠରେ ଡାକିଲେ ମଧ୍ୟ ବାତାପି ଆଉ ଫେରିଲା ନାହିଁ । ଏଥର ଇଲୋଳ କାନ୍ଦିବାକୁ ଲାଗିଲା । ଏଣେ ଅଗସ୍ତି ମୁନି ନିଦ୍ରାରୁ ଉଠି ବସିଲେ ଓ ଇଲୋଳକୁ ପଚାରିଲେ କ’ଣ ହେଲା ଏତେ ବିକଳ ହୋଇ କାନ୍ଦୁଛ କାହିଁକି? ତହୁଁ ସେ ଇଲୋଳ କହିଲା ମୋ ଭାଇ ବାତାପି ଆସୁ ନାହିଁ ବୋଲି ମୁଁ କାନ୍ଦୁଛି । ଏକଥା ଶୁଣି ଅଗସ୍ତି କହିଲେ ବାତାପି ଆଉ କଦାପି ଫେରିବ ନାହିଁ କାହିଁକିନା ମୁଁ ତ ତାକୁ ଭସ୍ମ କରି ଦେଇଛି । ତୁମେ ଛଳନା କରି ବହୁ ମୁନି ଋଷିଙ୍କୁ ମାରି ଦେଇଛ ସେଇ ସବୁ ପାପ କର୍ମର ଫଳ ତୁମକୁ ନିଶ୍ଚୟ ଭୋଗିବାକୁ ପଡିବ । ଏତକ କହି ଅଗସ୍ତି ମୁନି ତାଙ୍କ କମଣ୍ଡଳୁ ଭିତରୁ ମନ୍ତୁରା ପାଣି ସେ ଇଲୋଳ ଉପରକୁ ଫୋପାଡି ଦେଲେ । ତା’ପରେ ମୁହୂର୍ତ୍ତକ ଭିତରେ ସେ ଇଲୋଳ ମଧ୍ୟ ପୋଡି ପାଉଁସ ହୋଇଗଲା । ଏହିପରି ଭାବେ ମାୟାବୀ ରାକ୍ଷସ କବଳରୁ ସାଧାରଣ ବାଟୋଇ ଓ ମୁନି ଋଷିମାନେ ରକ୍ଷା ପାଇଲେ ।