ଏହିପରି କିଛିଦିନ ବିତିଗଲା । ଆରବ ଦେଶରେ ପ୍ରବଳ ବନ୍ୟା ହେଲା । ସେଥିରେ ବହୁତ ଲୋକ ମଲେ । ବହୁ ଜୀବଜନ୍ତୁ ବନ୍ୟାରେ ବି ଭାସିଗଲେ । ଏମିତିକି ସେ ସୁଲତାନ ମହଲକୁ ବନ୍ୟା ପାଣି ଛୁଇଁଲା । ଏସବୁ ଦେଖି ସୁଲତାନ୍ ହଠାତ୍ ଡରିଯାଇ ତାଙ୍କ ରାଜଜ୍ୟୋତିଷଙ୍କୁ ପଚାରିଲେ – ‘ଏ ବନ୍ୟା ଦାଉରୁ ଆଉ କେବେ ନିସ୍ତାର ମିଳିବ?’ ତହୁଁ ସେ ଆରବ ଜ୍ୟୋତିଷ କହିଲେ – ହେ ସୁଲତାନ, ଏ ବନ୍ୟା ପାଣି ତ ଅତି ଶୀଘ୍ର ଛାଡିଯିବ ମାତ୍ର ବହୁତ ବଡ ଅସୁବିଧା ହେବ । ତାପରେ ସେ ସୁଲତାନ ପଚାରିଲେ – “କ’ଣ ଅସୁବିଧା ହେବ କୁହ?” କିନ୍ତୁ ଏକଥା ଆଉ ସେ ରାଜ ଜ୍ୟୋତିଷଙ୍କୁ ଜଣା ନଥିଲା । ତେଣୁ ସେ ଚାଲାକି କରି କହିଲେ – ‘କେବଳ ଇଣ୍ଡିଆର ଜ୍ୟୋତିଷ ହିଁ ଏହାର ଭଲ ଉତ୍ତର ଦେଇ ପାରିବେ । କାରଣ ଇଣ୍ଡିଆରେ ତ ପ୍ରତିବର୍ଷ ଏହି ଭଳି ବନ୍ୟା ହୋଇଥାଏ ।’ ତାପରେ ସେ ସୁଲତାନ ଇଣ୍ଡିଆର ଜ୍ୟୋତିଷଙ୍କ ଠାରୁ ବନ୍ୟା ପାଣି ଛାଡିଯିବା ପରେ ଆଉ କେଉଁ ଅସୁବିଧା ଦେଖାଯିବ ତାହା ଜାଣିବାକୁ ଚାହିଁଲେ । ଏପରି ପ୍ରଶ୍ନ ଶୁଣି ସେ ଇଣ୍ଡିଆର ଜ୍ୟୋତିଷ ଜଣକ ଜାଣିପାରିଲେ ଯେ, ସେ ଆରବ ଜ୍ୟୋତିଷ ହିଁ ତାଙ୍କୁ ଫସାଉଛନ୍ତି । ଯଦି କିଛି ସୁଲତାନଙ୍କ ଖରାପ୍ ଘଟିବା କଥା ସେ କହିବେ ତେବେ ସୁଲତାନ ତାଙ୍କର ନିଶ୍ଚୟ ମୁଣ୍ଡ କାଟି ଦେବେ । ତାପରେ ସବୁଦିନ ପାଇଁ ଏ ଆରବ ଜ୍ୟୋତିଷଙ୍କର କଂଟା ଚାଲିଯିବ । ଏଥୁଅନ୍ତେ ସେ ଏକାକି ସୁଲତାନଙ୍କ ପାଖରେ ରହି ସବୁ ସୁବିଧା ହାସଲ କରିବେ ।
ଏପରି ଚିନ୍ତା କରୁ କରୁ ବିଷାଦର ଛାୟା ହଠାତ୍ ସେ ଇଣ୍ଡିଆର ଜ୍ୟୋତିଷଙ୍କ ମୁଣ୍ଡରେ ଦେଖା ଦେଲା । ସେ ବନ୍ୟା ପାଣି ଛାଡିଯିବା ପରେ ଘୋର ଖାଦ୍ୟାଭାବ ଦେଖାଯିବ । ଆଉ ପ୍ରଜାମାନେ ଭୋକ ଉପାସରେ ମୃତ୍ୟୁବରଣ କରିବେ ବୋଲି କହିଲେ । ସୁଲତାନ ଏକଥା ଶୁଣି ଖାଲି ଜୋର୍ରେ ହସିବାକୁ ଲାଗିଲେ । ତାପରେ ସେ ସୁଲତାନ କହିଲେ – ‘ଇଏତ ଅତି ସାମାନ୍ୟ କଥା । କାରଣ ପ୍ରଜାମାନେ ତ ଜନ୍ମ ନିଅନ୍ତି କେବଳ ମରିବା ପାଇଁ । ଅର୍ଥାତ୍ ତୁମେ ଜଣେ ଜ୍ୟୋତିଷ ହୋଇ ଏଇ ସାମାନ୍ୟ କଥାରେ ଏତେ ଡରିଯାଉଛ ।’ ଏହିପରି କିଛି ଦିନ ବିତିଗଲା । କିନ୍ତୁ ଏଣେ ଏ ଆରବ ଜ୍ୟୋତିଷ କଳେ ବଳେ କୌଶଳେ ଇଣ୍ଡିଆର ଜ୍ୟୋତିଷଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ସୁଚିନ୍ତିତ ଯୋଜନାମାନ ତିଆରି କଲେ ।