ଏମିତି ଏମିତି କିଛିଦିନ ବିତିଗଲା । ଦିନେ ସେ ଆରବ ଜ୍ୟୋତିଷ ଦେଖିଲେ ସୁଲତାନ ତାଙ୍କ ରାଜ ଉଦ୍ୟାନରେ ଅତ୍ୟନ୍ତ ଉଦାସରେ ବସିଛନ୍ତି । ତେଣୁ ସେ ସୁଲତାନଙ୍କ ପାଖକୁ ଗଲେ । ପଚାରିଲେ – ହଜୁର, ଆପଣଙ୍କର କ’ଣ ହୋଇଛି? ଏତେ ଉଦାସ ଓ ବିବ୍ରତ କାହିଁକି ଜଣାପଡୁଛନ୍ତି । ତହୁଁ ସେ ସୁଲତାନ କହିଲେ – ‘ମଙ୍ଗୋଲୀୟମାନେ ଆମ ଆରବ ଦେଶ ଉପରେ ଆକ୍ରମଣ କରିବାର ଯୋଜନା କରିଛନ୍ତି । ଆଉ ପୁଣି ସେ ମଙ୍ଗୋଲୀୟମାନଙ୍କୁ ଯୁଦ୍ଧରେ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର । ଏ କଥା ଶୁଣି ସେ ଆରବ ଜ୍ୟୋତିଷ ଜୋର୍ରେ ହସିବାକୁ ଲାଗିଲେ । କହିଲେ – ‘ଏଇ ସମାନ୍ୟ କଥା ପାଇଁ ଆପଣ ଉଦାସ ଓ ବିଚଳିତ ହେଉଛନ୍ତି । ଏହାର ପ୍ରତିକାର କେବଳ ଇଣ୍ଡିଆର ଜ୍ୟୋତିଷଙ୍କ ପାଖରେ ହିଁ ଅଛି ।’
ଇଣ୍ଡିଆର ଜ୍ୟୋତିଷ ଏ କଥା ଶୁଣି ବିରାଟ ବଡ ଚିନ୍ତାରେ ପଡିଗଲେ । ସେ ଜାଣିପାରିଲେ ଯେ, ଏଥର ସେ ଆରବ ଜ୍ୟୋତିଷ ତାଙ୍କର ଜୀବନ ନିଶ୍ଚୟ ନେଇଯିବ । ସୁଲତାନଙ୍କ ନିକଟରୁ ଖସିବା ଆଉ ସହଜ ହେବନି । ତେଣୁ ଇଣ୍ଡିଆର ଜ୍ୟୋତିଷ ଚିନ୍ତା କରି ଯୁଦ୍ଧ ବନ୍ଦ କରିବାର ଉପାୟଟିଏ ବାଛିଲେ । ତାପରେ ସେ କହିଲେ – “ହଜୁର, ମୁଁ କାଲି ସକାଳୁ ମଙ୍ଗୋଲୀୟମାନଙ୍କ ଉପରେ ଆକ୍ରମଣ କରିବି । ଏଥିଲାଗି ମୋର ମାତ୍ର ଦଶ ଜଣ ସୈନିକ ଦରକାର ।” ଆରବ ସୁଲତାନ ଇଣ୍ଡିଆର ଜ୍ୟୋତିଷଙ୍କ ଏଭଳି କଥା ଶୁଣି ଖାଲି ହସିବାକୁ ଲାଗିଲେ । କହିଲେ – ‘କେଡେ ନିର୍ବୋଧ ଓ ବୋକା ତୁମେ । ସାମାନ୍ୟ ଜ୍ୟୋତିଷଟାଏ ତୁମେ । ମାତ୍ର ଦଶ ଜଣ ସୈନିକ ନେଇ ସେ ମଙ୍ଗୋଲୀୟ ସେନାଙ୍କୁ ହରାଇବାର ସ୍ୱପ୍ନ ଦେଖୁଛ ।’
ତାପରେ ସେ ଇଣ୍ଡିଆର ଜ୍ୟୋତିଷ ଆରବ ସୁଲତାନଙ୍କୁ କହିଲେ – “ହଜୁର, ଆଉ କାଳ ବିଳମ୍ବ କରନ୍ତୁ ନାହିଁ । ମୋତେ ମାତ୍ର ଦଶଜଣ ସୈନିକ ଦିଅନ୍ତୁ । ମୁଁ ଏହି କ୍ଷଣି ମଙ୍ଗୋଲ ଅଭିମୁଖେ ବାହାରିଯିବି ।” ଏଣେ ସେ ଆରବ ଜ୍ୟୋତିଷ ଇଣ୍ଡିଆର ଜ୍ୟୋତିଷଙ୍କର ଏଭଳି ମୂର୍ଖାମିରେ ଆଉ କିଛି ବି ସନ୍ଦେହ ପ୍ରକଟ କଲେ ନାହିଁ । ତେଣୁ ସେ ଆରବ ଜ୍ୟୋତିଷ ବି ସୁଲତାନଙ୍କୁ କହିଲେ – “ହଜୁର, ଇଣ୍ଡିଆର ଜ୍ୟୋତିଷ ଯାହା ବି ଚାହୁଁଛନ୍ତି ତାହା ହିଁ ହଉ ।”