ଏଭଳି କଥା ଶୁଣି ରାଜା ଆଦିତ୍ୟକୁମାର ଗମ୍ଭୀର ଦେଖାଗଲେ । ଯେତେହେଲେ ସେ ଜଣେ ଅତ୍ୟନ୍ତ ଉତ୍ସାହୀ ଯୁବକ ଥିଲେ । ହଠାତ୍ ସେ ଗୋଟାଏ ଏପରି ସିଦ୍ଧାନ୍ତ ନେଲେ ଯାହା ପରିପକ୍ୱ ମନର ପରିଚୟ ନୁହେଁ ଠିକ୍, ତେବେ ରାଜାମାନେ ଏପରି କରିବା ତ ଅତି ସାଧାରଣ କଥା । ସେ ନିଜେ ସୈନ୍ୟବାହିନୀ ପଠାଇ ସେ ଉପତ୍ୟକା ଅଧିକାର କରିବାକୁ ଉଦ୍ୟମ କଲେ । ରୁଦ୍ରପୁର ରାଜ୍ୟର ସୈନ୍ୟଦଳ ଆସି ଚନ୍ଦ୍ରଗିରିର ଆକ୍ରମଣକାରୀ ବାହିନୀକୁ ସାମ୍ନା କଲେ । କିନ୍ତୁ ସେମାନେ ପରାସ୍ତ ହେଲେ । କାରଣ ଏଭଳି ଆକ୍ରମଣ ପାଇଁ ସେମାନେ ଆଦୌ ପ୍ରସ୍ତୁତ ନଥିଲେ । ଉପତ୍ୟକା ଚନ୍ଦ୍ରଗିରି ରାଜ୍ୟ ସହିତ ସାମିଲ୍ ହେଲା ।
ରୁଦ୍ରପୁରର ରାଜା ସୌମ୍ୟଦେବ ଏଥିରେ ଭୀଷଣ ବ୍ୟଥା ଓ ଅପମାନ ପାଇଲେ । ସେ ନିଜ ମନ୍ତ୍ରୀମଣ୍ଡଳ ସହ ପରାମର୍ଶ କରି ନିଜ ସୈନ୍ୟବାହିନୀକୁ ସୁସଂଗଠିତ କରିବାରେ ମନ ଦେଲେ । ତାଙ୍କ ଉଦ୍ଧେଶ୍ୟ ହେଲା ଯଥା ସମୟରେ ଚନ୍ଦ୍ରଗିରି ଆକ୍ରମଣ କରି ରାଜା ଆଦିତ୍ୟକୁମାରଙ୍କୁ ପରାସ୍ତ କରି ସେ ଦଖଲ କରିଥିବା ଉପତ୍ୟକା ପୁଣି ଫେରାଇ ଆଣିବା ।
ରାଜା ସୌମ୍ୟଦେବଙ୍କର ଜଣେ ଗୁଣବତୀ, ରୂପବତୀ କନ୍ୟା ଥିଲେ । ଜ୍ୟୋତିଷମାନେ କହିଲେ କି ସେହି ବର୍ଷ ତାଙ୍କର ବିବାହ ସକାଶେ ଅତ୍ୟନ୍ତ ଶୁଭ ସମୟ । ରୁଦ୍ରପୁରର ପରମ୍ପରା ଅନୁସାରେ ସ୍ୱୟମ୍ଭର ସଭାରେ ରାଜକନ୍ୟାମାନେ ନିଜଲାଗି ପତି ବରଣ କରିଥାନ୍ତି । ରାଜା ବରପାତ୍ର ହେବା ଭଳି ଉପଯୁକ୍ତ ରାଜା ଓ ରାଜକୁମାରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀମଣ୍ଡଳକୁ ନିର୍ଦ୍ଧେଶ ଦେଲେ । ମନ୍ତ୍ରୀମାନେ ତାଲିକା ପ୍ରସ୍ତୁତ କରି ତାଙ୍କ ଅନୁମୋଦନ ପାଇଁ ତାଙ୍କୁ ଦେଲେ । ସେ ତାଲିକା ପଢି କହିଲେ, “ଆପଣମାନେ ଚନ୍ଦ୍ରପୁରର ରାଜା ଆଦିତ୍ୟକୁମାରଙ୍କ ନାମ କାହିଁକି ଏଥିରୁ ବାଦ୍ ଦେଲେ?”
ରାଜାଙ୍କ ଏ ପ୍ରଶ୍ନ ମନ୍ତ୍ରୀମାନଙ୍କୁ ଅତ୍ୟନ୍ତ ବିସ୍ମିତ କଲା । ସେମାନେ ସଙ୍ଗେ ସଙ୍ଗେ ତାଲିକାରେ ଆଦିତ୍ୟକୁମାରଙ୍କ ନାମ ଯୋଡିଲେ ଓ ତାଙ୍କ ପାଖକୁ ନିମନ୍ତ୍ରଣ ଗଲା ।
ସ୍ୱୟମ୍ଭର ସଭା ପୂର୍ବରୁ ରାଜା ଆଦିତ୍ୟକୁମାର ଆସି ଉପସ୍ଥିତ ହେଲେ ଓ ଯଥା ବିହିତ ସମ୍ମାନ ପାଇଲେ । ଉପସ୍ଥିତ ରାଜନ୍ୟମଣ୍ଡଳୀ ଆଗରେ ରୁଦ୍ରପୁରର ଶ୍ରେଷ୍ଠ ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରିବା ପୂର୍ବରୁ ମୃଦୁମୃଦୁ ସଙ୍ଗୀତ ଓ ବାଦ୍ୟ ବାଜିବା ଭିତରେ ରାଜକୁମାରୀ ତାଙ୍କ ସଖୀମାନଙ୍କ ଗହଣରେ ସ୍ୱୟମ୍ଭର ସଭାରେ ଆସି ଉପସ୍ଥିତ ହେଲେ । ମୁଖ୍ୟସଖୀ ତାଙ୍କୁ ରାଜା ଓ ରାଜକୁମାରମାନଙ୍କ ସହ ପରିଚୟ କରାଇ ଦେଉଥାନ୍ତି । ରାଜକୁମାରୀ ଯେତେବେଳେ ରାଜା ଆଦିତ୍ୟକୁମାରଙ୍କ ପରିଚୟ ପାଇଲେ, ସେ ସଲଜ୍ଜ ଭାବରେ ହସି ତାଙ୍କ କଣ୍ଠରେ ନିଜ ବରଣମାଳା ଦେଲେ ।
ଏହା ଦେଖି ସମସ୍ତେ ବିସ୍ମିତ ହେଲେ । ରାଜା ସୌମ୍ୟଦେବ ସଙ୍ଗେ ସଙ୍ଗେ ଆସି ଭାବି-ଜାମାତାଙ୍କୁ ଅଭିବାଦନ ଓ ଆଶୀର୍ବାଦ କଲେ । ଯଥାରୀତି ବିବାହ ସମ୍ପନ୍ନ ହେଲା ଓ ସସ୍ତ୍ରୀକ ରାଜା ଆଦିତ୍ୟକୁମାର ଚନ୍ଦ୍ରଗିରି ବାହୁଡିଗଲେ ।
ଏଇଭିତରେ କେଇମାସ ବିତିଗଲା । ହଠାତ୍ ଦିନେ ରାଜା ସୌମ୍ୟଦେବ ତାଙ୍କ ସେନାପତିଙ୍କୁ ଡକାଇ କହିଲେ, “ବର୍ତ୍ତମାନ ଚନ୍ଦ୍ରଗିରି ଅଭିମୁଖେ ଯୁଦ୍ଧ ଯାତ୍ରା କରିବାକୁ ପ୍ରସ୍ତୁତ?”
ଏକଥା ଶୁଣି ସେନାପତି ଅବାକ୍ ହୋଇ ରହିଲେ ଓ କହିଲେ, “ମହାରାଜ! ମୁଁ ତ ଭାବିଥିଲି ଯେ, ତା’ର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି!”
ରାଜା ପଚାରିଲେ “ସେକଥା ତୁମେ କିପରି ଭାବିଲ? ଆମ ରାଜ୍ୟର ଏକ ଅଂଶ ଅନ୍ୟାୟ ଭାବରେ ଆଉ ଏକ ରାଜ୍ୟ ଦଖଲ କରି ନେଇଛି । ଆମେ କ’ଣ ତାକୁ ଆଉ ମୁକ୍ତ କରି ଆଣିବା ନାହିଁ?”
ସେନାପତି ରାଜାଙ୍କୁ ଆଉ କିଛି ନକହି ସେଠାରୁ ଚାଲିଗଲେ ଓ ଯୁଦ୍ଧ ସକାଶେ ପ୍ରସ୍ତୁତ ହେଲେ ।
ରାଜା ଆଦିତ୍ୟକୁମାର ଚରମାନଙ୍କଠାରୁ ଏ ସମ୍ବାଦ ପାଇଲେ । ତାଙ୍କ ଦୂତ ଆସି ରାଜା ସୌମ୍ୟଦେବଙ୍କୁ ଭେଟି ଜଣାଇଲା, ଅରଣ୍ୟର ସେ ଉପତ୍ୟକା ଏଣିକି ଚନ୍ଦ୍ରଗିରି ଅଧୀନରେ ନାହିଁ କି ସେଠାରେ ଆମର କୌଣସି ସୈନ୍ୟ ବି ଆଉ ନାହାଁନ୍ତି । ତାହା ସବୁଦିନ ଭଳି ରୁଦ୍ରପୁରର ଅଂଶ ବିଶେଷ ।”
ରାଜା ଦୂତକୁ ସମ୍ମାନ ଜଣାଇ ଉପଯୁକ୍ତ ପୁରସ୍କାର ଦେଇ ଫେରାଇ ପଠାଇଲେ । ଯୁଦ୍ଧର ଆବଶ୍ୟକତା ନ ପଡିବାରୁ ରାଜ୍ୟବାସୀ ସମସ୍ତେ ବହୁତ ଖୁସି ହେଲେ ।
ବେତାଳ ଟିକିଏ ଚୁପ୍ ରହି ହଠାତ୍ ନିଜ କଣ୍ଠସ୍ୱର ତୀବ୍ର କରି ପ୍ରଶ୍ନ କଲା: “ରାଜା! ମୋର କେତେକ ସନ୍ଦେହ ରହିଛି । ପ୍ରଥମ କଥା, ରାଜା ସୌମ୍ୟଦେବ ତାଙ୍କ ଶତ୍ରୁ ରାଜା ଆଦିତ୍ୟକୁମାରଙ୍କୁ ସ୍ୱୟମ୍ବର ପାଇଁ ନିମନ୍ତ୍ରଣ କଲେ କିପରି? ରାଜକୁମାରୀ ବା ତାଙ୍କୁ କିପରି ବରଣ କଲେ? ସେ କ’ଣ ଏହା ଜାଣି ନଥିଲେ ଯେ ଆଦିତ୍ୟକୁମାର ତାଙ୍କ ପିତାଙ୍କ ଶତ୍ରୁ ବୋଲି? ତାଠୁବି ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ରାଜା ସୌମ୍ୟଦେବ ତାଙ୍କ କନ୍ୟା ଆଦିତ୍ୟକୁମାରଙ୍କୁ ସମର୍ପଣ କରିବାକୁ କୁଣ୍ଠାବୋଧ କଲେ ନାହିଁ, ସେ ପୁଣି ଚନ୍ଦ୍ରଗିରି ବିରୁଦ୍ଧରେ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିଲେ କିପରି? ରାଜା ଆଦିତ୍ୟକୁମାର ଉପତ୍ୟକା କାହିଁକି ବା ଫେରାଇ ଦେଲେ? ରାଜା! ପାରିଲେ ମୋର ଏସବୁ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ଯଦି ତମେ ନିରୁତ୍ତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ସ୍ୱୟମ୍ବରର ଉଦ୍ଧେଶ୍ୟ ହେଲା କନ୍ୟାକୁ ତା’ ନିଜ ସ୍ୱାଧୀନ ଇଚ୍ଛାରେ ବର ନିର୍ବାଚନର ସୁଯୋଗ ଦେବା । କନ୍ୟାପିତା ଯଦି ଜଣେ ଯୋଗ୍ୟ ପାତ୍ରକୁ ନ ଡାକିବେ, ତେବେ ସେ ତାଙ୍କ କନ୍ୟାର ସ୍ୱାଧୀନତା ସଙ୍କୁଚିତ କରିଦେଲେ ବୋଲି ଜାଣିବାକୁ ହେବ । ସେ କ୍ଷେତ୍ରରେ ସେ ନିଜେ ବର ଠିକ୍ କଲେ ଚଳନ୍ତା । ସ୍ୱୟମ୍ବରର କ’ଣ ଆବଶ୍ୟକତା? ବିବେକୀ ରାଜା ସୌମ୍ୟଦେବ ଜାଣିଥିଲେ ଯେ ଆଦିତ୍ୟକୁମାର ତାଙ୍କ ପ୍ରତି ଅନ୍ୟାୟ କରିଥିଲେ ସୁଦ୍ଧା ସେ ଜଣେ ଦକ୍ଷ ଶାସକ ଓ ଉପଯୁକ୍ତ ପାତ୍ର ମଧ୍ୟ । ତେଣୁ ସେ ତାଙ୍କୁ ନିମନ୍ତ୍ରଣ କଲେ । ରାଜକୁମାରୀ ବୁଦ୍ଧିମତୀ । ଶତ୍ରୁ ହୋଇଥିବା ସତ୍ତ୍ୱେ ଯିଏ ବାପାଙ୍କଠୁଁ ନିମନ୍ତ୍ରଣ ପାଇଲେ, ସେ ଯେ ଜଣେ ବିଶେଷ ଯୋଗ୍ୟ ବ୍ୟକ୍ତି, ଏହା ସେ ବୁଝିଲେ ଓ ତେଣୁ ତାଙ୍କୁ ବରଣମାଳା ଦେଲେ । ରାଜା ସୌମ୍ୟଦେବ ନିଜ ରାଜ୍ୟର ରକ୍ଷକ । ଯାହା ରାଜ୍ୟର ଅଂଶ, ତାକୁ ମୁକ୍ତ କରିବା ତାଙ୍କର ଧର୍ମ । ତେଣୁ ସେ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିଲେ । ଇତିମଧ୍ୟରେ ରାଜା ଆଦିତ୍ୟକୁମାର ନିଜ ଭୁଲ୍ ବୁଝି ପାରିଥିଲେ । ନିଜ ଭୁଲ୍ ସ୍ୱୀକାର କରି ତାକୁ ସୁଧାରିବା ହେଉଛି ଜଣେ ବିଜ୍ଞ ବ୍ୟକ୍ତିର କର୍ମ । ତେଣୁ ରାଜା ଆଦିତ୍ୟକୁମାର ଉପତ୍ୟକାରୁ ନିଜ ସୈନ୍ୟ ହଟାଇ ନେଲେ ଓ ପୂର୍ବପରି ତାହା ରୁଦ୍ରପୁରର ଅଂଶ ବିଶେଷ ହୋଇ ରହିବାର ପଥ ପ୍ରଶସ୍ତ କରିଦେଲେ ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।