ସେଦିନ ସୁରେନ୍ଦ୍ରଙ୍କର ଏଭଳି ଉତ୍ତରରେ ତାଙ୍କର ବାପା ଅତ୍ୟନ୍ତ ଉତ୍ତେଜିତ ହୋଇଯାଇଥିଲେ ବି ସୁରେନ୍ଦ୍ର ଡରି ନଯାଇ ପୁନଶ୍ଚ କହିଥିଲେ, “ମୁଁ ଠିକ୍ କଥା କହିଛି ବାପା, ଧନୀ-ଗରିବ, ଉଚ୍ଚ ଜାତି-ନୀଚ ଜାତି ଓ ବ୍ରାହ୍ମଣ-ଅଚ୍ଛବ ସମସ୍ତେ ମଣିଷ । ସଭିଏଁ ଆମର ପ୍ରଜା । ସେଇମାନେ ତ ଆମର ବଳ । ଆପଣ ସମସ୍ତଙ୍କୁ ସମାନ ଆଖିରେ ଦେଖିବା ଉଚିତ୍ ।” ଏହି ଉକ୍ତିରୁ ସୁରେନ୍ଦ୍ର ସାଏ ଜାତିଭେଦ ପ୍ରଥାକୁ ଘୋର ବିରୋଧ କରୁଥିବା ସ୍ପଷ୍ଟ ଜଣାପଡେ ।
ଠିକ୍ ସେହିଭଳି ଅନୁରୂପ ବିଚାରଧରୋର ଥିଲେ ନେତାଜୀ ସୁଭାଷ । ତାଙ୍କୁ ଛାତ୍ର ଜୀବନରୁ ହିଁ ଓଡିଶାର ଗ୍ରାମୀଣ ଜୀବନର ଦୁଃଖ ଦୁର୍ଦ୍ଦଶା ଅତ୍ୟନ୍ତ ବିଚଳିତ କରିଦେଇଥିଲା । ସୁଭାଷ କହିଥିଲେ, “ଓଡିଶାରେ ଗୋଟିଏ ସପ୍ତାହର ଅଭିଜ୍ଞତା ଫଳରେ ମୁଁ ପ୍ରକୃତ ଇଣ୍ଡିଆ ଦେଖିବାର ସୁଯୋଗ ପାଇଥିଲି । କାହିଁକିନା ଗାଁକୁ ନେଇ ହିଁ ଇଣ୍ଡିଆ । ସେଠାରେ ଦାରିଦ୍ର୍ୟର ଅବାଧ୍ୟ ରାଜତ୍ୱ । ଲୋକମାନେ ପୋକମାଛି ପରି ମରନ୍ତି । ସେମାନଙ୍କ ମଧ୍ୟରେ ଶିକ୍ଷାର ଘୋର ଅଭାବ ଥାଏ ।”
ସୁଭାଷଙ୍କର ଜାତିଭେଦ ପ୍ରଥା ପ୍ରତି ଅସୀମ ଘୃଣା ଥିଲା । ଭେଦଭାବଠାରୁ ଊଦ୍ଧ୍ୱର୍ରେ ରହି ଗୋଟିଏ ସମୃଦ୍ଧ ଦେଶଗଠନର ଅଭିଳାଷ ତାଙ୍କୁ ଅହରହ ଉଦ୍ବେଳିତ କରିଥିଲା ।
ବୀର ସୁରେନ୍ଦ୍ରଙ୍କୁ ରାଜଗାଦିର ମୋହ ମୋଟେ ବାନ୍ଧିରଖି ପାରିନଥିଲା । ସେ ଜମିଦାର ଗୋବନ୍ଦସିଂହଙ୍କ ମୁହଁରେ ନିର୍ଭୟର ସହିତ ଘୋଷଣା କରିଥିଲେ ଯେ, “ଇଂରେଜମାନେ ବିଦେଶୀ । ସେମାନେ ବେପାରୀ ଜାତି । କିନ୍ତୁ ଆଜି ସେମାନେ ଆମର ପ୍ରଭୁ । ସେମାନଙ୍କ ଇଚ୍ଛାରେ ଆମ ଇଣ୍ଡିଆ ଶାସନ ଚାଲିଛି । ସେମାନେ ଆମ ଦେଶକୁ ଶୋଷଣ କରୁଛନ୍ତି । ଆମେ ପରାଧୀନ । ଆମେ କଳାଲୋକ ବୋଲି ସେମାନେ ଆମକୁ ଘୃଣା କରୁଛନ୍ତି । ସେମାନଙ୍କ ଆଗରେ ଆମର ମୁହଁ ଖୋଲିବାକୁ ସାହସ ନାହିଁ ।”
ଜମିଦାର ଗୋବିନ୍ଦସିଂହ ସୁରେନ୍ଦ୍ରଙ୍କ ମୁହଁରୁ ଏକଥା ଶୁଣି ଆଶ୍ଚର୍ଯ୍ୟରେ ଚାହିଁ ରହିଥିଲେ । ପଚାରିଲେ, “ତୁମେ ଏ ସବୁ କ’ଣ କହୁଛ ସୁରେନ୍ଦ୍ର?”
ସୁରେନ୍ଦ୍ର ଉତ୍ତର ଦେଲେ, “ମୁଁ ଠିକ୍ କହୁଛି । ମୁଁ ରାଜା ହେବା ପାଇଁ ଆଦୌ ଆଗ୍ରହୀ ନୁହେଁ । ଇଂରେଜମାନଙ୍କୁ ଆମ ଦେଶରୁ ତଡିବାକୁ ହେବ । ସେମାନଙ୍କ ସହିତ ଲଢେଇ କରିବାକୁ ପଡିବ । ବରଂ ଆପଣଙ୍କ ଅଧୀନରେ ମୁଁ ଜଣେ ପାଇକ ହେବି । ମାତ୍ର ଇଂରେଜ ଅଧୀନରେ ଜଣେ ରାଜା ହେବାକୁ ମୁଁ କଦାପି ମଧ୍ୟ ଚାହେଁ ନାହିଁ ।”
ସୁଭାଷ ବୋଷ ମଧ୍ୟ ଚାହିଁ ନ ଥିଲେ ଇଂରେଜ ସରକାରଙ୍କ ଅଧୀନରେ ରହି ଗୋଲାମଗିରି କରିବାକୁ । ସେ କହିଥିଲେ “ଇଣ୍ଡିଆକୁ ଆଧୁନିକ ସଭ୍ୟ ଦେଶରେ ପରିଣତ କରିବାକୁ ହେଲେ ସମସ୍ତଙ୍କୁ ଏକଜୁଟ୍ କରି ସଂଗ୍ରାମ କରିବାକୁ ପଡିବ । ପ୍ରଥମେ ରାଜନୈତିକ ସ୍ୱାଧୀନତା ଦରକାର । ଏକ ମୁକ୍ତ ଜାତି ଓ ଦେଶକୁ ସ୍ୱାଧୀନତାର ସୁରକ୍ଷା ପାଇଁ ସାମରିକ ଶକ୍ତି ଠୁଳ କରିବାକୁ ପଡିବ ।”
ସେଇଥିପାଇଁ ସୁଭାଷ “ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ (ଆଇ.ସି.ଏସ୍.) ର ମେଧା ତାଲିକାର ଚତୁର୍ଥ ସ୍ଥାନରେ ରହି ମଧ୍ୟ ଏତେ ବଡ ପଦକୁ ସେ ତୁଚ୍ଛ କରି ଦେଇଥିଲେ । ଗୋଲାମି କରି ଅର୍ଥ ରୋଜଗାରର ଲାଳସା ତାଙ୍କୁ ଗ୍ରାସ କରିପାରି ନଥିଲା ।”
ଏହି ଦୁଇ ନେତା ଆତ୍ମବଳିଦାନର ଯେଉଁ ଉଦାହରଣ ସୃଷ୍ଟି କରିଯାଇଛନ୍ତି ତା’ର କୌଣସି ପଟାନ୍ତର ନାହିଁ । ଉଭୟେ ବରଦାସ୍ତ କରିପାରିନଥିଲେ ଗୋଟିଏ ବର୍ବର ବିଦେଶୀ ଶାସନକୁ । ଗୋଟିଏ ଅତ୍ୟାଚାରୀ ସରକାର ବିରୋଧରେ ସେମାନଙ୍କର ରକ୍ତ ସତେ ଯେମିତି ତାତି ଉଠିଥିଲା । ଉଭୟେ ଥିଲେ ଗୋଟିଏ ଗୋଟିଏ ଜ୍ୱଳନ୍ତ ଅଗ୍ନିଶିଖା ।
ସଂଗ୍ରାମର କଂଟକିତ ପଥକୁ ଆଦରି ନେଇ ବୀର ସୁରେନ୍ଦ୍ର ଓ ନେତାଜୀ ସୁଭାଷ ଏ ଦେଶପାଇଁ ଯେଉଁ ତ୍ୟାଗ, ଉତ୍ସର୍ଗର ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଯୁଗଯୁଗ ପାଇଁ ସେମାନଙ୍କୁ ଅମର କରି ରଖିଥିବ ।