ଶେଷକୁ ଅବସ୍ଥା ଏପରି ହେଲା ଯେ ଜୟନାଥ ଘରେ ଆଉ ଚୁଲି ବି ଜଳିଲା ନାହିଁ । ଦିନେ ତା’ସ୍ତ୍ରୀ ତାକୁ ଖୁବ୍ କଟୁକଥା କହିଲା । ତା’ପରେ ସେ ରାଗିଯାଇ ଘରୁ ଚାଲିଗଲା । ସହରକୁ ଯାଇ କିଛି ବେପାର କରିବା ପାଇଁ ସେ ଚେଷ୍ଟା କଲା । କିନ୍ତୁ ମୂଳଧନ ଦେବ କିଏ? ସେଥିରେ ବି ହତାଶ ହୋଇ ସେ ଗୋଟିଏ ବଣ ଭିତରେ ପଶିଲା । ଆତ୍ମହତ୍ୟା କଲେ କିପରି ହୁଅନ୍ତା? ଏହା ଭାବି ସେ ଗୋଟାଏ ଗଛରେ ଲଟା ଦେଇ ଫାସଟିଏ ତିଆରି କଲା ।
ଠିକ୍ ସେତିକିବେଳେ ଗୋଟିଏ ରାକ୍ଷସ ଦୂରରୁ ତାକୁ ଦେଖି ପାଟି କରି କହିଲା, “ଆରେ ଟୋକା, କ’ଣ କରୁଛ? ଆତ୍ମହତ୍ୟା କରୁନାହଁ ତ? ଆତ୍ମହତ୍ୟା ମହାପାପ । ତୋର ଯଦି କିଛି ସମସ୍ୟା ଅଛି, ତ କହ । ମୁଁ ତୋତେ ନିଶ୍ଚୟ ସାହାଯ୍ୟ କରିବି ।”
ଜୟନାଥ ଏହାଶୁଣି ପ୍ରଥମେ ଡରିଗଲା, କିନ୍ତୁ ନିଜକୁ ସମ୍ଭାଳିନେଲା । ହଠାତ୍ ଜୟନାଥ ମୁଣ୍ଡକୁ ଗୋଟାଏ ଦୁର୍ବୁଦ୍ଧି ଆସିଲା । ସେ ଭାବିଲା, ରାକ୍ଷସମାନଙ୍କ ପାଖରେ ତ ବହୁତ ସୁନା ରୂପା ଥାଏ । ରାକ୍ଷସ ଯେଉଁ ଗୁମ୍ଫାରୁ ବାହାରିଲା, ସେହି ଗୁମ୍ଫା ଭିତରେ ସେସବୁ ଥିବ । ତାକୁ ମାରିନେବାକୁ ହେବ । ତେଣୁ ସେ ରାକ୍ଷସକୁ କହିଲା, “କଥା କ’ଣ କି, ଆଜି ଗୋଟିଏ ବିଶେଷ ଦିନ । ଆଜି ଫାସି ଲଗାଇ ଝୁଲି ପଡିଲେ ପୂର୍ବପୁରୁଷମାନଙ୍କ ସହ କଥାବାର୍ତ୍ତା କରିହୁଏ । ”
“ସତେ? ରହ, ରହ, ମୁଁ ଟିକିଏ ଝୁଲିପଡି ମୋ ବାପା ଓ ଜେଜେବାପାଙ୍କ ସହ କଥାବାର୍ତ୍ତା କରି ନିଏ ।” ଏହା କହି ରାକ୍ଷସ ଫାସିରେ ଝୁଲିପଡିଲା । ତା’କଣ୍ଠରୋଧ ହୋଇ ଆସିଲା । କିନ୍ତୁ କାହିଁ ପୂର୍ବପୁରୁଷ ତ ଦେଖା ଦେଲେ ନାହିଁ । ତେଣେ ଅଳ୍ପ ଦୂରରେ ଠିଆ ହୋଇ ଜୟନାଥ ହସୁଥାଏ ।
ରାକ୍ଷସର ଭାଗ୍ୟ ଭଲ । ଡାଳଟି ତା’ ଓଜନ ଯୋଗୁଁ ଭାଙ୍ଗି ପଡିଲା । ଜୟନାଥ ତାକୁ ବୋକା ବନାଇଲା ବୋଲି ସେ ବୁଝିପାରିଲା । ତଳେ ପଡି ସେ ଉଠି ପାରୁ ନଥାଏ । କିନ୍ତୁ ପାଖରୁ ପଥର ଗୋଟାଇ ସେ ରାକ୍ଷସ ଜୟନାଥ ଆଡେ ଫୋପାଡିଲା । ଜୟନାଥ ଦେହରେ ସେ ପଥର ବାଜିଥିଲେ ସେ ତ ଅବଶ୍ୟ ମରିଯାଇଥାନ୍ତା । କିନ୍ତୁ ସେ ଅଳ୍ପକେ ବର୍ତ୍ତୀଗଲା ଓ ଗୋଟାଏ କଂଟା ବୁଦା ଭିତରେ ଯାଇ ସେ ପଶିଗଲା । ଫଳରେ ତା’ ଦେହଯାକ କଂଟା ଲାଗି ଖଣ୍ଡିଆ ଖାବରା ହୋଇଗଲା । ଏଣେ ଏ ରାକ୍ଷସ ରଡି କରି କହିଲା, “ମଣିଷଙ୍କୁ ବିଶ୍ୱାସ ନାହିଁ । ଏଣିକି ମୁଁ ଯାହାକୁ ଦେଖିବି, ତାକୁ ମୁଁ ଖାଇଦେବି ।”
ଏହି ଘଟଣା ପରେ ଜୟନାଥ ଘରେ ଆସି ପହଁଚି ତା’ ସ୍ତ୍ରୀକୁ ସବୁ କଥା କହିଲା । ସବୁଶୁଣି ତା’ ସ୍ତ୍ରୀ ମୁହଁରେ ଫୁଲ ଫୁଟି ଉଠିଲା । ସେ କହିଲା, “ତମକୁ ଅବଶ୍ୟ କଷ୍ଟ ହେଲା, କିନ୍ତୁ ଏଥିରୁ ଆମେ ଲାଭ ଉଠାଇବା ।” ଏହା କହି ସେ ବିଶ୍ୱନାଥ ଘରକୁ ଯାଇ ତା’ସ୍ତ୍ରୀକୁ କହିଲା, “ଭଉଣୀ, ବଣ ଭିତରେ ଗୋଟିଏ ରାକ୍ଷସ ଅଛି । ସେ ମୋ ସ୍ୱାମୀକୁ କିଛି ସୁନାଗୁଣ୍ଡ ଦେଇଛି । ଆମେ ତାକୁ ବିକିବା ପୂର୍ବରୁ ଓଜନ ତ କରିବା ନିହାତି ଦରକାର । ତେଣୁ ତମର ସେ ସେରିକିଆ ଡବାଟି ଦିଅ ।”