ବରଲକ୍ଷ୍ମୀ ଓ ଧନଲକ୍ଷ୍ମୀ ଦୁଇ ଭଉଣୀ; ବୟସରେ ସେମାନେ ବର୍ଷେ ସାନବଡ; ସେଥିପାଇଁ ସେଦୁହେଁ ସାଙ୍ଗପରି ଚଳନ୍ତି । କିନ୍ତୁ ସାନ ଭଉଣୀ ମଧ୍ୟରେ ଈର୍ଷ୍ୟା, ଅହଂକାର, ଅସହନଶୀଳତା ବେଶି ଦେଖାଯାଏ ।
ସେ ଦୁଇଭଉଣୀ ମଧ୍ୟରେ ସାନ ଅଧିକ ସୁନ୍ଦର ଥିଲ । ଜଣେ ଧନୀ ଯୁବକ ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବିବାହ କରିବାକୁ ସ୍ଥିରକଲା; କିନ୍ତୁ ବଡ ଭଉଣୀ ବାହା ନ ହେଲେ ସାନ ଭଉଣୀ କିପରି ବାହା ହେବ ବୋଲି ତାଙ୍କ ବାପମା’ ଜଣେ ଯୁବକକୁ ବଡଝିଅ ପାଇଁ ସ୍ଥିର କଲେ; ସେ ଦେଖିବାକୁ ସୁନ୍ଦର ନୁହେଁ ବା ଅସୁନ୍ଦର ମଧ୍ୟ ନୁହେଁ । ରାଜାଙ୍କ ଦରବାରରେ ସେ କାମ କରୁଥାଏ ।
ଦୁଇଭଉଣୀ ବିବାହ ପରେ ଶାଶୁଘରକୁ ଗଲେ । ସେଠାରେ ସେମାନେ ଘର ଦ୍ୱାର କରି ରହିଲେ । ଧନଲକ୍ଷ୍ମୀ ଆନନ୍ଦରେ ଥାଏ; କିନ୍ତୁ ଖବର ରଖୁଥାଏ ବଡଭଉଣୀ କିପରି ଅଛି । ସେ ଶୁଣିବାକୁ ପାଇଲା ବଡଭଉଣୀକୁ ତା’ ଶାଶୁଘର ଲୋକେ ବହୁତ ଭଲ ପାଉଛନ୍ତି । ସେ ଅତି ଆନନ୍ଦରେ ଅଛି । ଏକଥା ଶୁଣି ତା’ମନରେ ଈର୍ଷ୍ୟା ହେଲା; ସେ ଦିନେ ତା’ର ସ୍ୱାମୀକୁ କହିଲା, “ଚାଲ ଥରେ ଦିଦି ଘରେ ବୁଲି ଆସିବା, ଆମେ ଧନୀ ହେଲେ କ’ଣ ହେଲା, ସେ କିନ୍ତୁ ବଡ ସନ୍ତୋଷରେ ଅଛି ।”
ବରଲକ୍ଷ୍ମୀର ଘର ଛୋଟ; ପୁଣି ସେଥିରେ ମୂଲ୍ୟବାନ୍ ଜିନିଷ ବୋଲି କିଛି ନାହିଁ । ଚାକରବାକର ତ ଆଦୌ ନାହାଁନ୍ତି । ଏସବୁ ସତ୍ତ୍ୱେ ସିଏ କିପରି ଆନନ୍ଦରେ ରହିଛନ୍ତି, ସେକଥା, ଧନଲକ୍ଷ୍ମୀ ଓ ତା’ର ସ୍ୱାମୀ ଭାବି ପାରିଲେ ନାହିଁ ।
ବରଲକ୍ଷ୍ମୀର ସ୍ୱାମୀ ଭାଗବତ ପଢନ୍ତି ଓ ସେହିଗଳ୍ପ ସବୁ ସ୍ତ୍ରୀକୁ ବୁଝାନ୍ତି । ଭାଗବତ ଶୁଣିବାକୁ ବହୁତ ଲୋକ ଆସନ୍ତି ଓ ତାଙ୍କୁ ପ୍ରଶଂସା କରନ୍ତି । ଧନଲକ୍ଷ୍ମୀ ଭାବିଲା କି ତା’ଦିଦିର ଆନନ୍ଦ ଓ ସନ୍ତୋଷର ଏହା ମଧ୍ୟ ଏକ କାରଣ ହୋଇପାରେ । ସେଥିପାଇଁ ସେ ଯିଦି କରି ସ୍ୱାମୀକୁ ସାଙ୍ଗରେ ଧରି ଦିଦିର ଘରକୁ ଗଲା । ପ୍ରଥମ କଥା ତା’ର ଆନନ୍ଦର କାରଣ ସେ ଦେଖିବ, ଦ୍ୱିତୀୟରେ ତାକୁ ସେ ନିଜର ବୈଭବ ଦେଖାଇବ । ଦିନେ ବରଲକ୍ଷ୍ମୀର ସ୍ୱାମୀ ଭାଗବତ ପଢିଲାବେଳେ ଧନଲକ୍ଷ୍ମୀର ସ୍ୱାମୀ ନୂଆ ନୂଆ ବ୍ୟାଖ୍ୟା ସବୁ ମନରୁ କାଢି କହିଲା । ଶ୍ରୋତାମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, “ମହାଶୟ, ଆପଣ ମଧ୍ୟ ସେଠାରେ ଭାଗବତ ଶୁଣାନ୍ତି କି?”
ସେ କହିଲା, “ମୁଁ ତ ଭାଗବତ ଶୁଣାଇବାକୁ ଚାହେଁ, କିନ୍ତୁ ସମୟ ଅଭାବରୁ ପାରେ ନାହିଁ । ମୁଁ ସବୁ ବ୍ୟବସାୟୀମାନଙ୍କୁ କହିଦିଏ କିପରି ବେଶି ରୋଜଗାର ହେବ । ସେମାନେ ମୋ କଥା ମାନି ସବୁ କରିବାରୁ, ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୁଏ । ଭାଗବତ ଜ୍ଞାନ ସିନା ପଠନ ଦ୍ୱାରା ହୁଏ । ମାତ୍ର ବ୍ୟବସାୟ ଜ୍ଞାନ ଜନ୍ମରୁ ଥାଏ ।”
ସମସ୍ତେ ତାଙ୍କର ପ୍ରଶଂସା କଲେ । ବରଲକ୍ଷ୍ମୀର ସ୍ୱାମୀ କହିଲେ, “ଆମର ସମୟ ଅଛି ବୋଲି ଭାଗବତ ବୋଲୁଛୁ ଓ ଶୁଣୁଛୁ । ତାଙ୍କର ସମୟ ତ ବହୁତ ମୂଲ୍ୟବାନ; ଏସବୁ କରିବାକୁ ଫୁରସତ୍ ନାହିଁ ।”
ବରଲକ୍ଷ୍ମୀ ପାଖରେ ଦେବୀଙ୍କର ଏକ ପ୍ରାଚୀନ ମୂର୍ତ୍ତି ଥିଲା । ଦିନେ ସେ ମାଟିରେ ଗାତ ଖୋଳୁ ଖୋଳୁ ତାହା ପାଇଥିଲା । ସେ ମୂର୍ତ୍ତି ଦେଖିବାକୁ ଅତି ସୁନ୍ଦର ଓ ଅଦ୍ଭୁତ । ବହୁତ ଲୋକ କହିଲେ ଯେ ଏହି ମୂର୍ତ୍ତିଙ୍କୁ ପୂଜିଲେ ଧନ ମିଳିବ । ତେଣୁ ସେମାନେ ମୂର୍ତ୍ତି କିଣି ନେବାକୁ ଚାହିଁଥିଲେ । କିନ୍ତୁ ବରଲକ୍ଷ୍ମୀ ତାକୁ ବିକିଲା ନାହିଁ । ସେହି ମୂର୍ତ୍ତି ଦେଖିବାକୁ ଅନେକ ଲୋକ ତା’ଘରକୁ ଆସୁଥା’ନ୍ତି । ଧନଲକ୍ଷ୍ମୀର ମନେହେଲା ଏହି ମୂର୍ତ୍ତି ପାଇଁ ବରଲକ୍ଷ୍ମୀର ବହୁତ ଗର୍ବ ।
ଚାରିଦିନ ରହିବା ପରେ ଫେରିବାବେଳେ ଧନଲକ୍ଷ୍ମୀ ତା’ ଭଉଣୀ ଓ ଭିଣୋଇଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲା । ତା’ ମନରେ ଥାଏ ସେମାନଙ୍କୁ ଡାକି ନିଜର ବୈଭବ ଦେଖାଇବ ।
ବରଲକ୍ଷ୍ମୀ କହିଲା, “ତୁ ପ୍ରଥମେ ମୋ ଘରକୁ ବୁଲି ଆସିଛୁ ମୁଁ ତୋତେ କିଛି ଦେଇ ବିଦାୟ ଦିଅନ୍ତି । କିନ୍ତୁ ତୋ ପରି ଧନୀ ଲୋକର ଯୋଗ୍ୟ ଜିନିଷ ମୁଁ କ’ଣ କେବେବି ଦେଇ ପାରିବି? ଶାଢୀ ଦେଲେ ତ ତୁ ନିଜେ ନ ପିନ୍ଧି ଆଉ କାହାକୁ ଦେଇ ଦେବୁ । ତେଣୁ ଏପରି କିଛି ଜିନିଷ କହ ଯାହାକି ମୁଁ ଦେଇ ପାରିବି ଓ ଖୁସି ହେବି ।” ଧନଲକ୍ଷ୍ମୀ ସଙ୍ଗେସଙ୍ଗେ ଦେବୀମୂର୍ତ୍ତିଟି ମାଗିଲା ଓ ବରଲକ୍ଷ୍ମୀ ବାଧ୍ୟ ହୋଇ ତାକୁ ତାହା ଦେଇଦେଲା ।
ଘରକୁ ଫେରି ଧନଲକ୍ଷ୍ମୀକୁ ତା’ ସ୍ୱାମୀ କହିଲେ, “ତୁମେ, ଦିଦିଙ୍କଠାରୁ ଦେବୀମୂର୍ତ୍ତି ନେଇ ଆସିଲ କାହିଁକି? ସେଥିରେ ତ ତାଙ୍କର ମହାନତା ଆହୁରି ବେଶି ବଢିଯିବ ।”
ଧନଲକ୍ଷ୍ମୀ ହସି ହସି କହିଲା, “ଯେଉଁ ବସ୍ତୁ ମୋ ପାଖରେ ଅଛି, ତାହା ଅନ୍ୟ କାହା ପାଖରେ ମଧ୍ୟ ରହିବା କଥା ନୁହେଁ । ଏହି ଅଦ୍ଭୁତ ମୂର୍ତ୍ତିରୁ ଦିଦିକୁ ବଂଚିତ କଲି । କାରଣ ଏତେ ସୁନ୍ଦର ମୂର୍ତ୍ତି ମୋ ବ୍ୟତୀତ ଆଉ କାହା ପାଖରେ ବି ରହିବା ଆଦୌ ଉଚିତ୍ ନୁହେଁ । ଏବେ ତୁମେ କୁହ ଦିଦିର ମହତ୍ତ୍ୱ ବଢିଲା ନା କମ୍ ହେଲା? ମୁଁ ତ କାହାକୁ ହେଲେ ମଧ୍ୟ କହିବି ନାହିଁ କି ଏହି ମୂର୍ତ୍ତିଟି ମୋତେ ମୋର ଦିଦି ଦେଇଛି ବୋଲି ।”
କିଛି ଦିନ ପରେ ବରଲକ୍ଷ୍ମୀ ଓ ତା’ ସ୍ୱାମୀ ଧନଲକ୍ଷ୍ମୀ ଘରକୁ ଆସିଲେ । ଧନଲକ୍ଷ୍ମୀ ନିଜର ଧନ ଐଶ୍ୱର୍ଯ୍ୟ ଦେଖାଇ ଅହଂକାରରେ ଫାଟୁଥାଏ । କିନ୍ତୁ ବରଲକ୍ଷ୍ମୀ ଭଉଣୀର ଧନ ଦେଖି ଖୁବ୍ ଖୁସି ହେଉଥାଏ । ଏଣେ ଧନଲକ୍ଷ୍ମୀ ଭାବୁଥାଏ ବାହାରେ ଖୁସି ହେଲେ ମଧ୍ୟ ଦିଦି ଭିତରେ ଈର୍ଷ୍ୟାରେ ଖାଲି ଜଳୁଛି ।
ବରଲକ୍ଷ୍ମୀ ଫେରିବା ଦିନ ଜଣେ ବ୍ୟବସାୟୀ ଆସି ପହଁଚି ଧନଲକ୍ଷ୍ମୀକୁ କହିଲା, “ମୋ ପାଖରେ ଦୁଇଟି ମୂଲ୍ୟବାନ୍ ସୁନ୍ଦର ମୋତି ଅଛି, ଗୋଟିକର ଦାମ୍ ଦଶ ହଜାର । ଗୋଟିଏ ଅନ୍ତତଃ ରଖ, ଅନ୍ୟଟିକୁ ମୁଁ କୌଣସି ରାଜାଙ୍କୁ ବିକିବି ।”
ମୋତିଗୁଡିକ ଦେଖି ଧନଲକ୍ଷ୍ମୀ ଭାରି ଖୁସି ହୋଇ କହିଲା, “ଯଦି ଏପରି ମୋତି କେଉଁଠାରେ ନାହିଁ ତ ଏ ଦୁଇଟିଯାକ ମୁଁ ହିଁ କିଣିବି ।”
ବ୍ୟବସାୟୀ ଆଶ୍ଚର୍ଯ୍ୟ ହୋଇ କହିଲା, “ଦୁଇଟା ନେଇ କରିବ କ’ଣ? ହାରରେ ତ ଗୋଟିଏ ଲଗାଇଲେ ଯଥେଷ୍ଟ । ଦ୍ୱିତୀୟଟି ପୁଣି କେଉଁ ହାରରେ ଲଗାଇବ? ମୋ ପାଖରେ ଅଦ୍ଭୁତ ବାରରତ୍ନ ରହିଛି । ବାରଟି ରତ୍ନରେ ଜଡଉ ହୋଇଥିବା ହାରଟି ବଡ ଚମତ୍କାର । ତାକୁ ବି କିଣନା?”
ଧନଲକ୍ଷ୍ମୀ କହିଲା “ବାରଟି ରତ୍ନ ନେଇ ମୁଁ ଏବେ କ’ଣ କରିବି? ମୋତି ଦୁଇଟି କିଣୁଛି କାରଣ, ଏ ମୋତି ଆଉ କାହା ପାଖରେ ନାହିଁ ।” ତା’ପରେ ସେ ବ୍ୟବସାୟୀ ଦୁଇଟି ମୋତି ବିକ୍ରିକରି ସେଠାରୁ ଚାଲିଗଲା ।
ବରଲକ୍ଷ୍ମୀ ଘରକୁ ଫେରିବା ବେଳକୁ ତାକୁ ଧନଲକ୍ଷ୍ମୀ ଶସ୍ତା ଶାଢୀ ଖଣ୍ଡିଏ ଦେଲା । ତା’ପରେ ଧନଲକ୍ଷ୍ମୀର ଆନନ୍ଦ କହିଲେ ନ ସରେ; କାରଣ ସେ ତା’ ବଡ ଉଭଣୀଠାରୁ ସବୁଥିରେ ଅଧିକ । ବର୍ଷକ ଭିତରେ ସେ ବହୁତ ମୋଟା ହୋଇଗଲା । କାରଣ ସଦାବେଳେ ସେ ଖାଲି ଖାଇଲା ଓ ଶୋଇଲା । ତେଣୁ ମନ ମଧ୍ୟରେ ଭୟ ହେଲା ଯେ ତା’ର ସୌନ୍ଦର୍ଯ୍ୟ କାଳେ ନଷ୍ଟ ହୋଇଯିବ ।
“ଏବେ ମୋ ଦିଦି ପତଳା ହୋଇଯିବଣି ଓ ସେ ଅଧିକ ସୁନ୍ଦର ହୋଇ ଯାଇଥିବ ।” ଏଇସବୁ କଥା ଭାବି ସେ ତା’ ମନ ଭିତରେ ବଡ କଷ୍ଟ ପାଇଲା । ନିଜର ମୋଟା ପଣ କମ୍ କରିବା ପାଇଁ ବୈଦ୍ୟକୁ ସେ ଡାକିଲା । ବୈଦ୍ୟ ସମସ୍ତ ପ୍ରକାରର ପରୀକ୍ଷା କରି କହିଲେ, “ମୋଟାପଣ ଯୋଗୁଁ, ନିଶ୍ୱାସ କଷ୍ଟ ହୋଇପାରେ, ଛାତିରେ କଷ୍ଟ ଓ ହାଡସବୁ ଦୁର୍ବଳ ହୋଇଯାଇପାରେ । ତେଣୁ ତୁମକୁ ବ୍ୟାୟାମ କରିବାକୁ ହେବ ଓ ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଶୃଙ୍ଖଳା ମାନିବାକୁ ହେବ ।”
ବୈଦ୍ୟଙ୍କ କଥା ଅନୁସାରେ ସେ ବ୍ୟାୟାମ କଲା ତ ଦୁର୍ବଳ ଲାଗିଲା, ଥକି ପଡିଲା, ନିଶ୍ୱାସ ଜୋର୍ ଜୋର୍ ଚାଲିଲା ଖାଦ୍ୟ କମ୍ ହେବାରୁ ଦୁର୍ବଳ ମନେ ହେଲା । କିନ୍ତୁ ମୋଟା ପ୍ରାୟ କମିଲା ନାହିଁ । ସେ ଭାବିଲା “ସାରା ଜୀବନ ଏମିତି କଷ୍ଟ ପାଇବି ।” ଏହି ଚିନ୍ତା ତା’ ମନରେ ପଶିଲା । ସେ ସଦା ସର୍ବଦା ପଲଙ୍କ ଉପରେ ପଡି ରହିଥାଏ । ତାକୁ ଦେଖିବାକୁ ବରଲକ୍ଷ୍ମୀ ଦିନେ ଆସିଲା । ତାକୁ ଦେଖି ଧନଲକ୍ଷ୍ମୀ ଖୁସି ହୋଇ କହିଲା, “ଆରେ ଦିଦି, ତୁ ଏତେ ମୋଟା କିପରି ହୋଇଗଲୁ?”
ଏକଥା ଶୁଣି ବରଲକ୍ଷ୍ମୀକୁ ମୋଟେ ଭଲ ଲାଗିଲା ନାହିଁ । ସେ ଧନଲକ୍ଷ୍ମୀଙ୍କର ରୋଗ ଓ ତା’ର ସଠିକ୍ କାରଣ ପଚାରିଲା ଓ ସବୁକଥା ବୁଝିଗଲା । ସେ କିଛି ଦିନ ସେଠାରେ ରହିଲା । ଧନଲକ୍ଷ୍ମୀ ଖୁସି ହୋଇ ଭଲ ହୋଇ ଗଲା ଓ ପୁଣି ମୋଟା ହୋଇଗଲା ।
ଦିନେ ବରଲକ୍ଷ୍ମୀର ସ୍ୱାମୀ ତାକୁ କହିଲେ, “ତୁମେ ଏବେ ଟିକିଏ ମୋଟାପଣ କମାଅ । ନତୁବା ତୁମର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।”
ବରଲକ୍ଷ୍ମୀ କହିଲା “ଛାଡ ସେ ସୌନ୍ଦର୍ଯ୍ୟ କଥା । ମୋଟାପଣ କମାଇବାକୁ ଯଦି ଏତେ କଷ୍ଟ ଭିତର ଦେଇ ଯିବାକୁ ହୁଏ, ମୁଁ ବରଂ ମୋଟାପଣକୁ ପସନ୍ଦ କରିବି ।”
ବରଲକ୍ଷ୍ମୀର ସ୍ୱାମୀ ତାକୁ କହିଲେ, “ଆରେ ତୁମେ ମୋ କଥା ଆଦୌ ବୁଝୁନାହଁ । ଆଜି ପର୍ଯ୍ୟନ୍ତ ମୁଁ କ’ଣ ତୁମକୁ ଏ ବିଷୟରେ କିଛି କହିଛି? ତେବେ ଆଜି କାହିଁକି କହିଲି? ଶୁଣ ତୁମର ମୋଟାପଣ ଯୋଗୁଁ ତୁମ ଭଉଣୀ ଉତ୍ସାହିତ ହୋଇ ଅଧିକ ମୋଟା ହୋଇ ସବୁ ସାରିଲାଣି ତୁମେ ଟିକିଏ କମିଗଲେ, ସେ ମଧ୍ୟ ବ୍ୟସ୍ତ ହୋଇ କମିଯା’ନ୍ତା । ତା’ର ମୋଟାପଣ ଯୋଗୁଁ ତା’ର ତିନିଟି ରୋଗ ଭୋଗିବାର ଯଥେଷ୍ଟ ସମ୍ଭାବନା ଅଛି । ପୁଣି ସୌନ୍ଦର୍ଯ୍ୟ ତ ନଷ୍ଟ । ତେଣୁ ତା’ ସ୍ୱାମୀ କହିଛି ତୁମେ ଯଦି ତୁମର ମୋଟା କମାଇବ, ତେବେ ସେ ମଧ୍ୟ କମାଇବ । ତୁମକୁ ମୋଟା ଦେଖି ସେ ଖୁସି ହୋଇ ଆହୁରି ମୋଟା ହେବାକୁ ପସନ୍ଦ କରୁଛି । କାରଣ ସବୁଥିରେ ସେ ତୁମଠାରୁ ଅଧିକ ହେବାକୁ ଚାହେଁ ତ । ତମେ ତ ମୋଟା ନୁହଁ ସ୍ୱାସ୍ଥ୍ୟବତୀ, କିନ୍ତୁ ସେ ମୋଟା ହୋଇ ଚାଲିଛି । ତମେ ଏତକ ତ୍ୟାଗ କଲେ, ସେ ମଧ୍ୟ ତୁମକୁ ଦେଖି ପତଳା ହୁଅନ୍ତା । ଏବେ ବୁଝିଲ ।”
ବରଲକ୍ଷ୍ମୀ ଏଥର ତା’ସ୍ୱାମୀ କଥା ଅନୁସାରେ ସବୁ କାମ କଲା । ଦୁଇଭଉଣୀ ଏବେ ପତଳା ହେବାକୁ ଲାଗିଲେ ଓ ପୂର୍ବ ସୌନ୍ଦର୍ଯ୍ୟ ପୁନଃ ଫେରି ପାଇଲେ ।