ନଗେନ୍ଦ୍ର ଚାକିରୀ ଖୋଜିବା ପାଇଁ ସହରକୁ ଯାଇଥିଲା । ବହୁତ ଚେଷ୍ଟା ସତ୍ତ୍ୱେ ଚାକିରୀ ନ ମିଳିବାରୁ ସେ ତା’ ଗ୍ରାମକୁ ଲେଉଟି ଆସିଲା । ତାକୁ ଦେଖିବା ମାତ୍ରେ ତା’ ବୁଢୀମା କହିଲେ, “ଆରେ ନଗୀ, ତୁ ଫେରି ଆସିଛୁ? ପାଞ୍ଚଦିନ ଧରି ମୁଁ ତୋ ବାଟ ଚାହିଁ ବସିଛି । ମୋ ଦେହ ଦୁଇଦିନ ହେବ ଆଦୌ ଭଲ ନାହିଁ । ପୁଣି କାଲି ତୋ ମାମୁଁ ଝିଅ ଭଉଣୀ ଲକ୍ଷ୍ମୀର ବାହାଘର । ବହୁତ କମ୍ ସମୟ ଅଛି । ତୁ ତା’ର ବାହାଘରକୁ ଶୀଘ୍ର ଯା’ ।”
ବୁଢୀମାର କଥା ଶୁଣି ନଗେନ୍ଦ୍ର ବ୍ୟସ୍ତ ହୋଇ ପଡିଲା । ସେ କିପରି ଲକ୍ଷ୍ମୀର ବିବାହ ତାରିଖ ଭୁଲି ଯାଇଥିଲା? ପିଲାଦିନଠୁ ସେ ଦୁହେଁ ଖୁବ୍ ସାଙ୍ଗ ଥିଲେ । ସିଏ ତ ଆଗ ଯିବାର କଥା । ତା’ପରେ ସେ ବୁଢୀମା’କୁ କହିଲା, “ବୁଢୀମା; ତମେ ମନେ ନ କରିଥିଲେ ତ ମୁଁ ଭୁଲି ଯାଇଥିଲି । ଏବେ ଯାଉଛି ବଜାରରୁ କିଛି ଉପହାର କିଣି ମାମୁଁ ଘରକୁ ସିଧା ଚାଲିଯିବି ।”
ଏହା ଶୁଣି ବୁଢୀମା କହିଲେ, “ଆରେ ଏବେ ତ ରାତି ହେଲାଣି ଥାଉ କାଲି ସକାଳେ ପଛେ ଯିବୁ ।”
ମାତ୍ର ନଗେନ୍ଦ୍ର କହିଲା, “ନାହିଁ, ନାହିଁ, ଏବେ ଯିବି । ଏଇ ତ ସଂଧ୍ୟା ହୋଇଛି । ଶୀଘ୍ର ଶୀଘ୍ର ଚାଲିଗଲେ ଘଂଟାଏ ଭିତରେ ଯାଇ ସେଠାରେ ପହଁଚି ଯିବି ।” ଏତିକି କହି ସେ ନଗେନ୍ଦ୍ର ସେହି ମୁହୂର୍ତ୍ତରେ ହିଁ ତା’ମାମୁଁ ଘରକୁ ବାହାରି ପଡିଲା ।
ବଜାରରୁ ଉପହାର କିଣି ଘଂଟାକ ମଧ୍ୟରେ ସେ ପ୍ରାୟ ତା’ ମାମୁଁ ଘର ଗାଁ ମୁଣ୍ଡରେ ପହଁଚିଥାଏ । ସେଠାଏ ଗୋଟାଏ ତାଳ ବଣ ଥାଏ । ନଗେନ୍ଦ୍ର ସେହି ତାଳ ବଣ ଭିତର ଦେଇ ଯାଉଛି, ପରିଷ୍କାର ଜହ୍ନ ପଡିଥାଏ, ଦେଖିଲା ଦୁଇଟି ନାରୀ ମୂର୍ତ୍ତି ଆସି ତା’ ଆଗରେ ରାସ୍ତା ବନ୍ଦ କରି ଠିଆ ହେଲେ । ସେମାନଙ୍କୁ ଦେଖି ସେ ଠିକ୍ ବୁଝିନେଲା ଯେ, ଏମାନେ ମଣିଷ ନୁହଁନ୍ତି, ଭୂତ ନିଶ୍ଚୟ । ତା’ ଶରୀର ମୁଣ୍ଡଠାରୁ ପାଦ ଯାଏଁ ଡରରେ ଥରିବାକୁ ଲାଗିଲା । ଏକଥା ଦେଖି ସେ ଦୁଇ ଭୂତୁଣୀ ଖିଲ୍ ଖିଲ୍ କରି ହସି ଉଠିଲେ ଓ ବ୍ୟଙ୍ଗପୂର୍ବକ କହିଲେ, “କିହୋ ବାବୁ ବେଶଭୁଷାରୁ ତ ଜଣାପଡୁଛି ତମେ ବଡ ସାହସୀ । ପୁଣି ଡରରେ ଏତେ ଥରୁଛ କାହିଁକି? ଏମିତି ନିଛାଟିଆ ସ୍ଥାନରେ ଅଧ ରାତିରେ କୁଆଡେ ଯାଉଛ?”