ତହୁଁ ସେ ନଗେନ୍ଦ୍ର ଡରି ଡରି କହିଲା, “ମୋ ମାମୁଁ ଝିଅ ଭଉଣୀ ଲକ୍ଷ୍ମୀର ବାହାଘରକୁ ଯାଉଛି ।”
ଏକଥା ଶୁଣି ସେ ଦୁହେଁ ହସି ହସି କହିଲେ, “ଯାହାର ବାହାଘର ହେଉ ପଛେ ଆମେ କିନ୍ତୁ ତୁମ ସହିତ ଚାଲିଲୁ ।”
ଏହା ଶୁଣି ସେ ନଗେନ୍ଦ୍ର ଟିକିଏ ରହି କହିଲା, “ଦେଖ, ତୁମମାନଙ୍କୁ ମୁଁ ସଙ୍ଗରେ ନେଲେ ମୋ ମାମୁଁ ମୋତେ ମାରି ପକାଇବେ ।”
ଏହା ଶୁଣି ସେ ଭଉଣୀ ଦୁହେଁ କହିଲେ, “ଆଉ ତମେ ଆମକୁ ସଙ୍ଗରେ ନ ନେଲେ ଆମେ କ’ଣ ତମକୁ ଜିଅନ୍ତା ଛାଡିବୁ କି?”
ସେମାନଙ୍କ କଥା ଶୁଣି ନଗେନ୍ଦ୍ର କହିଲା, “ଦେଖ ତମେ ଯଦି ଯିବ ଠିକ୍ ଅଛି । କିନ୍ତୁ କେହି ବି ଯେପରି ଜାଣିବେ ନାହିଁ ଯେ ତମେ ଦୁହେଁ ମୋ ସାଥିରେ ଆସିଛ । ଜାଣିଲେ ମୋର ଓ ତମର ଦୁଇପଟର ଘୋର ଅନିଷ୍ଟ ଘଟିବ । ତମେମାନେ ଲୁଚିଛପି ଆସିବ ତ ଆସ ।”
ତା’ କଥା ଶୁଣି ଭୂତୁଣୀମାନେ କହିଲେ, “ଆରେ ଯିବାକୁ କିପରି ହେବ ଓ କ’ଣ କରିବାକୁ ହେବ ସେସବୁ ଆମେ ଭଲ ରୂପେ ଜାଣୁ । ଆମେ ଠିକ୍ ଦେଖି ଶୁଣି କାମ କରିବୁ । ଯେପରି ତୁମ ଉପରେ କିଛି ବି ବିପଦ ପଡିବ ନାହିଁ ।”
ନଗେନ୍ଦ୍ର ମାମୁଁ ଘରଆଡେ ଚାଲିଥାଏ ଆଉ ବାଟରେ ସେମାନଙ୍କୁ ଦେଖିନାହିଁ । ସେଠାରେ ପହଁଚି ଦେଖିଲା ସେମାନେ ମଣିଷ ବେଶ ଧରି ଦୁଇଟି ସୁନ୍ଦର ରେଶମୀ ଶାଢୀ ପିନ୍ଧି ଓ ଅଳଙ୍କାର ଆଦି ଲଗାଇ ଘର ଭିତରେ ପଶିଲେ ।
ନଗେନ୍ଦ୍ର ଘରେ ପ୍ରବେଶ କରିବା ମାତ୍ରେ ତା’ର ମାମୁଁ ତାକୁ ଦେଖି କହିଲେ, “କଥା କ’ଣ ନଗୀ, ତୁ ଏତେ ଥରୁଛୁ କାହିଁକି? ତୋ ଦେହ ବୋଧହୁଏ ଭଲ ନାହିଁ, ତୁ ଯା’ ପାଖ ବଖରାରେ ଶୋଇପଡ, ମୁଁ ବୈଦ୍ୟକୁ ଡକାଉଛି ।”
ନଗେନ୍ଦ୍ର ଯାଇ ବିଛଣାରେ ଶୋଇ ପଡିଲା । ଇତିମଧ୍ୟରେ ସେ ଭୂତୁଣୀ ଦୁଇଜଣ ନିଜର ଦୁଷ୍ଟାମୀରେ ଲାଗି ପଡିଲେ ।
ବରପକ୍ଷ ଲୋକ ରହିବା ପାଇଁ ଘର ସାମ୍ନାରେ ଆଉ ଗୋଟିଏ ଘର ଭଡା ନିଆ ଯାଇଥାଏ । ସେଇ ଘର ଭିତରୁ ଜଣେ ଭୂତୁଣୀ ବରର ମା’ ବେଶ ଧରି ଯାଇ କନ୍ୟା ଘରର ଲୋକଙ୍କ ପାଖରେ ପହଁଚିଲା ।
ସମୁଦୁଣୀଙ୍କୁ ଦେଖି ଲକ୍ଷ୍ମୀର ମା’ କହିଲେ, “ଆସନ୍ତୁ ସମୁଦୂଣୀ, ଭିତରକୁ ଆସନ୍ତୁ ।”
ବରର ମା’ ସୁଭାଷିନୀ ବେଶ ଧରି ଆସିଥିବା ସେ ଭୂତୁଣୀ କହିଲା, “ତମେ ମୋ ବୋହୁକୁ କ’ଣ କ’ଣ ଜିନିଷ, ଖାଦ୍ୟ, ଲୁଗାପଟା ଓ ଯୌତୁକ ଦେଉଛ ଦେଖିବାକୁ ଚାଲି ଆସିଲି ।”
ନିକଟରେ ବଡ ବଡ ଟୋକେଇରେ ଲଡୁ, ପେଡା, ଜିଲେପି ସବୁ ଥିଲା । ଜୟାଦେବୀ ସେସବୁ ତାଙ୍କୁ ଦେଖାଇ ଦେଲେ ।
ଭୂତୁଣୀ ଗୋଟିଏ ଜିଲେପି ଚାଖି କହିଲା, “ଛି, ଛି, ଏଗୁଡା ତମ ଝିଅର ଦେହ ରଙ୍ଗ ପରି ହୋଇଛି । ଏଗୁଡା କ’ଣ ପୁରୁଣା ଗୁଡରେ ତିଆରି କରିଛ ନା କ’ଣ?”
ଏପରି କଥା ଶୁଣି ଲକ୍ଷ୍ମୀ ଓ ଜୟାଙ୍କ ମନ ଭାରି କଷ୍ଟ ହେଲା । ସେମାନେ କିନ୍ତୁ ଚୁପ୍ ରହିଲେ ।
ଅନ୍ୟ ସବୁ ମିଠାଇରୁ ସେ ଭୂତୁଣୀ ମଧ୍ୟ କିଛି କିଛି ଖାଇଲା ଓ ସେହିପରି ନାନା ବାଜେ ମନ୍ତବ୍ୟ କଲା । ତା’ପରେ ସେ କହିଲା, “ଦୁଇଟି ବଡ ହାଣ୍ଡିରେ ଭାତ ଓ ମାଲପୁଆ ବି ଦେବ ।”
ଏକଥା ଶୁଣି ଜୟା ପଚାରିଲେ, “କାହିଁକି? ଏତେ ତରତର କାହିଁକି? ଏବେଠୁଁ ଭରି ରଖିଲେ ଜିନିଷ ସବୁ ନଷ୍ଟ ହୋଇଯିବ ।”
ଜୟା କଥା ଶୁଣି ତାଙ୍କ ସମୁଦୂଣୀ ରୂପୀ ଭୂତୁଣୀ କହିଲା, “ଆରେ ଆମ ଘରର ବୋହୂମାନେ ବାସୀ ଜିନିଷ ଖାଇବାକୁ ଭଲ ପାଆନ୍ତି । ଲଡୁ ତ ଦଶଦିନ ରହିବ । ସେଦିନ ପର୍ଯ୍ୟନ୍ତ ତମ ଝିଅ ଭାତ ଓ ମାଲପୁଆ ଖାଇବ ।”
ଏକଥା ଶୁଣି ଲକ୍ଷ୍ମୀକୁ ବାନ୍ତି ଲାଗିଲା, ସେ ଯାଇ ବାନ୍ତି କରି ପକାଇଲା । ତା’ପରେ ମା’କୁ ଦେଖି ସେ କହିଲା, “ମା, ମୁଁ ମରିଯିବି ପଛେ ଏ ଘରେ ବୋହୁ ହେବାକୁ କସ୍ମିନ୍ କାଳେ ଯିବିନାହିଁ ।”