ଝିଅର କଥା ଶୁଣି ଜୟାଙ୍କର ମନ ଦୁଃଖ ହେଲା । ସେ ସ୍ୱାମୀଙ୍କ ପାଖକୁ ଦୌଡିଲେ । ସେଠାରେ ଯାଇ ସବୁ କଥା କହିଲେ ।
ଏଣେ କ’ଣ ହୋଇଛି ନା ଦ୍ୱିତୀୟ ଭୂତୁଣୀ ତା’ର ଦୁଷ୍ଟାମୀ ଆରମ୍ଭ କରି ଦେଇଛି । ବରପକ୍ଷର ଘରର ଗୋଟିଏ ପ୍ରକୋଷ୍ଠରେ ବର ସୁରେନ୍ଦ୍ର ବିଶ୍ରାମ କରୁଥାଏ । ବହୁତ ମଶା ଥିବାରୁ ସେଠାରେ ସେ ମୋଟେ ଶୋଇ ପାରୁ ନଥାଏ । ଦ୍ୱିତୀୟ ଭୂତୁଣୀ ବୋହୁ ଲକ୍ଷ୍ମୀର ବେଶ ଧରି, ହାତରେ ପଙ୍ଖାଟିଏ ନେଇ ଯାଇ ପହଁଚିଲା ।
ଏସବୁ ଦେଖି ସୁରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲା, “ତମେ କାହିଁକି ଏଠାକୁ ଆସିଲ? କେହି ଦେଖିଲେ କ’ଣ କହିବ? ଏକଥା ଜାଣିଲେ ସମସ୍ତେ ହସିବେ ।”
“ମୁଁ ବି ସେମାନଙ୍କୁ ହସି ଉଡାଇ ଦେବି । ଏଠି ତମେ ମଶା ଦାଉରେ ଶୋଇ ପାରୁନା । ଆମ ଗାଁର ମଶାମାନେ ବହୁତ ବଡ ଓ ଭୟାନକ ।”ଏହି କଥା ସେ ଭୂତୁଣୀ କହିଲା ଆଉ ପଙ୍ଖା କରି ମଶା ଘଉଡାଇଲା । ତା’ପରେ “ହେଇ ମଶାଟାଏ ।” କହି ପଙ୍ଖାରେ ଜୋର୍ରେ ସୁରେନ୍ଦ୍ରକୁ ମାରିଲା । ତା’ପରେ ମଶାର ନାମ କରି ସେ ବାରମ୍ବାର ସୁରେନ୍ଦ୍ରକୁ ମାରି ଚାଲିଲା ।
ବିଚାରା ସୁରେନ୍ଦ୍ର ତ ବର ହୋଇ ବସିଛି, ନା ରାଗି ପାରୁଛି ନା କିଛି ବି କରି ପାରୁଛି । ଶେଷରେ ସେ ଲକ୍ଷ୍ମୀରୂପୀ ଭୂତୁଣୀ ହାତରୁ ପଙ୍ଖା ଛଡାଇ ନେଇ କହିଲା, “ତମେ ଗଲ ଏଠାରୁ ।”
ତହୁଁ ସେ ଭୂତୁଣୀ କାନ୍ଦିବାର ଅଭିନୟ କରି କହିଲା, “ତୁମକୁ ମଶାଙ୍କ ଉପଦ୍ରବରୁ ରକ୍ଷା କରିବାକୁ ଯାଇ ମୁଁ ପଙ୍ଖାରେ ମାରୁଥିଲି ସିନା, ଏତିକିରେ ତମେ ରାଗି ଯାଉଛ । ଆଉ କାଲିକି କାଲି ବିବାହ ପରେ ଯଦି ସତରେ ମୁଁ ତୁମକୁ ପିଟେ ତେବେ ତ ତମେ ବୋଧହୁଏ ମୋତେ ତ୍ୟାଗ କରିଦେବ ।”
ଏକଥା ଶୁଣି ସେ ସୁରେନ୍ଦ୍ର ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କ’ଣ ବିବାହ ପରେ ତମେ ମୋତେ ମାରିବ?”
ତହୁଁ ସେ ଭୂତୁଣୀ କହିଲା, “ତମ ରୋଷେଇ ମୋତେ ଯଦି ଭଲ ନ ଲାଗିବ ତ କାହିଁକି ମାରିବି ନାହିଁ?”
ଏପରି କଥା ଶୁଣି ସେ ସୁରେନ୍ଦ୍ର ପୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କ’ଣ ହେଲା ମୋତେ ରୋଷେଇ କରିବାକୁ ପଡିବ?”
ତା’ପରେ ସେ ଭୂତୁଣୀ କହିଲା, “ତା’ହେଲେ କ’ଣ ତମେ କେବଳ ବାସନ ମାଜି ରହିବ ବୋଲି ଭାବିଛ? ସେସବୁ ମୋଟେ ଚଳିବ ନାହିଁ । ଘର ସଫା, ଲୁଗା ଧୁଆ ପ୍ରଭୃତି କାମ ତ କରିବ, ପୁଣି ତା’ଛଡା ଅନ୍ୟାନ୍ୟ ଛୋଟ ଛୋଟ କାମ ମଧ୍ୟ କରିବ ।”
ସବୁ ଶୁଣି ସେ ସୁରେନ୍ଦ୍ର ରାଗରେ ଖଟ ଛାଡି ଛିଡା ହୋଇ ପଡି କହିଲା, “ତାହାହେଲେ ତ ତୁମପାଇଁ ସ୍ୱାମୀ ଦରକାର ନାହିଁ, ବରଂ ଏକ ଚାକର ଦରକାର ।”