ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇ ମୂର୍ଖ ବ୍ୟବସାୟୀ

ଅନୁପଗଡର ଜମିଦାର ବଡ ଦୟାଳୁ ଥିଲେ । ସେ ବରାବର ବ୍ୟବସାୟୀମାନଙ୍କୁ ଟଙ୍କା କରଜ ଦିଅନ୍ତି । କିନ୍ତୁ ଟଙ୍କା ଦେବା ପୂର୍ବରୁ ସେ ଲୋକଟିର ବ୍ୟବସାୟୀବୁଦ୍ଧି ଅଛି ନା ନାହିଁ ତାହା ସେ ପରୀକ୍ଷା କରନ୍ତି । ଯଦି ତାଙ୍କର ବିଶ୍ୱାସ ହୁଏ ଯେ ସେହି ବ୍ୟକ୍ତି ବ୍ୟବସାୟ କଲେ ସଫଳ ହେବ ତେବେ ଯାଇ ସେ ତାକୁ ଋଣ ଦିଅନ୍ତି ।

                ଦିନେ ତାଙ୍କଠାରୁ ଋଣ ନେବା ପାଇଁ ଦୁଇଜଣ ମୂର୍ଖ ବ୍ୟବସାୟୀ ଆସିଲେ । ସେମାନେ ଜମିଦାରଙ୍କୁ ଅନୁରୋଧ କରି କହିଲେ, “ମହାଶୟ, ଆମେ ଦୁହେଁ ଅଣ୍ଡା ବ୍ୟବସାୟ କରିବାକୁ ଚାହୁଁ । ଏଣୁ ନିହାତି କମ୍ରେ ହଜାରେ ଟଙ୍କା ପୁଞ୍ଜି ଦରକାର ।”

                ଜମିଦାର ଜାଣିବାକୁ ଚାହୁଁଥିଲେ କି ଅଣ୍ଡା ବିଷୟରେ ଏମାନଙ୍କ ଜ୍ଞାନ କେତେଦୂର । ତେଣୁ ସେ ସେମାନଙ୍କୁ ପଚାରିଲେ, “ଆଚ୍ଛା ତମେ ଅଣ୍ଡା ବିଷୟରେ କ’ଣ ନ ଜାଣ ତାହା କୁହ ।”

                ପ୍ରଥମ ମୂର୍ଖ ବ୍ୟବସାୟୀ ପଚାରିଲା “ମହାଶୟ, ମୁଁ ଆଜି ପର୍ଯ୍ୟନ୍ତ ଏହା ବୁଝିପାରିଲି ନାହିଁ ଯେ ଅଣ୍ଡା ଭିତରେ ପାଣି, ପବନ ବା ଆଲୋକ ନ ଥିବା ସତ୍ତ୍ୱେ ତହିଁରେ ଛୁଆ କିପରି ବଂଚିପାରୁଛି!”

                ଦ୍ୱିତୀୟ ମୂର୍ଖ ବ୍ୟବସାୟୀ ପଚାରିଲା “କିନ୍ତୁ ତା’ ଠାରୁ ଆହୁରି ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି ଛୁଆ ବାହାରକୁ ଆସିବାକୁ ହେଲେ ଅଣ୍ଡାକୁ ଫୁଟାଇବାକୁ ପଡେ, କିନ୍ତୁ ଅଣ୍ଡା ନ ଭାଙ୍ଗି ସେ କିପରି ତା’ ଭିତରେ ପଶିଲା?”

                ଏସବୁ ଶୁଣି ଜମିଦାର ଅଳ୍ପ ହସି କହିଲେ, “ତମେ ବ୍ୟବସାୟରେ କେବେବି ସଫଳ ହେବନାହିଁ । ତେଣୁ ମାତ୍ର ଦୁଇଶ ଟଙ୍କା ଦେଉଛି, ଏତକ ନେଇ ଚେଷ୍ଟା କର ।” ନିଜ ଦୟାଳୁ ସ୍ୱଭାବରୁ ଟଙ୍କା ସିନା ଦେଇଦେଲେ କିନ୍ତୁ ତାଙ୍କ ମନେ ମନେ ସେ ଭାବୁଥିଲେ “ଏ ଟଙ୍କାଟା ଜାଣ ମୋର ପାଣିରେ ପଡିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ