ଅବତାର ପ୍ରକୃତରେ ସେ ଯୋଗୀଙ୍କଠାରୁ ଏକ ବର ହିଁ କାମନା କରୁଥିଲା । ତେଣୁ ତାଙ୍କ କଥା ଶୁଣୁଶୁଣୁ ସେ ଅତି ଖୁସିରେ ପାଗଳ ହୋଇଉଠିଲା । ଯୋଗୀଙ୍କ ଠାରୁ ସେହି ମନ୍ତ୍ର ପାଇବା ପାଇଁ ତାଙ୍କ ପାଦତଳେ ପଡି ସେ ଖାଲି ପ୍ରଣାମ ଲାଗିବାରେ ଲାଗିଲା ।
“ମନ୍ତ୍ର ଗ୍ରହଣ କରିବା ପୂର୍ବରୁ, ତୁମେ ପ୍ରଥମେ ଚୋରଦେବଙ୍କ ସମ୍ବନ୍ଧରେ କିଛି ଜାଣିବା ନିହାତି ଆବଶ୍ୟକ ।” ଏପରି କହି ସେ ଯୋଗୀ ଚୋରଦେବଙ୍କ କଥା କହିଲେ ।
ଚୋରଦେବ ଧନୀକ ଲୋକଙ୍କ ଠାରୁ ସେମାନଙ୍କ ଅଜାଣତରେ ଧନ ଅପହରଣ କରି ନେଇ ଗରିବ ଲୋକଙ୍କୁ ଦେଇଦିଅନ୍ତି । ଯେହେତୁ ଧନୀକ ଲୋକଙ୍କର ସେହି ଧନ ନ୍ୟାୟସମ୍ମତ ଉପାର୍ଜନ ହୋଇ ନ ଥାଏ, ତେଣୁ ସେମାନେ ରାଜାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ମଧ୍ୟ ସାହସ କରିପାରନ୍ତି ନାହିଁ । ଚୋରଦେବ ଯାହାକୁ ଏହି ଧନ ଦିଅନ୍ତି, ସେ ହିଁ କେବଳ ତାହା ଦେଖିପାରେ । ଧନ ପାଇଥିବା ବ୍ୟକ୍ତି ଏକ ସପ୍ତାହ ପର୍ଯ୍ୟନ୍ତ ନିଜ ପାଖରେ ସେହିଧନ ରଖିପାରେ । ଏହି ସମୟସୀମା ମଧ୍ୟରେ ତାହା ସେ ବ୍ୟୟ କରି ନ ପାରିଲେ, ତାହା ଅନ୍ତର୍ଦ୍ଧାନ ହୋଇଯାଏ । କୌଣସି ମନୁଷ୍ୟ ତା’ ଜୀବନରେ ଥରେମାତ୍ର ଚୋରଦେବଙ୍କ ସାକ୍ଷାତ ପାଇପାରେ । ସେ ତାହାର କେବଳ ଗୋଟିଏ ମାତ୍ର ଇଚ୍ଛା ପୂରଣ କରନ୍ତି । ଯାହାର ଅତି ଉଚ୍ଚ ଆଶା ଥାଏ, ତାହା ଚୋରଦେବଙ୍କ ଦ୍ୱାରା ପୂରଣ ହେଲେ ମଧ୍ୟ ସ୍ଥାୟୀ ହୁଏ ନାହିଁ ।
ଏହି ସାରା ବିବରଣୀ ଶୁଣିବା ପରେ ମଧ୍ୟ ଅବତାର ଯୋଗୀଙ୍କ ଠାରୁ ମନ୍ତ୍ରୋପଦେଶ ପାଇବା ପାଇଁ ହଁ କଲା । ଅଗତ୍ୟା ଯୋଗୀ ତାକୁ ମନ୍ତ୍ରୋପଦେଶ ଦେଇ କହିଲେ, “ଆସନ୍ତା କାଲି ପ୍ରଭାତ ସମୟରେ, ସ୍ନାନ କରି ଏହି ମନ୍ତ୍ର ଉଚ୍ଚାରଣ କରିବ । ତେବେ ଯାଇ ଚୋରଦେବ ଆବିର୍ଭୁତ ହେବେ ।”
ତା’ପରେ ଅବତାର ଘରକୁ ଫେରି ଆସିଲା । ସାରା ଦିନ ତାର ମନ ଅସ୍ଥିର ରହିଥାଏ । ରାତିରେ ମଧ୍ୟ ନିଦ୍ରା ହେଲା ନାହିଁ । ପରଦିନ ସକାଳୁ ଧଡପଡ ହୋଇ ଉଠିପଡି ସେ ସ୍ନାନ କରି ପକାଇଲା ଓ ମନ୍ତ୍ରପାଠ କରିବାକୁ ବସିଲା ।
ଅଚିରେ ଏକ କୃଷ୍ଣକାୟ ବ୍ୟକ୍ତିର ସ୍ୱରୂପ ଅବତାର ସମ୍ମୁଖରେ ଉଭା ହେଲେ । ତାର ଶରୀର ତୈଳ ବୋଳି ହେଲା ପରି ଚିକ୍କଣ ଦିଶୁଥାଏ । ତାଙ୍କ ଆଖିରେ ପଟି ବନ୍ଧା ହୋଇଥାଏ । ଉଚ୍ଚ ବଳିଷ୍ଠ ଶରୀର ସଂପନ୍ନ ସେହି ବ୍ୟକ୍ତି ଅବତାରକୁ କହିଲେ, “ମୁଁ ହେଉଛି ଚୋରଦେବ । ତୁମର କେତେ ଧନ ଆବଶ୍ୟକ, ପ୍ରକାଶ କର ।”
ଏକଥା ଶୁଣି ଅବତାରର ଆନନ୍ଦ ବର୍ଣ୍ଣନାତୀତ ଥିଲା । ସେ ଭୟମିଶା ଭକ୍ତିରେ ଚୋରଦେବଙ୍କୁ ପ୍ରଣାମ କରି କହିଲା, “ସ୍ୱାମୀ, ମୋର ଏକକୋଟି ସୁନା ମୋହର ଆବଶ୍ୟକ ।”
ଅବତାର କଥା ଶୁଣି ଚୋରଦେବ କହିଲେ, “ମିଳିବ, ଅବଶ୍ୟ ମିଳିବ । ତା’ପରେ ପୁଣି ସେ ପଚାରିଲେ, ସବୁ ସୁନାମୋହର ଏଇଠି ଏମିତି ମାଟି ଉପରେ ଅଜାଡିଦେବି ନା ଏକ ଖୁବ୍ ବଡ ପେଟିର ବନ୍ଦୋବସ୍ତ କରିପାରିବ?”
ତାଙ୍କ କଥା ଶୁଣି ଅବତାର କହିଲା, “ସ୍ୱାମୀ, ଆର ବଖରାରେ ଗୋଟିଏ ବଡପେଟି ଖାଲି ଅଛି । ଆପଣ ସେଥିରେ ଧନ ରଖିଦେଲେ ବହୁତ ସୁବିଧା ହେବ ।”
“ଠିକ୍ ଅଛି, କାଲି ସକାଳେ ପେଟି ଖୋଲି ଦେଖିନେବ ।” ଏପରି କହି ଚୋରଦେବ ହଠାତ୍ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।
ଅବତାରକୁ ଏହି ସବୁ ଘଟଣା ସ୍ୱପ୍ନ ପରି ଲାଗୁଥାଏ । ପ୍ରଭାତର ଉଦୟଭାନୁଙ୍କ କିରଣ ଧରା ସ୍ପର୍ଶ ନ କରୁଣୁ, ସେ ଶଯ୍ୟାତ୍ୟାଗ କରି ବଡ ଆତୁରତାର ସହିତ ଏପଟସେପଟ ହେଉଥାଏ । ଯେତେବେଳେ ସେ ପେଟି ଖୋଲି ଦେଖିଲା, ସେଥିରେ ଅକଳନ ସୁନା ମୋହର ଗଦା ହୋଇ ଥାଏ । ଏତେ ଧନ ଏକାବେଳେ ଦେଖି ସେ ଉନ୍ମାଦଙ୍କ ପରି ହେଲା । ଭାବିଲା, ଏହି ଧନରେ ସେ ଓ ତା’ ପରିବାରବର୍ଗ, କେତେ ପୀଢି ଧରି ଐଶ୍ୱର୍ଯ୍ୟଭରା ଜୀବନ ବଂଚିପାରିବେ ।
ତା’ର ମାତା-ପିତା, ପତ୍ନୀ ପୁତ୍ର କେହି ବି କିଛି ଜାଣିପାରୁ ନ ଥାନ୍ତି । ଅବତାରର ଏହି ଅକସ୍ମାତ ଖୁସି ହେବାର କାରଣ ସେ ତାର ଧନପ୍ରାପ୍ତି ସମ୍ବନ୍ଧରେ କାହାକୁ କିଛି କହି ନ ଥାଏ । କାରଣ ତାହା ନିଜ ବ୍ୟତୀତ ଅନ୍ୟ କେହି ମଧ୍ୟ ଦେଖିପାରିବେ ନାହିଁ । ଅବତାର ଚିନ୍ତାକଲା, ଏକ ମାସ ପରେ ଏହି ଧନ ଯେତେବେଳେ ସମସ୍ତେ ଦେଖିପାରିବେ, ସେହି ସମୟରେ ସମସ୍ତଙ୍କୁ ସବୁ ବୃତାନ୍ତ ଜଣେଇଦେବ ।
ଅବତାର ପ୍ରତିଦିନ ସେଇ ବଖରାକୁ ଏକାକୀ ଯାଏ ଓ ପେଟିଭର୍ତ୍ତି ଧନ ଦେଖି ମନରେ ଅପାର ଆନନ୍ଦ ଅନୁଭବ କରେ । ଏତେ ଧନର ମାଲିକ ହେବାର ସୁଖରେ ବିଭୋର ହୋଇ, ଦୁଇସପ୍ତାହ ବିତିଗଲା । ଦିନେ ଦେଖିଲା, ପେଟିରେ ଆଉ ଗୋଟିଏ ହେଲେ ବି ସୁନାମୋହର ନାହିଁ ।