ଏସବୁ ଦେଖି ଅବତାରର ଛାତିଫାଟିଯିବା ପରି ବୋଧ ହେଲା । ସେହି ଧନକୁ ତ, ତା ବ୍ୟତୀତ ଅନ୍ୟକେହି ବି ଦେଖିନାହାଁନ୍ତି । ତେଣୁ ତାକୁ ବା ପୁଣି ନେବ କିଏ? ଏହା ନିଶ୍ଚୟ ସେହି ଯୋଗୀଙ୍କର କୌଣସି ମାୟା । ସେ ମଧ୍ୟ ତାକୁ ଜଣାଇ ନାହାଁନ୍ତି ଯେ, ଏହି ଧନ ଦୁଇସପ୍ତାହ ପରେ ଉଭେଇ ଯିବ । ତେଣୁ ଏହି ମାୟାର କାରଣ ଜାଣିବା ପାଇଁ ସେ ଯୋଗୀଙ୍କ ସନ୍ଧାନରେ ବାହାରିଲା ।
ମାତ୍ର ସେତେବେଳକୁ ଏକ ସପ୍ତାହ ହେଲା ଯୋଗୀ ସେହି ଗ୍ରାମ ପରିତ୍ୟାଗ କରିସାରିଥିଲେ । କେହି ଜଣେ କହିଲା, ସେ ମଥୁରା ଅଭିମୁଖେ ଯାଇଛନ୍ତି । ଏହା ଶୁଣି ଅବତାର ତୁରନ୍ତ ସେହି ଦିଗରେ ବାହାରିପଡିଲା ।
ମଥୁରାର ସୀମା ଅତିକ୍ରମ କରି ନଗର ମଧ୍ୟରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଅବତାରର ବଳରାମ ସହିତ ଦେଖା ହେଲା । ଦେଖୁ ଦେଖୁ ସେ କହିଲା, “ମୁଁ ତୁମକୁ ହିଁ ଦେଖା କରିବା ପାଇଁ ଗ୍ରାମକୁ ବାହାରିଥିଲି । ଅଥଚ ଭଗବାନଙ୍କ ପରି ତୁମେ ମୋ ଆଗରେ ଉଭା ହୋଇଗଲ । ସତରେ ଇଏ ବଡ ବିଚିତ୍ର କଥା ।”
ଏହା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇ ସେ ଅବତାର ପଚାରିଲା, “ମୋ ପାଖରେ ତୁମର ପୁଣି କି କାମ?”
ତାଙ୍କ କଥା ଶୁଣି ବଳରାମ କହିଲା, “କଣ ଭୁଲିଗଲ! ମୋର କନ୍ୟାର ବିବାହ, ତୁମ ପୁତ୍ର ସହିତ କରାଇବା ପ୍ରସ୍ତାବରେ ତୁମେ ମୋତେ ପଚାଶ ହଜାର ସୁନାମୋହର ଯୌତୁକ ମାଗିଥିଲ । ସେହି ସମୟରେ ତ ମୋ ନିକଟରେ ଏତେ ଅର୍ଥ ନ ଥିଲା । ମାତ୍ର ଏବେ ମୋତେ ତୁମେ ଲକ୍ଷେ ମୋହର ମାଗିଲେ ବି ମୁଁ ନିଶ୍ଚୟ ଦେଇ ପାରିବି । ଏହି କଥା କହି ପ୍ରସ୍ତାବଟି ସ୍ଥିର କରିବା ପାଇଁ ମୁଁ ତୁମ ଗ୍ରାମକୁ ବାହାରିଥିଲି । ଏକଥା ଭାବନାହିଁ ଯେ, ମୋର ପୁତ୍ରୀକୁ ଅନ୍ୟ ବର ମିଳୁନାହାଁନ୍ତି । କିନ୍ତୁ ତୁମ ପୁତ୍ରଟି ସୁଯୋଗ୍ୟ ହୋଇଥିବାରୁ, ତାହା ମୋର ମନୋନୀତ ହୋଇଛି ।”
ଏକଥା ଶୁଣି ଅବତାର ସନ୍ଦେହ କରି ବଳରାମକୁ ପଚାରିଲା, “ଏତେଗୁଡାଏ ଧନ ଏକାସଂଗେ ତୁମେ କେଉଁଠାରୁ ପାଇଲ?”
ତହୁଁ ବଳରାମ କହିଲା, “ଏ ସବୁ କେବଳ ସେହି ଯୋଗୀଙ୍କର ହିଁ କୃପା ଅଟେ । ଆମେ ସେ ବିଷୟରେ ପଛରେ କଥାହେବା । ମୁଁ ପ୍ରଥମେ ଯୋଗୀଙ୍କୁ ସାକ୍ଷାତ କରିସାରେ ।” ଯୋଗୀଙ୍କ ନାମ ଶୁଣୁ ଶୁଣୁ ଅବତାର ଖୁବ୍ ବ୍ୟସ୍ତ ହୋଇପଡିଲା ।
ତା’ପରେ ବଳରାମ ଅବତାରକୁ ଯୋଗୀ ରହୁଥିବା ସ୍ଥାନକୁ ଘେନିଗଲା । ସେହି ସମୟରେ ଯୋଗୀ ସେହି ସ୍ଥାନ ତ୍ୟାଗ କରି ଅନ୍ୟ ଏକ ଗ୍ରାମକୁ ଯିବାପାଇଁ ବାହାରିଥିଲେ । ସେ ଅବତାର ଠାରୁ ସମ୍ପୂର୍ଣ୍ଣ ଘଟଣାଟି ଶୁଣିଲେ ଓ କହିଲେ, “ମୁଁ ତୁମକୁ ଚେତାବନୀ ଦେଇଥିଲି, ଦୁରାଶାର ଜାଲରେ ଆଦୌ ଛନ୍ଦି ହୁଅ ନାହିଁ । ସେହି କାରଣରୁ ଚୋରାଦେବଙ୍କ କୃପାରୁ ତୁମେ ଲାଭ ପାଇ ପାରିଲ ।”
ଅବତାର ମନଦୁଃଖ କରି କହିଲା, “ସ୍ୱାମୀ, ମତେ ପ୍ରକୃତ ଘଟଣାଟି ସ୍ପଷ୍ଟରୂପେ କୁହନ୍ତୁ ।”
“ଏକକୋଟି ସୁନାମୋହରର ମାଲିକ ହେବ । ଫଳରେ ତୁମେ ଜଣେ ଧନବାନ ବ୍ୟକ୍ତିରେ ପରିଣତ ହେଲ । ଆଉ ଏହା ମଧ୍ୟ ଅନ୍ୟାୟ ଉପାର୍ଜିତ ଧନ । ତେଣୁ ଅନ୍ୟକେହି ଏପରି ଧନଆଶା କରିବାରୁ, ଚୋରଦେବ ତୁମଠାରୁ ଧନ ଚୋରୀ କରିନେଇ ତାକୁ ଦେଇଛନ୍ତି । ଯଦି ତୁମେ ଦଶ, ପନ୍ଦର ହଜାର ସୁନାମୋହର ଆଶା କରିଥାନ୍ତ, ତେବେ ତାହା ତୁମପାଖରେ ସୁରକ୍ଷିତ ଥାଆନ୍ତା ।” ଯୋଗୀ ସହାସ୍ୟବଦନରେ ଘଟଣାଟି କହିଲେ ।
ଏ କଥା ଶୁଣିବା ମାତ୍ରେ ବଳରାମ ଅତ୍ୟନ୍ତ ବ୍ୟସ୍ତ ହୋଇପଡି କହିଲା, “ଆରେ ବାପ୍ରେ, ମୁଁ ତ କୋଡିଏ କୋଟି ସୁନାମୋହର କାମନା କରିଛି । ଏବେ ତ ମୋର ସେହି ଧନ କୁଆଡେ ଅନ୍ତର୍ଦ୍ଧାନ ହୋଇସାରିବଣି?” ଏପରି କହି ସେ ଅଧୈର୍ଯ୍ୟ ହୋଇ ପଡିଲା ।
“ଏବେ ତାହା ସୁରକ୍ଷିତ ଅଛି । ମାତ୍ର ଏକ ସପ୍ତାହ ମଧ୍ୟରେ ତାହା ନିଶ୍ଚୟ କୁଆଡେ ଚାଲି ଯିବ ।” ଏପରି କହି ଯୋଗୀ ସେହି ଗ୍ରାମ ତ୍ୟାଗ କରି ଅନ୍ୟତ୍ର ଚାଲିଗଲେ ।
ବଳରାମର ଧନ ବିଷୟ ଜାଣିବା ପାଇଁ ଅବତାର ମନରେ ଉତ୍ସୁକତା ଜନ୍ମିଲା । ସେ ତାଙ୍କ ଘରେ ପହଁଚି ଦେଖିଲା ଖାଲି ପେଟି ପାଖରେ, ବଳରାମ ମୁଣ୍ଡରେ ହାତ ଦେଇ ଠିଆ ହୋଇଛି । ଅବତାର, ବଳରାମର ପିଠିକୁ ଥାପୁଡେଇ କହିଲା, “ଆଉ ଚିନ୍ତା କରି ଲାଭ ବା କ’ଣ? ଆମେ ଦୁହେଁ ଭାଗ୍ୟବାନ ହେବାରୁ ଅଳ୍ପକେ ବାଦ୍ ପଡି ଗଲେ । ପ୍ରଥମରୁ ଯୋଗୀ ମତେ ଉପଦେଶ ଦେଇଥିଲେ ଯେ, ଦୁରାଶା ଅତ୍ୟନ୍ତ ହାନିକାରକ ଅଟେ ।”
ଅବତାର ବଳରାମକୁ କହିଲା ।