ଗାଁର ଶେଷମୁଣ୍ଡରେ ଗୋଟିଏ ମନ୍ଦିର । ମନ୍ଦିର ପାଖରେ ଗୋଟିଏ ବିରାଟ ପୋଖରୀ । ପୋଖରୀ ଚାରିପଟେ ଗୁଡାଏ ବଡ ବଡ ଗଛମାନ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ସେହି ଗଛରେ ଗୋଟିଏ କାଉ ବସା ବାନ୍ଧି ରହିଥାଏ । ସେହି ପୋଖରୀରେ ଗୋଟିଏ ହଂସ ରହିଥାଏ । କାଉ ଓ ହଂସ ନିଜ ନିଜର ସୁଖରେ ରହିଥାଆନ୍ତି । ଦିନେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ହେବାରୁ ଦୁହେଁ ସାଙ୍ଗ ହୋଇଗଲେ । ଦିନକୁ ଦିନ ସେମାନଙ୍କର ସାଙ୍ଗ ପଣିଆ ବଢିଗଲା । ଦିନେ କାଉ ହଂସକୁ ନିଜ ଘରକୁ ନିମନ୍ତ୍ରଣ କଲା । ସେ ଗୋଟିଏ ବିରାଟ ବରଗଛ ପାଖକୁ ହଂସକୁ ନେଇଗଲା । ସେହି ବରଗଛ ମୂଳରେ ଅନେକ ବିଷ୍ଠା ଓ ପଚା ମାଂସ ହାଡ ଇତ୍ୟାଦି ପଡିଥିଲା । ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥାଏ । ଦୁର୍ଗନ୍ଧରେ ନାକ ଫାଟି ପଡୁଥାଏ । ତେଣୁ ହଂସଟି କହିଲା କାଉ ଭାଇ ଏ ସ୍ଥାନଟି ବହୁତ ଆବର୍ଜନାମୟ ସ୍ଥାନ, ମୁଁ ଏଠାରେ ରହି ପାରିବି ନାହିଁ । ମୋତେ ଅନ୍ୟ କୌଣସି ଭଲ ସ୍ଥାନକୁ ନେଇଚାଲ ।
କାଉ ହଂସକୁ କହିଲା, ହଉ ମୁଁ ତୁମକୁ ଗୋଟିଏ ଭଲ ଜାଗାକୁ ନେଇଯିବି । କାଉ ହଂସକୁ ନିକଟରେ ଥିବା ରାଜାଙ୍କର ବଗିଚାକୁ ନେଇଗଲା । ବଗିଚା ମଧ୍ୟସ୍ଥଳରେ ଥିବା ଗୋଟିଏ ଚଉତରା ପାଖରେ ଥିବା ବୃକ୍ଷ ଉପରକୁ ନେଇଗଲା । ସେତିକି ବେଳେ ରାଜା ବଗିଚାରେ ବୁଲି ବୁଲି କ୍ଳାନ୍ତ ହୋଇ ପଡି ସେହି ଚଉତରା ଉପରେ ବସି ପଡିଲେ । ରାଜା ବିଶ୍ରାମ କରୁ କରୁ ତାଙ୍କୁ ନିଦ ଆସିଗଲା । ହଂସ ଦେଖିଲା ରାଜାଙ୍କ ମୁହଁରେ ଖରା ପଡିଛି । ତେଣୁ ରାଜା ଶାନ୍ତିରେ ଶୋଇବା ପାଇଁ ସେ ତା’ର ଡେଣା ମେଲାଇ ରଖି ରାଜାଙ୍କ ମୁହଁକୁ ଛାଇରେ ରଖିଲା । ସଜ୍ଜନମାନେ ତ କାହାରି କଷ୍ଟ ସହି ପାରନ୍ତି ନାହିଁ, ତେଣୁ ସେ ରାଜାଙ୍କୁ ଛାୟା ପ୍ରଦାନ କଲା । ରାଜା ଆରାମ୍ରେ ଶୋଇ ପଡିଲେ । କାଉ ତ ଦୁଷ୍ଟ ପ୍ରକୃତିର ତେଣୁ ହଂସର ଏପରି କାର୍ଯ୍ୟରେ ସେ ରାଗିଗଲା ଓ କିଛି ସମୟ ପରେ ସେ ରାଜାଙ୍କ ଉପରେ ମଳତ୍ୟାଗ କରି ଅନ୍ୟ ଏକ ଡାଳକୁ ଉଡିଗଲା । ରାଜାଙ୍କ ଉପରେ ମଳ ପଡିବାରୁ ରାଜାଙ୍କର ନିଦ ଭାଙ୍ଗିଗଲା । ରାଜା ଭୟଙ୍କର ଭାବରେ ରାଗିଗଲେ । ସେ ଧନୁରେ ତୀର ଯୋଖି ତାଙ୍କ ଉପରେ ହଂସ ମଳତ୍ୟାଗ କରିଥିବା ସନ୍ଦେହ କରି ତାକୁ ଶର ବିନ୍ଧିଲେ । ହଂସଟି ଶାନ୍ତ ଭାବରେ ସେମିତି ବସିଥାଏ । ରାଜାଙ୍କର ତୀର ହଂସ ଦେହରେ ବାଜିବାରୁ ବିଚରା ହଂସଟି ତଳେ ପଡିଗଲା । ପ୍ରାଣତ୍ୟାଗ କରିବା ପୂର୍ବରୁ ହଂସଟି ରାଜାଙ୍କୁ କହିଲା – “ହେ ରାଜା ! ତମେ ମୋତେ ଅନ୍ୟାୟରେ ତୀର ବିନ୍ଧିଲ । ଦୁଷ୍ଟ କାଉ ତୁମ ଉପରେ ମଳତ୍ୟାଗ କଲା ଅଥଚ ମୁଁ ତୁମକୁ ଛାୟା ପ୍ରଦାନ କରୁଥିବାରୁ ମୋତେ ହତ୍ୟାକଲ ।” କାଉ ସହିତ କୁସଙ୍ଗରୁ ହଂସ ପ୍ରାଣ ତ୍ୟାଗ କଲା । ତେଣୁ କୁ- ସଙ୍ଗ ସର୍ବଦା ବର୍ଜନ କର ।