ଆକିମ୍ର ସ୍ୱାମୀ ପଦାରେ ମନମାରି ବସିଥାଏ । ଦୁଃଖରେ ସେ ଗୋଟିଏ ଦୀର୍ଘନିଶ୍ୱାସ ପକାଇଲା । ଠିକ୍ ଏତିକିବେଳେ ଝିଟିପିଟିଟିଏ ଚାଳ ଉପରେ ଥାଇ ତାକୁ ତା ମନ ଦୁଃଖର କାରଣ ପଚାରିଲା । ତହୁଁ ସେ ଲୋକଟି ତା ଦୁଃଖ କହିଲା । ସବୁ ଶୁଣି ସେ ଝିଟିପିଟି ପ୍ରଥମେ କିଛି ଖାଦ୍ୟ ମାଗିଲା । ଆକିମ୍ର ସ୍ୱାମୀ ଖାଇବାକୁ ଆଣିଦେଲା । ଝିଟିପିଟି ଆଗ ମନବୋଧ କରି ଖାଇଲା ।
ତା’ପରେ ସେ ଝିଟିପିଟି କହିଲା, “ଶୁଣ ଏ ଯେଉଁ ମାଇକିନାଟାକୁ ଘରେ ରଖିଛୁ ସେ ତୋ ସ୍ତ୍ରୀ ନୁହେଁ । ଯଦି ତୁ ତୋର ସ୍ତ୍ରୀକୁ ଦେଖିବାକୁ ଚାହୁଁ, ତେବେ କାଲି ସକାଳୁ ନଈକୂଳକୁ ଯିବୁ । ଆଉ ଯିବାବେଳେ ସାଙ୍ଗରେ କିଛି ଗବମଞ୍ଜି ନିଶ୍ଚୟ ନେଇ ଯାଇଥିବୁ । ତମ ନଈତୁଠ ଗଛ ପାଖରେ ସେ ଗବମଞ୍ଜିତକ ବୁଣିଦେବୁ । ତାପରେ ଯାହାହେବ ତୁ ଦେଖିବୁ ।
ଲୋକଟି ଝିଟିପିଟି କଥା ଭଲକରି ମନେ ରଖିଲା । ତାପରଦିନ ସକାଳୁ ତା’ରି କଥା ଅନୁସାରେ ଲୋକଟି ସବୁ କାମ ବି କଲା । ତା’ପରେ ସେ ଲୁଚିକରି ଅପେକ୍ଷା କଲା । ଅଳ୍ପ ସମୟ ପରେ ଝିଅଟି ନଈକୂଳକୁ ଆସିଲା ଓ ଆକିମ୍ର ନାଁ ଧରି ଡାକିଲା । ସେସବୁ ଦେଖି ଆକିମ୍ ସ୍ୱାମୀର ଆଖି ଝଲସିଗଲା । ବର୍ତ୍ତମାନ କ’ଣ ହଉଚି ଦେଖିବା ପାଇଁ ସେ ଲୁଚିଥାଏ । ଏଣେ ସେ ଆକିମ୍ ଆସ୍ତେ ଆସ୍ତେ ତା ଭଉଣୀ ପାଖକୁ ଆସିଲା । ଘୁଷୁରି ଘୁଷୁରି ଆସିବାବେଳେ ଯେଉଁ ଗବମଞ୍ଜି ବୁଣା ହୋଇଥିଲା ସେହିଠି ଖସଡିଯାଇ ରହିଲା । ଫଳରେ ସେ ଆକିମ୍ ଆଉ ଉଠି ପାରିଲା ନାହିଁ । ଠିକ୍ ଏହି ସମୟରେ ତା’ ସ୍ୱାମୀ ଆଢୁଆଳରୁ ବାହାରି ଏ ଜଳପରୀର ହାତଧରି ପକାଇଲା ।
ଧରାପଡିଯାଇ ଆକିମ୍ ଓ ତା’ ଭଉଣୀ ସବୁକଥା କହିଲେ । ତାପରେ ସେ ଲୋକଟି ଜାଣିଲା ଯେ, ଏଇ ଜଳପରୀ ହେଉଛି ତାର ପ୍ରକୃତ ସ୍ତ୍ରୀ । ତେଣୁ ସେ ଲୋକଟି ଆକିମ୍କୁ ଠିକ୍ ଅଧରାତିରେ ତା’ ଘରକୁ ନେଇଗଲା । ତାକୁ ତ ଜଣାଥିଲା ଯେ ଶୁଖିଲାରେ ତିନିମାସ ରହିଲେ ଲାଞ୍ଜ ପୁଣି ଗୋଡ ହୋଇଯିବ । ତେଣୁ ଆକିମ୍କୁ ନେଇ ସେ ଲୋକଟି ଗୋଟିଏ ଗୁପ୍ତ ଜାଗାରେ ଲୁଚାଇ ରଖିଲା । ତେଣୁ ସେ ଆକିମ୍ ସବୁବେଳେ ଖାଲି ଶୋଇ ରହିଲା ।
ଏହିପରି ଭାବେ ଦିନ ପରେ ଦିନ ବିତିଗଲା । ଆକିମ୍ର ମାଛଲାଞ୍ଜ ଛିଡିଯାଇ ସେଠାରୁ ଗୋଡ କଅଁଳିଲା । ପୂର୍ବାପେକ୍ଷା ସେ ବି ଆହୁରି ସୁନ୍ଦର ଦିଶିଲା । ଏଣୁ ତା ମନରେ ମଧ୍ୟ ଅନେକ ଆଶା ଚେଇଁ ଉଠିଲା । ଅତିଶୀଘ୍ର ସେ ତା’ର ସ୍ୱାମୀ ସହିତ ମହା ଆନନ୍ଦରେ ରହିବ ବୋଲି ଭାବି କାଳ କାଟୁଥାଏ । ଆନନ୍ଦରେ ବିଭୋର ହୋଇ ଆଖି ବୁଜିଦିଏ । ଦିନେ ବିଛଣାରେ ପଡି ସୁଖ-ସ୍ୱପ୍ନରେ ଭୋଳ ହୋଇଥିବାବେଳେ ସେ ଆକିମ୍ ଶୁଣିଲା ତା ସାନଭଉଣୀ ଖୁବ୍ ବିକଳ ହୋଇ କାନ୍ଦୁଛି । କାହିଁକିନା ସେ ଚାକରାଣୀ ତାକୁ ଅତି ନିର୍ଦ୍ଦୟ ଭାବରେ ମାଡ ଦେଉଛି । ଏଣେ ସେ ଆକିମ୍ ଆଉ ଏ ଦୃଶ୍ୟ ସହି ପାରିଲା ନାହିଁ ।
ଆକିମ୍ ହଠାତ୍ ଉଠିଯାଇ ବାଡିଖଣ୍ଡିକ ସେ ଚାକରାଣୀ ହାତରୁ ଛଡାଇ ଆଣିଲା । ଚାକରାଣୀ ଆକିମ୍କୁ ଦେଖି ଭୂତ ଦେଖିବା ଭଳି ଚମକି ପଡିଲା । କାରଣ ସେ କ’ଣ ଜାଣିଥିଲା ଯେ, ଆକିମ୍ ଆଉ ବଂଚିଛି? ତେଣୁ ଅତ୍ୟନ୍ତ ଭୟରେ ସେ ଚାକରାଣୀ ମୂକ ପାଲଟି ଗଲା । ଠିକ୍ ଏଇ ସମୟରେ ସେ ଆକିମ୍ର ସ୍ୱାମୀ ମଧ୍ୟ ଆସି ସେଠାରେ ପହଁଚିଗଲା । କାରଣ ପିଲାଟିର ବିକଳ କାନ୍ଦଣା ତା କାନରେ ବି ବାଜିଥାଏ । ତାପରେ ଆକିମ୍ର ସ୍ୱାମୀ ସେ ଚାକରାଣୀକୁ ବହୁତ ଅପମାନ ଦେଇ ସେ ଘରୁ ତାକୁ ବାହାର କରିଦେଲା । ଚାକରାଣୀ ଗାଳି ଅପମାନ ଶୁଣି କାନମୁଣ୍ଡା ଆଉଁସି ନିଜବାଟରେ ଗଲା ।
ଏହାପରେ ସେ ଆକିମ୍ର ବାହାଘର ଖୁବ୍ ଜାକଜମକରେ ହେଲା । ବାହାଘର ମଉଜରେ ସାନଭଉଣୀ ଅତୀତର ସବୁ ଦୁଃଖକଷ୍ଟ ଭୁଲିଗଲା । ବଡଭଉଣୀ ପାଖରେ ତା’ସାନ ଭଉଣୀର ଦିନଗୁଡିକ ଅତି ଆନନ୍ଦରେ କଟିଲା । ଦୁଃଖ ପରେ ସୁଖ ଆସେ, ଅନ୍ଧାର ପରେ ପୁଣି ଆଲୁଅ ଆସେ । ଠିକ୍ ସେହିପରି ସେ ଦି’ ଭଉଣୀଙ୍କ ଜୀବନରେ ଯେଉଁ ଅନ୍ଧାର ଘୋଟି ଯାଇଥିଲା ତାହା ପୁଣି ବଦଳିଯାଇ ଆଲୁଅ ଦେଖାଦେଲା । ପରିଶେଷରେ ସେ ଦିହେଁ ଅତି ଆନନ୍ଦରେ ଦିନ ବିତାଇଲେ ।