ଗୋଟିଏ ପଦ୍ମ ପୋଖରୀରେ ବହୁତ ପ୍ରକାରର ମାଛ ରହୁଥିଲେ । ଆଉ ସେହି ପୋଖରୀର ପାଣି ବି ଭାରି ମିଠା । ଗୋଟିଏ ବଗ ସବୁଦିନ ସକାଳୁ ଆସି ପୋଖରୀ କୂଳେ କୂଳେ ବୁଲି ଛୋଟ ଛୋଟ ମାଛ ଖାଏ । ସେହି ପୋଖରୀକୁ ଲାଗି ଏକ ବଡ ବରଗଛ ଥିଲା । ସେହି ବରଗଛ ଉପରେ ଆସି ଏକ ଚିଲ ବସାକଲା । ଦିନେ ସେ ଚିଲକୁ ବହୁତ ଶୋଷ ଲାଗିଲା । ତେଣୁ ସେ ଯାଇ ପଦ୍ମ ପୋଖରୀରୁ ପାଣି ପିଇଲା । ଭାବିଲା ଏହି ପୋଖରୀର ପାଣି ଯଦି ଏତେ ମିଠା ତାହେଲେ ଏହି ପୋଖରୀର ମାଛ ଗୁଡାକ କେତେ ମିଠା ହୋଇ ନଥିବେ । ଏକଥା ଭାବି ସେ ଚିଲ ପାଟିରୁ ଖାଲି ଲାଳ ଗଡିଲା । ଏଣେ ତା ମନକୁ ବି ପାପ ଛୁଇଁଲା ।
ଦିନକର କଥା । ଚିଲ ଯାଇ ସେ ପୋଖରୀ ହୁଡାରେ ପହଁଚି ଗଲା । ଚିଲକୁ ଦେଖି ବଗ ହଠାତ୍ ରାଗିଗଲା । ବଗ କହିଲା – “ତୁ କିଏ? ତତେ ଏଠିକି ଆସିବାକୁ କିଏ ଅନୁମତି ଦେଲା? ଏ ପୋଖରୀରୁ ତ କେବଳ ମୁଁ ହିଁ ମାଛ ଧରେ । ଯା ପଳା ଏଠୁ । ଯେତେ ଶୀଘ୍ର ପାରୁଛୁ ଏ ବରଗଛ ଛାଡି ଚାଲିଯା ।” ତହୁଁ ସେ ଚିଲ କହିଲା – ‘ବଗଭାଇ’ ତୁମେ ଜମାରୁ ବ୍ୟସ୍ତ ହୁଅନି । ମୁଁ ତୁମର ଜଣେ ସଚ୍ଚା ମିତ୍ର ଓ ସହଯୋଗୀ । ଆଜିଠାରୁ ତୁମେ ଓ ମୁଁ ଏହି ବରଗଛରେ ରହିବା । ଏ ସଂସାରରେ ମୋର ଆଉ କେହି ନାହାଁନ୍ତି; ତୁମର ବି କେହି ନାହାଁନ୍ତି । ତାପରେ ସେ ବଗ ଚିଲର ମିଠା ମିଠା କଥାରେ ଭାସିଗଲା । ଏଥୁଅନ୍ତେ ସେ ଦୁହେଁ ପଦ୍ମ ପୋଖରୀକୁ ଲାଗି ରହିଥିବା ବରଗଛରେ ବସାବାନ୍ଧି ରହିଲେ ।