ଦୁଷ୍ଟ ଚିଲ ବଗର ମରିଯିବା ପରେ ଅତ୍ୟନ୍ତ ଖୁସି ହୋଇଗଲା । ମନେ ମନେ ଭାବିଲା ତା ବାଟର ଗୋଟେ କଂଟା ଗଲା । ଏଥର ସେ ଚିଲ ତା’ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ବି ଆଣି ପାଖରେ ରଖିବ । ତାପରେ ସେ ଚିଲ ପରିବାର ଏହି ପୋଖରୀର ମାଛ ଖାଇ ଓ ପୋଖରୀର ମିଠା ପାଣି ପିଇ ଅତିଶୟ ଖୁସିରେ ଦିନ କଟାଇବେ । ଏହାପରେ ଦୁଷ୍ଟ ଚିଲର ପରିବାର ସେ ପୋଖରୀ ମଧ୍ୟକୁ ଗଲେ । କଙ୍କଡା ତ ଏହି ମଉକାରେ ଥିଲା । ତେଣୁ ସେ ଜୋକମାନଙ୍କୁ କହିଲା – ଚିଲମାନେ ଯେତେବେଳେ ପାଣି ଭିତରେ ପଶି ମାଛ ଖାଇବେ ସେତିକିବେଳେ ତୁମେ ମାନେ ଶହ ଶହ ସଂଖ୍ୟାରେ ସେମାନଙ୍କ ଦେହରେ ଲାଗିଯିବ । ଏମିତିକି ସେମାନଙ୍କ ଦେହରୁ ସବୁତକ ରକ୍ତ ଶୋଷି ଦେବ । କାହିଁକିନା ଚିଲ ମାନଙ୍କ ଦେହରୁ ରକ୍ତ କମିଗଲେ ସେମାନଙ୍କର ବଳ ଓ ଶକ୍ତି ବି କମିଯିବ । ସେଇ ମଉକାରେ ଆମ୍ଭେ କଙ୍କଡାମାନେ ସମସ୍ତେ ମିଶି ସେ ଚିଲମାନଙ୍କୁ କାମୁଡିବା ଆରମ୍ଭ କରିବୁ । ତାପରେ ଶିଙ୍ଗି ମାଛ, କଂଟିଆ ଭଳି ମାଛମାନେ ସେମାନଙ୍କୁ ବିନ୍ଧିବେ । କାମୁଡା ବିନ୍ଧାରେ ସେ ଚିଲମାନଙ୍କର ଅବସ୍ଥା ପୁରାପୁରି ଖରାପ୍ ହୋଇଯିବ ।
ଚତୁର ରାମଲେଖନି କଙ୍କଡା ଯାହା ଯାହା ଆଦେଶ ଦେଇଥିଲା ଜୋକ ମାନେ ବି ଠିକ୍ ସେଇଆ କଲେ । ସବୁ ଜୋକମାନେ ଚିଲ ପରିବାରର ସମସ୍ତ ସଦସ୍ୟଙ୍କର ଖାଲି ରକ୍ତ ଶୋଷିବାକୁ ଲାଗିଲେ । ପରେ ପରେ କଙ୍କଡା ମାନେ ମଧ୍ୟ ଚିଲମାନଙ୍କୁ କାମୁଡିବା ଆରମ୍ଭ କରିଦେଲେ । ଏହା ପରେ ସିଙ୍ଗି ମାଛ ଓ କଂଟିଆ ଭଳି ମାଛମାନେ ସେ ଚିଲମାନଙ୍କୁ ବିନ୍ଧିବାକୁ ଲାଗିଲେ । ଫଳତଃ ଯନ୍ତ୍ରଣା କଷ୍ଟ ସହି ନ ପାରି ଅନେକ ଚିଲ ମରିଗଲେ । ବାକି ଚିଲ ସେ ପୋଖରୀରୁ ବାହାରି ବରଗଛକୁ ଫେରିଗଲେ ।
ଏଥର ସେ ଦୁଷ୍ଟ ଚିଲ କରିଥିବା ବିଶ୍ୱାସ ଘାତକତା ଓ ଲୋଭ ପାଇଁ ଉଚିତ୍ ଦଣ୍ଡ ପାଇଲା । ସେହି ଦିନ ଠାରୁ ସେ ଦୁଷ୍ଟ ଚିଲ ଆଉ ଭୁଲ୍ରେ ବି ସେ ପଦ୍ମ ପୋଖରୀରେ ପଶିବାକୁ ମୋଟେ ସାହସ କଲାନାହିଁ । ଯନ୍ତ୍ରଣା କଷ୍ଟ ଓ ଖାଇବାକୁ ନ ପାଇ ଶେଷରେ ସେ ଦୁଷ୍ଟ ଚିଲ ଦିନ ଦୁଇଟାରେ ମରିଗଲା । ସେହି ଦିନଠାରୁ ସମସ୍ତ ମାଛ ପରିବାର ଖୁବ୍ ଶାନ୍ତିରେ ପୋଖରୀରେ ରହିଲେ । କିଛି ଦିନ ପରେ ପୁଣି ରୋହି ବଂଶ ବଢିଗଲା । ତାପରେ ସମସ୍ତେ ସେ ଚତୁର କଙ୍କଡାକୁ ଧନ୍ୟବାଦ ଦେଲେ । ମୁଖିଆ ରୋହିମାଛ ବି ସେ ଚତୁର କଙ୍କଡାକୁ ତା’ର ବୁଦ୍ଧି ପାଇଁ ବହୁତ ପ୍ରଶଂସା କଲା । ପରିଶେଷରେ ସମସ୍ତେ ମିଳିମିଶି ଅତ୍ୟନ୍ତ ଆନନ୍ଦରେ ଦିନ କଟାଇଲେ ।