ତା’ପରେ ସେମାନେ ସୁବଳ ଓ ସୁକୁମାରୀର ଗାଁ ଆଡେ ଚାଲିଲେ । ଗାଁ ଭିତରେ ପଶିବା ବେଳକୁ କୂଅ ପାଖରେ ସେମାନେ ଅନେକ ଲୋକ ଜମା ହୋଇଥିବାର ଦେଖିଲେ । ସେମାନଙ୍କ ଭିତରେ ଚାଂଚଲ୍ୟ ଖେଳି ଯାଇଥାଏ । କଥା କ’ଣ? ସୁକୁମାରୀ ରାଜାଙ୍କୁ ବାହା ହେବ ବୋଲି ଜିଗର୍ ଲଗାଇଥାଏ । ତା’ ବାପା ତାକୁ ପାଗଳିନୀ କହିବାରୁ ସେ ସିଧା କୂଅକୁ ଡେଇଁ ପଡୁଥିଲା, ଦୈବାତ୍ ସେ ଗାଁର ଚୌକିଦାର ଦୌଡିଆସି ତାକୁ ଟାଣି ଧରି ରକ୍ଷା କଲା । ଛଦ୍ମବେଶୀ ରାଜା ଓ ମନ୍ତ୍ରୀ, ଝିଅକୁ କହିଲେ କି ସେମାନେ ରାଜାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବେ । ରାଜା ପାଖ ବଣକୁ ଶୀକାର ପାଇଁ ଆସିଛନ୍ତି । ଏକଥା ଶୁଣିବା କ୍ଷଣି ସୁକୁମାରୀ ଆଶ୍ୱସ୍ତ ହେଲା ।
ଏଥିଉତାରେ ରାଜା ମନ୍ତ୍ରୀ ସେଠାରୁ ଚାଲିଗଲେ । ଏହାର ଦୁଇଘଂଟା ପରେ ଦୁଇଜଣ ପ୍ରହରୀ ଆସି ସୁକୁମାରୀ ବାପାକୁ କହିଲେ, “ରାଜା ଶୀକାର ପାଇଁ ବଣରେ ଦୌଡୁଥିବା ବେଳେ ପଡିଗଲେ । ତାଙ୍କ ବେକରେ ରକକା ରହିଯାଇଛି । ସେ କାହାରି ଘରେ ବିଶ୍ରାମ ନେବେ । ଏ ଗାଁରେ ସବୁଠାରୁ ପ୍ରଶସ୍ତ ଓ ଉତ୍ତମ ଘର କାହାର ଅଛି?”
ସେମାନଙ୍କ କଥା ଶୁଣି ସୁକୁମାରୀ ବାହାରି ଆସି ଆନନ୍ଦ ଓ ଉତ୍କଣ୍ଠା ସହକାରେ କହିଲା, “ଆମରି ଘରହିଁ ସବୁଠାରୁ ପ୍ରଶସ୍ତ ଓ ଉତ୍ତମ । ରାଜାଙ୍କୁ ଏହିଠାକୁ ନେଇଆସ ।”
ପ୍ରହରୀ ଦୁଇଜଣ ଚାଲିଗଲେ । ରାଜା ଆସି ପହଁଚିଲେ । ତାଙ୍କୁ ଚାରି ପାଂଚଜଣ ଧରାଧରି କରି ଶୁଆଇ ଦେଲେ । ରାଜା ରୁକ୍ଷ ଭାବରେ କହିଲେ, “ଏଇଟା ଘର ନା ମଶାଣି?” ତାଙ୍କ କଥା ଶୁଣି ସୁକୁମାରୀର ମୁହଁ ହଠାତ୍ ଫିକା ପଡିଗଲା । ଯାହାହେଉ, ସେ ତାଙ୍କ ସେବାରେ ମନ ଦେଲା ।
ସନ୍ଧ୍ୟା ବେଳକୁ ରାଜା ତାଙ୍କର ଜଣେ ପାଖ ଲୋକଙ୍କୁ କହିଲେ, “ମଦ ଆଣ!”
ସୁକୁମାରୀ କହିଲା, “ମଣିମା! ଆପଣ କ’ଣ ଏ ଅସୁସ୍ଥ ଅବସ୍ଥାରେ ମଦ ପିଇବେ?”
ରାଜା ପଚାରିଲେ “ଚୋପ୍ ଝିଅ, ଚୋପ୍! ତୋତେ ବି ପିଆଇବି । ତୁ ନାଚି ଜାଣୁ?”
“ନା, ମଣିମା!”
ରାଜା ମଦ ପିଇ ମାତାଲ ହେବା ଭଙ୍ଗୀରେ କହିଲେ, “ନାଚ କହୁଛି, ନହେଲେ ଚାବୁକ୍ରେ ପିଟି ପିଟି ମୁଁ ତୋର ଛାଲ ଉତାରି ଦେବି ।”
ସୁକୁମାରୀ ଡରିଯାଇ ସେ କୋଠରୀରୁ ପଳାଇ ଗଲା । ଏହାପରେ ରାଜା ଜୁଆଖେଳରେ ମନ ଦେଲେ ଓ ଭୀଷଣ ଚିତ୍କାର କଲେ । ତା’ପରେ ମନ୍ତ୍ରୀଙ୍କୁ ସେ କହିଲେ, “ରାଜ୍ୟରୁ ଅଧା ବିକିଦିଅ । ମୁଁ ବଡ ସହରକୁ ଯାଇ ସେଠାରେ ଅନ୍ୟ ରାଜାମାନଙ୍କ ସହ ଜୁଆ ଖେଳିବି ।”
ସୁକୁମାରୀ ଏହା ଶୁଣିଲା । ତେଣିକି ସେ ଆଉ ରାଜାଙ୍କ ଆଗକୁ ବାହାରିଲା ନାହିଁ ।
ତୃତୀୟ ଦିନ ରାଜା ହଠାତ୍ ଘର ପଛପଟ କୂଅ ପାଖକୁ ଯାଇ ସେଠାରେ ସୁକୁମାରୀକୁ ଦେଖି ପଚାରିଲେ, “ହଇରେ ଝିଅ! ତୁ ଦେଖିବାକୁ ମନ୍ଦ ନୋହୁଁ । ମୋତେ ବାହା ହେବୁ?”
“ମଣିମା! ମୁଁ ଆପଣଙ୍କ ଯୋଗ୍ୟ ନୁହେଁ । ମୋଠାରୁ ବହୁତ ଅଧିକ ସୁନ୍ଦରୀ କନ୍ୟା ଆପଣଙ୍କୁ ମିଳିବେ ।” ସୁକୁମାରୀ ଏତକ କହିଦେଇ ସେଠାରୁ ଚାଲିଗଲା ।
ରାଜା ମନେ ମନେ ହସିଲେ ଓ ନିଜକୁ କହିଲେ, “ଝିଅଟି କହୁଛି କି ମୁଁ ତା’ର ଯୋଗ୍ୟ ନୁହେଁ! ବାସ୍ । ଏଥର ମୋ ଉଦ୍ଧେଶ୍ୟ ସଫଳ ହେଲା ।”
ରାଜା ଚାଲିଗଲେ । ଦୁଇ ଚାରିଦିନ ପରେ ସୁବଳ ସିଧାସଳଖ ଯାଇ ସୁକୁମାରୀକୁ ନିଜ ମନ କଥା କହିଲା । ସୁକୁମାରୀ ତା’ ପ୍ରସ୍ତାବରେ ସମ୍ମତି ଦେଲା ଓ ପରେ ସେ ଉଭୟେ ବିଭା ହେଲେ ।
ମନ୍ତ୍ରୀ ପଚାରିଲେ “ମହାରାଜ! ଆପଣ ଯେଉଁ ଅଭିନୟ କଲେ, ତାହା ତ ମିଥ୍ୟାଚାର ହେଲା!
ରାଜା କହିଲେ “ମନ୍ତ୍ରୀବର! ଏହାକୁ ଜମାରୁ ମିଥ୍ୟାଚାର କହିହେବ ନାହିଁ । ସୁକୁମାରୀ ବ୍ୟକ୍ତିଗତ ଭାବରେ ମୋତେ ଜାଣି ନଥିଲା । ତେବେ ସେ କାହାକୁ ବାହା ହେବାକୁ ଆଗ୍ରହୀ ଥିଲା? ରାଜପଦକୁ ନା ମୋ ରାଜ୍ୟକୁ? ମୁଁ ମଦପିଏ ନାହିଁ ବା ଜୁଆ ବି ଖେଳେ ନାହିଁ । କିନ୍ତୁ ମୁଁ ମଦ ପିଇବା ବା ଜୁଆ ଖେଳିବା ଅସମ୍ଭବ କଥା ବୋଲି କେହି କହିପାରିବ କି? ମୁଁ ଭଲ ହେବା ଯେତିକି ସମ୍ଭବ, ଖରାପ ହେବା ମଧ୍ୟ ସେତିକି ସମ୍ଭବ । ସେ ତ କିଛି ନଜାଣି ବାହା ହେବାକୁ ନିଶ୍ଚୟ କରିଥିଲା, ପୁଣି ବାହା ନ ହୋଇ ପାରିଲେ ଆତ୍ମହତ୍ୟା କରିବାକୁ ବସିଥିଲା । ଏହା ତୁଚ୍ଛା ଭାବପ୍ରବଣତା ନୁହେଁ ତ ଆଉ କ’ଣ ବା ହୋଇପାରେ? ତା ଭାବପ୍ରବଣତା ଓ ଜିଦିକୁ ପ୍ରେମ ବୋଲି କେବେବି କହିଦେବ ନାହିଁ ।”
“ଠିକ୍ କଥା ଆଜ୍ଞା ।” ଏହା କହି ମନ୍ତ୍ରୀ ରାଜାଙ୍କ କଥାକୁ ସମର୍ଥନ କଲେ ।