ଏବେ ତ ତାଙ୍କ ଧନ ସରିଗଲା । ପୁସ୍ତକ ଛପାହେବ କିପରି? ଏହି ଚିନ୍ତାରେ ସୁଗନ୍ ପୁଣିଥରେ ଦେଶାଟନରେ ବାହାରିଲେ । କେତେ ବର୍ଷର ପ୍ରୟାସ ଓ ଧନ ସଂଗ୍ରହ ପରେ ଅଟକି ରହିଥିବା ପୁସ୍ତକ ପ୍ରକାଶନ କାର୍ଯ୍ୟ ଆରମ୍ଭ ହେଲା । ହେଲେ ଏଥର ପୁଣି ଆଉ ଏକ ଅସୁବିଧା ତାଙ୍କର ପଥରୋଧ କଲା । ସେହି ବର୍ଷ ଜାପାନରେ ମହାମାରୀ ବ୍ୟାପିଲା । ଲୋକମାନେ ପୋକମାଛି ପରି ମଲେ । ପୀଡିତ ଲୋକଙ୍କୁ ବଂଚାଇବା ପାଇଁ ସୁଗନ୍ଙ୍କର ଅନ୍ତର ସତେ ଯେମିତି କାନ୍ଦିଉଠିଲା । ତାଙ୍କର ସହଯୋଗୀଙ୍କର ବାରଣସତ୍ତ୍ୱେ ସେ ସଂଗୃହୀତ ସମସ୍ତ ଅର୍ଥକୁ ପୁନଃ ପୀଡିତଙ୍କ ମଧ୍ୟରେ ବାଂଟିଦେଲେ ।
କହିବା ବାହୁଲ୍ୟ ଯେ, ତଥାପି ମଧ୍ୟ ସେ ତେଗ୍ସୁଗନ୍ଙ୍କର ପୁସ୍ତକ ପ୍ରକାଶନ କାର୍ଯ୍ୟ ବନ୍ଦ ହୋଇନଥିଲା । ପୁଣି ଆଉ କୋଡିଏ ବର୍ଷକାଳ ଲାଗି ସେ ଅର୍ଥସଂଗ୍ରହ କଲେ । ଏଥର ପ୍ରଚୁର ଅର୍ଥ ସଂଗ୍ରହ କରି ତାଙ୍କ ମୃତ୍ୟୁର ଏକବର୍ଷ ପୂର୍ବରୁ ସନ୍ଥ ତେଗ୍ସୁଗନ୍ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ବୌଦ୍ଧସୂତ୍ରଗୁଡିକର ପ୍ରଥମ ଜାପାନୀ ସଂସ୍କରଣ ଉପଲବ୍ଧ କରାଇଥିଲେ । ସେହି ବିରଳ ପୁସ୍ତକ ଆଜି ମଧ୍ୟ ଓବାକୁ ବିଶ୍ୱବିଦ୍ୟାଳୟରେ ସୁରକ୍ଷିତ ରଖାଯାଇଛି । ୧୬୮୧ ମସିହାରେ ପ୍ରକାଶିତ ଏହି ଗ୍ରନ୍ଥର ଷାଠିଏହଜାର କପି ଉପଲବ୍ଧ ହୋଇଥିଲା, ଯାହା ତେଗ୍ସୁଗନ୍ଙ୍କର ସଂକଳ୍ପ, କରୁଣା ଓ ସମର୍ପଣର କଥା କହିଥାଏ ।
ସୁତରାଂ ଏତିକି କହିଲେ ଠିକ୍ ହେବ ଯେ –
“କଠୋର ସାଧନା ବଳେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇବ ଦିନେ
ତେଗ୍ସୁଗନ୍ଙ୍କ କଥାରୁ ଜାଣିବା ଘଟିଥିଲା ଯାହା ତାଙ୍କ ଜୀବନେ ।
ଯାହା ଭାବୁଥିଲେ ତାହା କରୁଥିଲେ ଦୃଢ ଇଚ୍ଛାଶକ୍ତି ବଳେ ସୁଗନ୍
ତାଙ୍କ ଭଳି ଆମେ ନହେବା କାହିଁକି ଚିନ୍ତା କର ସର୍ବେ ଆପଣା ମନ?”