ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦେବକନ୍ୟା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ  ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜନ୍, ଅର୍ଦ୍ଧ ରାତ୍ରି ସମୟରେ ଏହି ଭୟାନକ ଶ୍ମଶାନରେ ଆପଣଙ୍କ କର୍ମଠତା, ଦୃଢସଂକଳ୍ପ ଓ କଷ୍ଟ ସହିବାର ଶକ୍ତି ଦେଖି ମୁଁ ଆପଣଙ୍କୁ ପ୍ରଶଂସା ନକରି ଆଉ ରହି ପାରୁନାହିଁ । ହୋଇପାରେ ଆପଣ ବଚନବଦ୍ଧ ଓ ବଚନ ପୂର୍ଣ୍ଣ କରିବା ପାଇଁ ଏହି କଷ୍ଟ ସ୍ୱୀକାର କରୁଛନ୍ତି । ମୋର ମଧ୍ୟ ମତ ମଣିଷ ପକ୍ଷରେ ବଚନ ଭାଙ୍ଗିବା ଉଚିତ୍ ନୁହେଁ । ଦେବତାଙ୍କ ପକ୍ଷରେ ମଧ୍ୟ ସେହିପରି ଆଶିର୍ବାଦ ଫେରାଇ ନେବା ଉଚିତ୍ ନୁହେଁ । ଆଚ୍ଛା ଏବେ ତୁମେ କ୍ଳାନ୍ତ, ତୁମର ବିଶ୍ରାମ ହେବ ବୋଲି ତୁମକୁ ଗୋଟିଏ ଛୋଟ କଥା କହୁଛି ମନଦେଇ ଶୁଣ । ତଦ୍ୱାରା ତୁମର ଶ୍ରମଭାର ଲାଘବ ହେବ ।” ତା’ପରେ ବେତାଳ ଗପିଲା:

                ଚକ୍ରଧରପୁରରେ ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି ଥାଏ । ପିଲାଦିନରୁ ପିତୃମାତୃହୀନ, ଆଈ ତାକୁ ମଣିଷ କରିଛି । ପୈତୃକ ସମ୍ପତ୍ତି ବୋଲି ଦଶ ଏକର ଅନାବାଦୀ ଜମି । ଫସଲ କେବେ ହୋଇନାହିଁ ପଡିଆ ପଡିଥାଏ । ଦିନେ ତାକୁ ନିଜ କୁଡିଆରେ ନିଦ ଆଦୌ ହେଲାନାହିଁ, ତେଣୁ ସେ କୁଡିଆରୁ ବାହାରି ଯାଇ ନିଜ ଜମି ଉପରେ ଶୋଇଲା । ସେଠାରେ ଟିକିଏ ଭୟ ଲାଗିବାରୁ ନିଦ ହେଉ ନଥାଏ । କେତେ ସମୟ ପରେ ଆକାଶରେ ଚନ୍ଦ୍ର ଉଦୟ ହେବାରୁ ଚାରିଦିଗ ଜ୍ୟୋତ୍ସାଲୋକରେ ଉଜ୍ଜ୍ୱଳ ହୋଇ ଉଠିଲା, ଶୀତଳ ପବନ ବହିଲା ଓ ଚନ୍ଦ୍ରକାନ୍ତ ଶୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ