ଏକଥା ଶୁଣିବା ମାତ୍ରେ ଚନ୍ଦ୍ରକାନ୍ତ ରାଜନଅର ଅଭିମୁଖେ ଚାଲିଲା । ସେଠାରେ ପହଁଚି ରାଜାଙ୍କୁ ଦେଖାକରି କହିଲା ଯେ ସେ ଶିଘ୍ର ଫୁଲ ଆଣି ତାଙ୍କର ରୋଗ ଉପଶମ କରିବ । ରାଜା ଚନ୍ଦ୍ରକାନ୍ତକୁ ବଳିଥିବା ବାକି ମଞ୍ଜିତକ ଦେଇଦେଲେ । ଚନ୍ଦ୍ରକାନ୍ତ ମଞ୍ଜିତକ ନେଇ ନିଜ ଜମିରେ ବୁଣିଲା । ଅଳ୍ପଦିନ ମଧ୍ୟରେ ଗଜା ଦେଖାଦେଲା ଓ ସେଥିରୁ ଗଛ ବାହାରିଲା, ତା’ପରେ ସେ ଗଛ ଟିକିଏ ବଡ ହେବା ପରେ ସେଥିରେ କଢଟିଏ ଦେଖାଦେଲା ଓ କଢଟି ଏକ ସୁନ୍ଦର ସୁନେଲି ରଙ୍ଗର ଫୁଲରେ ପରିଣତ ହେଲା । ରାତିରେ ଦେବକନ୍ୟା ଆସି ଫୁଲଟି ଦେଖି ବହୁତ ଖୁସି ହେଲେ ଓ ଭାବିଲେ, “ଏଇଟି ମୁଁ ପୂଜା ପାଇଁ ନେଇଯିବି ।” ଏତିକି ଭାବି ସେ ତୋଳିବାକୁ ଗଲେ । ଠିକ୍ ଏତିକିବେଳେ ଚନ୍ଦ୍ରକାନ୍ତ କହିଲା, “ନାହିଁ, ନାହିଁ, ଏ ଫୁଲ ତୁମପାଇଁ ନୁହେଁ । ଏଥିରେ ରାଜା ଆରୋଗ୍ୟ ହେଲେ ମୁଁ ଅଧା ରାଜ୍ୟ ପାଇବି । କ’ଣ ବୁଝିଲ ତ?”
ଚନ୍ଦ୍ରକାନ୍ତର ଏଭଳି କଥା ଶୁଣି ଦେବକନ୍ୟା ନିରାଶ ହେଲେ । ସେ କେବେ ବି ଭାବି ନଥିଲେ ଯେ ଚନ୍ଦ୍ରକାନ୍ତ ଏପରି ଭାବରେ ବଦଳିଯିବ । ସେ କହିଲେ, “ମୁଁ ତୁମକୁ ବରଦାନ ଦେବାବେଳେ କହିଥିଲି ଯେ ଏ ବଗିଚାରେ ଯେ କୌଣସି ଫୁଲ ମୁଁ ତୋଳିପାରେ – ଏକଥା ତୁମେ କ’ଣ ଏତେ ଶୀଘ୍ର ଭୁଲିଗଲ?”
ଚନ୍ଦ୍ରକାନ୍ତ କହିଲା, “ଏବେ ସେକଥା ଭୁଲିଯାଅ । ଏ ଫୁଲ ମୋତେ ରାଜ୍ୟରୁ ଅଧେ ଦିଆଇଦେବ । ଏହାକୁ ନିଅନାହିଁ ।”
“ଆଚ୍ଛା, ତେବେ ଏପରି କଥା?” ଏତିକି କହି ଦେବକନ୍ୟା ହଠାତ୍ ଅଦୃଶ୍ୟ ହୋଇଗଲେ ।
ଦେବକନ୍ୟାଙ୍କର ଅସନ୍ତୁଷ୍ଟ ପାଇଁ ଚନ୍ଦ୍ରକାନ୍ତ ଟିକିଏ ମଧ୍ୟ ଅନୁତାପ କଲାନାହିଁ । ସକାଳ ହେବା ମାତ୍ରେ ଫୁଲଟି ଧରି ସେ ରାଜଧାନୀ ଅଭିମୁଖେ ଚାଲିଲା । ସେଠାରେ ପହଁଚି ସେ ଦେଖିଲା ଏଠି ସେଠି ବହୁତ ଲୋକ ମୁହଁ ଶୁଖାଇ ଠିଆ ହୋଇଛନ୍ତି । ସେଠାରେ ସେ ସମସ୍ତଙ୍କୁ ପଚାରି ବୁଝିଲା ରାଜାଙ୍କର ମୃତ୍ୟୁ ହୋଇଛି । ସେ ନିଜର ଦୁଃଖପୂର୍ଣ୍ଣ ଅନୁତପ୍ତ ହୃଦୟ ନେଇ ଘରକୁ ଲେଉଟିଲା । ଏଠି ଆସି ସେ ଦେଖିଲା ଯେ ବଗିଚାର ସବୁ ଫୁଲଫଳ ଗଛ ମରି ଯାଇଛି । ଆଉ ତା’ ହାତରେ ମଞ୍ଜି ଆଗପରି ଗଜା ହେଲାନାହିଁ ।
ଗଳ୍ପଟି ଏଇଠି ଶେଷ କରି ବେତାଳ ପଚାରିଲା, “ରାଜନ୍, ଦେବକନ୍ୟା ଚନ୍ଦ୍ରକାନ୍ତ ଉପରେ ରାଗିଲେ କାହିଁକି? ତାଙ୍କୁ ଫୁଲ ତୋଳିବାକୁ ନ ଦେବାରୁ? ନା ସେ ରାଜା ହେବାକୁ ଲୋଭ କରୁଥିବାରୁ? ଜଣେ ଦେବକନ୍ୟା ଏଭଳି ଛୋଟ କଥାରେ ରାଗିବା କ’ଣ ଉଚିତ୍? ଏହାର ଉତ୍ତର ଜାଣି ମଧ୍ୟ ଯଦି ତୁମେ ନୀରବ ରହିବ, ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ଏଥୁଅନ୍ତେ ବିକ୍ରମ ଉତ୍ତର ଦେଲେ, “ଦେବକନ୍ୟାଙ୍କର କୌଣସି କ୍ରୋଧ ବା ସ୍ୱାର୍ଥ ନ ଥିଲା । ଚନ୍ଦ୍ରକାନ୍ତ ଦିନକୁ ଥରେ ମଧ୍ୟ ଖାଇବାକୁ ପାଉ ନଥିଲା, ଭଲ ଲୁଗା ଖଣ୍ଡିଏ ବି ତା’ର ପିନ୍ଧିବାକୁ ନଥିଲା, କୁଡିଆଟିରେ କୌଣସି ମତେ ସେ ରହୁଥିଲା । ଦେବକନ୍ୟାଙ୍କ ଦୟାରୁ ତାକୁ ସବୁ ମିଳିଲା । ଏ ସବୁର ବିନିମୟରେ ଦେବକନ୍ୟା କେବଳ ମାତ୍ର ଚାହୁଁଥିଲେ କିଛି ଫୁଲ ସେ ପୂଜା ପାଇଁ ନେବେ, ଚନ୍ଦ୍ରକାନ୍ତ ଏଥିରେ ଖୁସି ହୋଇ ରାଜି ବି ହୋଇଥିଲା । କିନ୍ତୁ ସେ ଟଙ୍କା ଯେତେ ଅର୍ଜନ କଲା ସେତେ ଅଳସୁଆ ହେଲା, ସ୍ୱାର୍ଥପର ହେଲା, ପଶାଖେଳି ସମୟ ବିତାଇଲା । ଏପରିକି ରାଜ୍ୟର ଲୋଭରେ ପଡି ଦେବକନ୍ୟାଙ୍କୁ ଖରାପ ବ୍ୟବହାର କଲା ଯିଏ ତା’ର ଭାଗ୍ୟ ଫେରାଇ ଆଣିବାରେ ସହାୟତା କରିଥିଲେ । ଏପରି ବ୍ୟକ୍ତି ଅଧେ ରାଜ୍ୟ ପାଇ ରାଜା ହେଲେ ପ୍ରଜାଙ୍କ ଦୁର୍ଦ୍ଦଶାର ସୀମା କୌଣସି ରହିବ ନାହିଁ । ପୁଣି ରାଜାଙ୍କୁ ଯେଉଁ ଫୁଲ ଦେବାକୁ ନେଉଛି, ତାହା ଦେବକନ୍ୟାଙ୍କ ଦୁଃଖ ଯୋଗୁଁ ମଉଳି ଗଲାଣି । ଦେବକନ୍ୟା ଦୁଃଖିତ ହେଉଥିଲେ କାରଣ ସେ ହୃଦୟଙ୍ଗମ କରିଥିଲେ ଯେ ସେ ଏ ବରଦାନ ପାଇଁ ଯୋଗ୍ୟ ନୁହେଁ । କିନ୍ତୁ ଯାହା କିଛି ବି ଘଟିଲା ତାହା ଦେବକନ୍ୟାଙ୍କ କ୍ରୋଧବଶରୁ ନୁହେଁ ବରଂ ଚନ୍ଦ୍ରକାନ୍ତର ଅଜ୍ଞାନତା ଯୋଗୁଁ ଘଟିଲା ।”
ରାଜା ବିକ୍ରମଙ୍କ କଥା ଶେଷ ହେବା ମାତ୍ରେ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।