ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦେବୀଙ୍କ ଅଳଙ୍କାର

କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ ।

                ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ ସ୍ୱଭାବର ଥିଲେ । ସେ ଯାହା ଚାହାଁନ୍ତି ଶିବରାମ ଯଦି ତାଙ୍କର ସେ ଇଚ୍ଛା ପୂରଣ ନ କରନ୍ତି ତେବେ ରାତିରେ ତାଙ୍କର ଖାଇବା ମଧ୍ୟ ବନ୍ଦ କରି ଦିଅନ୍ତି । ଏବେ ଦେବୀଙ୍କ ଅଳଙ୍କାର ଦେଖି କୁଅଭ୍ୟାସ ବଶତଃ ଶିବରାମଙ୍କ ସ୍ତ୍ରୀ ରମା ଲୋଭରେ ପଡିଲେ । ଦିନକୁ ଦିନ ସେ ଲାଳସା ତାଙ୍କ ମଧ୍ୟରେ ବଳବତର ହୋଇ ଉଠିଲା । ସକାଳୁ ଆରମ୍ଭ କରି ରାତି ଅଧ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ଝଗଡା କରିବାକୁ ଲାଗିଲେ ।

                ଶିବରାମ ମଧ୍ୟ ରାଗି ଯାଇ ଦିନେ ରମାକୁ କହିଲେ, “ତୁମେ କ’ଣ ପାଗଳ ହୋଇଗଲ? ଠାକୁରାଣୀଙ୍କ ଅଳଙ୍କାର ଜଣେ ସାଧାରଣ ମନୁଷ୍ୟ ପିନ୍ଧିବା ମହାପାପ । ତମେ ଯଦି ଚାହୁଁଛ ତେବେ ଅପେକ୍ଷା କର । ଆସନ୍ତା ବର୍ଷ ମଧ୍ୟରେ ମୋ ରୋଜଗାର ଟଙ୍କାରୁ ସଂଚୟ କରି ତୁମ ପାଇଁ ଅଳଙ୍କାର ବନାଇ ଦେବି ।”

                କିନ୍ତୁ ରମା ତ ଆଦୌ ମାନିବା ଲୋକ ନୁହେଁ! ସେ ଆହୁରି ରାଗି ଉଠି କହିଲେ, “ଆଜି ରାତି ଭିତରେ ତମେ ଯଦି ସେ ଗହଣାତକ ଆଣି ମୋତେ ନ ଦେଇଛ ତେବେ କାଲି ସକାଳୁ ଘର ପଛପଟେ ଥିବା ଗଛରେ ମୋ ଶବ ଝୁଲୁଥିବାର ଦେଖିବ । ଏଇ ମୋର ଶେଷ କଥା ।”

                ଶିବରାମ ବଡ ଚିନ୍ତାରେ ପଡିଲେ । କାରଣ ତାଙ୍କ ସ୍ତ୍ରୀ ଯେପରି କଥା କୁହନ୍ତି ତାହା ସେ କାମରେ ମଧ୍ୟ କରି ଦେଖାଇ ଦିଅନ୍ତି । ସେଦିନ ସେ ଦେବୀ ମନ୍ଦିରକୁ ଯାଇ ଦେବୀ ପ୍ରତିମାଙ୍କ ସମ୍ମୁଖରେ ହାତ ଯୋଡି କହିଲେ, “କାଳୀମାତା, ମୋ ସ୍ତ୍ରୀର ମତିଗତି ବିଷୟରେ ତୁ ତ ସବୁ ଜାଣୁ । ମୁଁ ତାକୁ ସନ୍ତୁଷ୍ଟ କରିବା ପରେ ତାକୁ ବୁଝାଇ ଶୁଝାଇ ପୁଣି ଅଳଙ୍କାର ଗୁଡିକ ଫେରେଇ ଆଣିବି । ସେ ଅଜ୍ଞାନୀ ପାଇଁ ମୁଁ ମଧ୍ୟ ଅକ୍ଷମଣୀୟ ଅପରାଧ କରୁଛି । ମୋ ଉପରେ କରୁଣା କରି ମୋତେ କ୍ଷମା କରିଦେ ମା’ ।” ତା’ପରେ ଦେବୀଙ୍କ ଦେହରୁ ସବୁତକ ଗହଣା ଖୋଲି ଆଣି ସେ ଗୋଟିଏ ଗଣ୍ଠିଲି ବାନ୍ଧିଲେ ।

                ଗଣ୍ଠିଲିଟି ଧରି ବାହାରିଗଲା ବେଳକୁ ଜଣେ ଭକ୍ତ ମନ୍ଦିରରେ ପ୍ରବେଶ କଲେ । ସେ ସବୁ ଦେଖିଥା’ନ୍ତି । ସେ ମଧ୍ୟ ଦେବୀଙ୍କୁ ପ୍ରାର୍ଥନା କରି କହିଲେ, “ମା’, ଏ ଦୁଷ୍ଟ ଏପରି ଅପରାଧ କରୁଛି, ଆଉ ତୁ କିଛି କରୁନାହୁଁ? ଅପରାଧକୁ ପ୍ରଶ୍ରୟ ଦେଲେ ସେମାନେ ଆଉ ଦେବତାଙ୍କୁ ଡରିବେ ନାହିଁ ଓ କାର୍ଯ୍ୟକ୍ରମରେ ସେମାନେ ଅଧିକ ଉତ୍ସୃଙ୍ଖଳ ହୋଇଯିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ