ତା’ପରେ ଅବନୀ ଦେବୀଙ୍କୁ ପ୍ରଣାମ କରି ମନ ଖୁସିରେ ଘରେ ଆସି ପହଁଚିଲା । ସାରା ଘଟଣା ଶୁଣି ରମା ମଧ୍ୟ ବହୁତ ଖୁସି ହେଲା । ସେମାନେ ସେ ରାତିଟି କଥାବାର୍ତ୍ତା କରି କୌଣସି ମତେ କଟାଇ ଦେଲେ । ସକାଳ ହେବା ମାତ୍ରେ ଅବନୀ ଯାଇ ମନ୍ଦିରର କର୍ତ୍ତାଙ୍କ ପାଖରେ ପହଁଚି ତାଙ୍କୁ ସବୁକଥା କହିଲା ।
ସମସ୍ତ କଥା ଶୁଣି କର୍ତ୍ତା ଅବନୀକୁ କଟମଟ କରି ଚାହିଁ କହିଲେ, “ତମେ ଆଉ ପାଗଳ ହୋଇଯାଇ ନାହଁ ତ? ଦେବୀ ତୁମ ଆଗରେ ଆବିର୍ଭାବ ହୋଇ ଶାଢୀ କିଣିବାକୁ କହିଲେ? ଚାଲିଯାଅ ଏଠୁ । ଏସବୁ ପାଗଳାମୀ ଶୁଣିବାକୁ ମୋର ଏବେ ମୋଟେ ବେଳ ନାହିଁ – ବେଶି ବକ୍ବକ୍ କରନାହିଁ ।”
କର୍ତ୍ତାଙ୍କ ଏଭଳି ବ୍ୟବହାର ଦେଖି ଅବନୀ ଅଳ୍ପ ହସି କହିଲା, “ମହାଶୟ ପୂଜାରୀର ଅପାରଗପଣ ଯୋଗୁଁ ସ୍ୱୟଂ ଦେବୀଙ୍କୁ ଶାଢୀ କିଣିବାକୁ ପଡିଲା । ଏସବୁ କଳିଯୁଗର ମହାନତା ।”
ସବୁ ଶୁଣିବା ପରେ କର୍ତ୍ତା ଚିଡିଗଲେ ଓ ପୂଜାରୀ ଘରକୁ ସେ ସିଧା ଗଲେ । ତାଙ୍କ ପଛରେ ଅବନୀ ମଧ୍ୟ ଚାଲିଥାଏ । ବେଳ ଆସି ବହୁତ ହେଲାଣି । ହେଲେ ସେ ପୂଜାରୀର କିନ୍ତୁ ଏପର୍ଯ୍ୟନ୍ତ ନିଦ ଭାଙ୍ଗି ନଥାଏ । କର୍ତ୍ତାଙ୍କ ଡାକ ଶୁଣି ପୂଜାରୀ ତରବରରେ ଉଠି ତା’ ଘର କବାଟ ଖୋଲିଲା ।
ଅବନୀକୁ ଦେଖାଇ କର୍ତ୍ତା ପୂଜାରୀକୁ ପଚାରିଲେ, “ଦେଖ ଏ ଜଣେ ଶାଢୀ ବ୍ୟବସାୟୀ । ସେ କହୁଛନ୍ତି କି ଦେବୀ ଗତ କାଲି ସଂଧ୍ୟାରେ ତାଙ୍କଠାରୁ ଦୁଇହଜାର ଟଙ୍କାର ଶାଢୀ କିଣିଛନ୍ତି । ଦେବୀଙ୍କର କାହିଁକି ସାଢୀ ଅଭାବ ହେଲା? ତମେ ଏସବୁ ବିଷୟରେ କିଛି ଜାଣିଛ? ”
ଏହା ଶୁଣି ସେ ପୂଜାରୀ ରାଗିକରି କହିଲା “କ’ଣ ହେଲା? ଦେବୀ ସ୍ୱୟଂ ଶାଢୀ କିଣିଲେ? ଶିବ, ଶିବ! ସକାଳୁ ସକାଳୁ ଇଏ କି କଥା? ମନେହୁଏ ଏ ଜଣେ ଚୋର କିମ୍ବା ପାଗଳ ନିଶ୍ଚୟ ହୋଇଥିବ ।”
କର୍ତ୍ତା କହିଲେ “ଏସବୁ ଏବେ ହିଁ ସମାଧାନ ହେବା ଦରକାର । ଏବେ ତମେ ଆସ ଓ ମନ୍ଦିରର କବାଟ ଖୋଲିଦିଅ ।”
ପୂଜାରୀ ମନ୍ଦିରର କବାଟ ଖୋଲିଦେଲେ । ସେତେବେଳକୁ ସେ ଗ୍ରାମର କେତେ ଲୋକ ମଧ୍ୟ କୌତୁହଳବଶତଃ ସେଠାରେ ଆସି ରୁଣ୍ଡ ହେଲେଣି । ସେମାନେ ଦେଖିଲେ ଯେ ଦେବୀଙ୍କ ପାଦ ପାଖରେ ଶାଢୀର ଏକ ଗଣ୍ଠିଲି ପଡିଛି । କିନ୍ତୁ ଦେବୀ ଚିରାଲୁଗା ପିନ୍ଧି ବସିଛନ୍ତି ।
ଏସବୁ ଦେଖି କର୍ତ୍ତା ରାଗିକରି କହିଲେ, “କାଲି ମୋ ଝିଅ ଶାଶୁଘର ଯିବାବେଳକୁ ଏକ ଦାମିକା ଜରିଦିଆ ଶାଢୀ ମୁଁ ଦେଇଥିଲି; ତମେ କହିଥିଲ ଯେ ରାତିରେ ତାକୁ ଦେବୀଙ୍କୁ ପିନ୍ଧାଇବ ବୋଲି! ହେଲେ କାହିଁ ସେ ଶାଢୀ?”
ଏଣେ ପୂଜାରୀ ଡରରେ ଖାଲି ଥରିଲାଣି । ଲଜ୍ଜାରେ ସେ ତା’ ମୁଣ୍ଡ ତଳକୁ କଲା ।
ଅବନୀ କହିଲା, “ମହାଶୟ, ଆପଣ ଏ ପ୍ରଶ୍ନ ପୂଜାରୀଙ୍କ ପତ୍ନୀଙ୍କୁ ପଚାରିବା ଦରକାର, ପୂଜାରୀ ବିଚାରା ଏଥିରେ କ’ଣ ବା କହିବେ?”
ସବୁକଥା ବିଚାର କରି କର୍ତ୍ତା ଏଥର ଜାଣିପାରିଲେ ଯେ ଏ ପୂଜାରୀ କେଡେ ଅନ୍ୟାୟ ଅନାଚାର କରୁଛି । ସେ ଅବନୀକୁ ଦୁଇହଜାର ଟଙ୍କା ଦେଇ ବିଦା କଲେ ଓ ପୂଜାରୀକୁ ତା’ କାମରୁ ବାହାର କରିଦେଲେ ।
ଏକଥା ଗ୍ରାମଲୋକେ ଓ ଆଖପାଖ ଗ୍ରାମର ଲୋକେ ଜାଣିଗଲେ । ସେମାନେ ଆସି ମନ୍ଦିରରେ ପୂଜା କଲେ ଓ ଅବନୀ ଘରେ ଆସି ଭିଡ ଜମେଇଲେ । “ଦେବୀଙ୍କ ଶାଢୀ ପରି ଶାଢୀ ଆମେ ଚାହୁଁ । ଏହା ଆମେ କିଣିବୁ ।” ଏହା କହି ଲୋକେ ବହୁତ ଶାଢୀ କିଣିଲେ । ରମା ମଧ୍ୟ ମନଦେଇ ଶାଢୀରେ ଚିତ୍ର କରୁଥାଏ ।
ଏସବୁ ଦେଖି ରମା ବହୁତ ଖୁସି ହେଲା । ସେ ଅବନୀକୁ କହିଲା, “ଏବେ ଆମ ଶାଢୀର ନାମକରଣ ପାଇଁ ଆଉ କିଛି ବି ସମସ୍ୟା ନାହିଁ । ଲୋକମାନେହିଁ ଏହାକୁ ‘ଦେବୀଙ୍କ ଶାଢୀ’ ବୋଲି କହୁଛନ୍ତି । ଏବେ ତ ଦେବୀଙ୍କ କୃପାରୁ ଆମର ସବୁକିଛି ସମାଧାନ ହୋଇଯିବ । ”