ଗ୍ରାମାଧିକାରୀ ଏଥିରେ ଭାରି ଆଶ୍ଚର୍ଯ୍ୟ ହେଲେ । ସେ ଭାବିଲେ ଯେ ଏପରି ଆତ୍ମାଭିମାନୀ ବ୍ୟକ୍ତିକୁ ସମ୍ମାନ ଦେବା ଉଚିତ୍ । ସେହିଦିନ ସେ ତାଙ୍କ ଗ୍ରାମର ମୁଖ୍ୟବ୍ୟକ୍ତିମାନଙ୍କୁ ଡାକିଲେ । ଏକ ଛୋଟ ସଭା ମଧ୍ୟରେ ସେ ଯୁଗଳ ବିଷୟରେ କହିଲେ, “ଇଏ ଆମ ଗ୍ରାମକୁ ଆସିଥିବା ଜଣେ ନୂତନ ବ୍ୟକ୍ତି ଯିଏ କି ଆତ୍ମସମ୍ମାନ ବିଷୟରେ ସର୍ବଦା ସଚେତନ । ଦାନ ନେବାକୁ ନାରାଜ । ସିଏ ଏଠାରେ ଉପବାସ ରହିବେ, ତାହା ମଧ୍ୟ ଆମ ପାଇଁ ଭଲ ନୁହେଁ । ତେଣୁ ପ୍ରତ୍ୟେକ ଦିନ ସେ ଆମମାନଙ୍କ ମଧ୍ୟରୁ ଜଣକ ଘରେ କାମ କରିବେ ଓ ସେହିଠାରେ ଖାଇବେ ।”
ଯୁଗଳ ପାଇଁ ତାହା ଏକ ଆଶିର୍ବାଦ ହେଲା । ଅଳ୍ପଦିନ ପରେ କିନ୍ତୁ ତାକୁ ଅସୁବିଧା ଲାଗିଲା, ସେ ପ୍ରତ୍ୟେକଙ୍କଠାରୁ ବିଭିନ୍ନ ପରିମାଣରେ ଧାର ଆଣିଲା । ସମସ୍ତିଙ୍କୁ କହିଥାଏ କି ପଇସା ଦେଲେ, ଭଲ ସମୟ ପଡିଲେ, ଶୁଝିଦେବ । ସେ ଅନେକ ଧନ ନେଲା; କିନ୍ତୁ ନ ଶୁଝିଲେ ମଧ୍ୟ କେହି ସେ ବିଷୟରେ ତାହା ସହିତ ଉଚ୍ଚବାଚ୍ୟ ମଧ୍ୟ କଲେ ନାହିଁ ।
ଏମିତି ବର୍ଷେ କଟିଗଲା । ଦିନେ ଯୁଗଳ ଗ୍ରାମାଧିକାରୀଙ୍କ ସହିତ ଦେଖାକରି ତାଙ୍କୁ କହିଲା, “ମୁଁ ମୋ ଗ୍ରାମକୁ ଯାଉଛି । ଏବେ ଆପଣଙ୍କ ଗ୍ରାମବାସୀଙ୍କୁ ଏକାଠି କରି କୁହନ୍ତୁ କାହାର କ’ଣ ଦରକାର, ମୁଁ ଆଣିଦେବି ।”
ଗ୍ରାମାଧିକାରୀ ହସି ହସି କହିଲେ, “ତୁମେ କ’ଣ ଆଣିପାରିବ?”
ଯୁଗଳ କହିଲା “ଯେଉଁ ଗ୍ରାମକୁ ମୁଁ ଯାଉଛି, ସେଠାରେ ଲଳିତାମ୍ବିକା ନାମକ ଜଣେ ଦେବୀ ଅଛନ୍ତି । ସେ ସମସ୍ତ ପ୍ରକାରର ଇଚ୍ଛା ଓ ପ୍ରାର୍ଥନା ପୁରଣ କରନ୍ତି ।”
ଗ୍ରାମାଧିକାରୀ କହିଲେ, “କୁହ ତ ଦେଖି ସେ ଗ୍ରାମ କେଉଁଠି? ମୁଁ ମଧ୍ୟ ତୁମ ସହିତ ସେଠାକୁ ଯିବି । ମୋର ମଧ୍ୟ ଗୋଟିଏ ଇଚ୍ଛା ଅଛି । ମୁଁ ଦେବୀଙ୍କୁ ପ୍ରାର୍ଥନା କରି କହିବି ।”
ଯୁଗଳ କହିଲା “ଆଜିପର୍ଯ୍ୟନ୍ତ ତ କେହିବି ସେହି ସ୍ଥାନକୁ ଯାଇ ନାହାଁନ୍ତି । ଦେବୀଙ୍କର ଦର୍ଶନ ଏ ପର୍ଯ୍ୟନ୍ତ କେହି ମଧ୍ୟ କରି ନାହାଁନ୍ତି, ମୋତେ କୁହନ୍ତୁ ଆପଣଙ୍କର ଇଚ୍ଛା କ’ଣ? ମୁଁ ଆପଣଙ୍କ ପାଇଁ ଦେବୀଙ୍କୁ ପ୍ରାର୍ଥନା କରିବି ।” ଗ୍ରାମାଧିକାରୀ ପଚାରିଲେ “ମୋର ବିବାହ ଦଶବର୍ଷ ହେଲାଣି । ମାତ୍ର ଏପର୍ଯ୍ୟନ୍ତ ମୋର ସ୍ତ୍ରୀ ମା’ ହୋଇ ପାରିନାହିଁ । ଦେବୀ କ’ଣ ମୋତେ ସନ୍ତାନଟିଏ ଦେଇ ପାରିବେ?” ତାଙ୍କ କଥା ଶୁଣି ଯୁଗଳ କହିଲା, “ନିଶ୍ଚୟ ଦେଇପାରିବେ ।”
ଗ୍ରାମାଧିକାରୀଙ୍କ ଘୋଷଣା ଅନୁସାରେ ଗ୍ରାମର ସମସ୍ତେ ସେଠାରେ ଆସି ଏକତ୍ରିତ ହେଲେ । ଯୁଗଳ ସଭାରେ ଉଠିପଡି କହିଲା, “ମନୁଷ୍ୟର ସର୍ବଦା ଗୋଟିଏ ସନ୍ଦେହ ଥାଏ ଯେ ଭଗବାନ ଅଛନ୍ତି ନା ନାହାଁନ୍ତି । ସେ ଅଛନ୍ତି ଓ ନିଶ୍ଚିତ ଭାବରେ ଅଛନ୍ତି । ଭଲ କାର୍ଯ୍ୟକୁ ସେ ଉତ୍ସାହ ଦିଅନ୍ତି, ଖରାପ କାର୍ଯ୍ୟକୁ ସେ ନିରୁତ୍ସାହିତ କରନ୍ତି । ପାପୀଙ୍କୁ ସେ ମଧ୍ୟ ଦଣ୍ଡ ଦିଅନ୍ତି । ଏହି ଗ୍ରାମରେ ସମସ୍ତେ ଭଲ ଲୋକ, ତେଣୁ ସେ ସମସ୍ତିଙ୍କର ନିଶ୍ଚୟ ମଙ୍ଗଳ କରିବେ, ଏବେ ଆପଣମାନେ ଆପଣଙ୍କ ଇଚ୍ଛା କ’ଣ କୁହନ୍ତୁ, ମୁଁ ସେସବୁ ଯାଇ ଦେବୀ ଲଳିତାମ୍ବିକାଙ୍କୁ ଜଣାଇବି ।”
ଗ୍ରାମର ସମସ୍ତେ ଜଣ ଜଣ କରି ନିଜର ଇଚ୍ଛା ଜଣାଇଲେ । କାହାର ମା’ ବେମାର, କାହାର ସ୍ୱାମୀ ନିଷ୍ଠୁର, କାହାର ଧନ ନାହିଁ, କାହାର ଛୁଆ ନାହିଁ ଇତ୍ୟାଦି । କେତେଲୋକ ବ୍ୟକ୍ତିଗତ ଇଚ୍ଛା ପ୍ରକାଶ କଲେ ଓ କେତେକ ଗ୍ରାମର ମଙ୍ଗଳ ପାଇଁ କହିଲେ । ସେଥିରେ ସବୁ ଗ୍ରାମର ଉନ୍ନତି ପାଇଁ ଇଚ୍ଛା ଥିଲା, ଯଥା ମିଠାପାଣି ଥିବା କୂଅ, ଭଲ ରାସ୍ତା, ଡାକ୍ତରଖାନା, ସ୍କୁଲ, ଗ୍ରାମର ଚାରିଆଡ ପରିଷ୍କାର କରିବା, ମନ୍ଦିରଟି କ୍ରମେ ଭାଙ୍ଗି ଯାଉଛି, ତାକୁ ନୂଆ କରି ତୋଳିବା ଇତ୍ୟାଦି ।
ଏସବୁ ଆଲୋଚନା ଶେଷ ହେବା ପରେ ସେଠାରେ ଜଣେ ଡେଙ୍ଗା, କଳା ଲୋକ ପହଁଚି ଯୁଗଳକୁ କହିଲା, “ତୁ ଏଠାରେ?”
ଗ୍ରାମାଧିକାରୀ ତାକୁ ଡାକିନେଇ ପଚାରିଲେ ଯେ ସେ କ’ଣ କହିବାକୁ ଚାହାଁନ୍ତି । ସେହି ଲୋକଟିର ନାମ ନୀଳ । ତାଙ୍କର ଗ୍ରାମ ଚନ୍ଦ୍ରପୁର । ସେଠାରେ ଯୁଗଳ ବର୍ଷେ ରହିଥିଲା । ସେମାନଙ୍କଠାରୁ ମଧ୍ୟ ସେ ବହୁତ ଟଙ୍କା କରଜ ଆଣି ଲଳିତାମ୍ବିକାଙ୍କ ପୂଜା କରି ସମସ୍ତିଙ୍କ ଇଚ୍ଛା ପୂରଣ କରିବ ବୋଲି କହି ହଠାତ୍ ଗ୍ରାମରୁ ବାହାରି ପଡିଲା । ଗ୍ରାମବାସୀ ତାକୁ ଛାଡିଲେ ନାହିଁ । ବାସ୍ ସେହିଦିନ ରାତିରେ ସେଠୁ ସେ କୁଆଡେ ପଳାଇଗଲା । ଗ୍ରାମବାସୀମାନେ ଯୁଗଳକୁ ଖୋଜି ଆଣିବାର ଭାର ଏହି ନୀଳ ଉପରେ ଦେଇଛନ୍ତି ।
ଗ୍ରାମାଧିକାରୀ ଯୁଗଳକୁ ପଚାରିଲେ, “କ’ଣ ଏସବୁକଥା ସତ?” ତହୁଁ ସେ ଯୁଗଳ କହିଲା, “ହଁ ସତ ।”
ଗ୍ରାମାଧିକାରୀ ତାକୁ ପୁଣି ପଚାରିଲେ, “ତୁମେ ଏପରି କାହିଁକି କଲ?” ତା’ପରେ ସେ ଯୁଗଳ କହିଲା, “ମୁଁ ଲଳିତାମ୍ବିକାଙ୍କ ଭକ୍ତ । ମୋର ଏହି ଇଚ୍ଛା ଥିଲା କି ଦେବୀଙ୍କ ଦ୍ୱାରା ଲୋକଙ୍କ ସମସ୍ତ ଇଚ୍ଛା ପୁରଣ କରିବି । ସେଥିପାଇଁ ମୁଁ ପ୍ରଥମେ ବୀରପୁର ଗ୍ରାମକୁ ଯାଇ ସେଠାରେ ବର୍ଷେ ରହିଥିଲି, ଯେପରି ଏଠାକୁ ଆସିଛି । ସେମାନଙ୍କଠାରୁ ମୁଁ ତିନିହଜାର ମୋହର ଧାର୍ ଆଣିଛି । ସେମାନେ ମଧ୍ୟ ମୋର ବହୁତ ସହାୟତା କରିଛନ୍ତି ଓ କେବେ କିଛି ମାଗି ନାହାଁନ୍ତି । ତା’ପରେ ମୁଁ ସେଠାରୁ ଲୁଚି ଲୁଚି ଯାଇ ଚନ୍ଦ୍ରପୁରରେ ଏଇ ନୀଳଙ୍କ ଗ୍ରାମରେ ରହିଲି ସେଠାରୁ କରଜକରି ବର୍ଷେ ରହି ମୁଁ ଚୁପ୍କରି ଚାଲିଆସିଲି । ଏବେ ମୋ ପାଖରେ ବାରହଜାର ମୋହର ଅଛି । ସେସବୁ ନେଇ ଚନ୍ଦ୍ରପୁର ଯାଇ ତାଙ୍କ ଋଣ ପରିଶୋଧ କରିବି । ମୋର ଇଚ୍ଛା ଥିଲା ସିଧା ନିଜ ଗ୍ରାମକୁ ଯାଇ ଦେବୀଙ୍କର ଦର୍ଶନ କରିବି ଓ ପରେ ଚନ୍ଦ୍ରପୁର ଯିବି । କିନ୍ତୁ ମଝିରେ ନୀଳ ଆସିଲା । ଏଣିକି ତ ମୋ କାହାଣୀ ଆପଣ ଜାଣନ୍ତି ।”