ମାଣିକ ମା’ କହିଲେ – କାହାଣୀ?
ପିଲାଏ ଏହା ଶୁଣି କହିଲେ – ହଁ ।
ମାଣିକ ମା’ କହିଲା – କିସ କାହାଣୀ?
ପିଲାଏ – କୁମାରୀ କାହାଣୀ ।
ମାଣିକ ମା – କିସ କୁମାରୀ ।
ପିଲାଏ – ରାଜ କୁମାରୀ ।
ମାଣିକ ମା – କେତେ ଦଶ?
ପିଲାଏ – ଦୁଆଦଶ ।
ମାଣିକ ମା – ସଚିତ୍ର ନା ବିଚିତ୍ର?
ପିଲାଏ – ଯାହା ତୋତେ ଉଚିତ୍ ଲାଗୁଛି ।
ମାଣିକ ମା – ଶୁଣ ପିଲାଏ ଦେଇ ମନ କାହାଣୀ ହେବ ବିଚିତ୍ର ।
ଶୁଣ ପିଲାଏ ଦେଇଣ ମନ ବିଚିତ୍ର ଏ କାହାଣୀ ।
ନିଠେଇ ଚାଲେ ବାଡିଟି ଧରି ବନ୍ଧୁଆ ପାଟ ସାହାଣୀ ।
ଗଇଁଠା ଖାଇ ଅଇଁଠା ପୁଅ ମୁଚ ମୁଚିଆ ହସେ
ବଇଠା ଜାଳି ଚଇତା ବୋଉ ଘୁଂଚିଘୁଂଚିକା ବସେ ।
ସଇତା ବାପ ପଇତା ନାଇ ମନ୍ତର ଦେଲା ପଢି
ଗଇନ୍ତା ଧରି ଜଇଁନ୍ତା ବୁଢା ଯନ୍ତରୁ ଗଲା ଗଡି ।
ହୋଓ ହୋଓକା ପିଲାଗୁଡାକ ହସିଲେ କର କର
ଘୋଓ ଘୋଓକା ଲାଗିଲା ପାଟି କହିଲେ ଧର ଧର ।
ଭୂତ କହିଲା ମିତକୁ ତା’ର ଚାଆଲେ ଯିବା ଉଡି
ସୀତା ପର୍ବତ ଉପରେ ବସି ଉଡାଇ ଦେବା ଗୁଡି ।
ସଇତାନଟା ମାଇଲା କୁଦା ବସିଲା ଯାଇ ଗଛ ଡାଳେ
ବାଘ ବକରି ଏକାଠି ହୋଇ ନାଚିଲେ ତାଳେ ତାଳେ ।
ସାପ ଛୁଆ ତା ବାପକୁ କହେ ମାପି ଦେ ମୋର ଲାଞ୍ଜ
ଖୋପରେ ବସି ଗୋପ ଚମାର ଖଞ୍ଜିଲା ଅଂଟା ସାଜ ।
ଝମ ଝମ ଝମ ଝମର ଝାଇଁ
ଝୁରି ମରେ ଝରା ବଉଳ ପାଇଁ ।
ଝପ ଝପ ଚାଲୁଥିବୁ ତୁ ବାଟ
ଝାଳ ପୋଛି ଦିହ କରିବୁ କାଠ ।
ଝୁଲି ଝୁଲି ଚାଲେ ରଜାଙ୍କ ହାତୀ
ଝୁରି ମରେ ଦେଖି କଜଳପାତି ।
ଝୋଲମରା ଖରାବେଳରେ ଧନ
ଝଗଡା କଥାରେ ନ ଦେବୁ ମନ ।
ଝୁଅଯାକ ବସ ଚକା ପକାଇ
ଝାଟୁଆ ମାଆକୁ ଲାଗିବ ବାଇ…ଲୋ…
କହିଦେବି ଜାଣି ଜାଣି
ଆରମ୍ଭ କଲି ମୁଁ ପହିଲି ପ୍ରଥମ
ଚାରି-କୁମାରୀ-କାହାଣୀ ।