ବିଦ୍ୟାସାଗରଙ୍କ ଏପରି କଥା ଶୁଣି ହଠାତ୍ ସେ ପିଲାଟିର ମୁହଁ ଶୁଖିଗଲା । କାହିଁକିନା ସେ ପିଲାଟି ଭାବିଲା ବୋଧହୁଏ ତା’ର ଅସହାୟତା, ଭିକ୍ଷା ମାଗିବାକୁ ଏ ବାବୁ ଜଣକ ଉପହାସ କରୁଛନ୍ତି । ତେଣୁ ଶୁଖିଲା ମୁହଁରେ ସେ ପିଲାଟି କହିଲା ବାବୁ! ମୋତେ ଗରିବ ଦେଖି ମୋର ମଜା କରୁଛନ୍ତି ନା । ଯଦି ଦେବାକୁ ଚାହୁଁ ନାହାଁନ୍ତି ତାହେଲେ ନ ଦେଇ ପାରନ୍ତି । ହେଲେ ଏଭଳି ମଜା ଗରିବଙ୍କ ସାଙ୍ଗରେ ମୋଟେ କରନ୍ତୁ ନାହିଁ । ଏହା କହି ସେ ପିଲାଟି ଆଗକୁ ପାଦ ବଢାଇଲା ।
ଆଗକୁ ପାଦ ବଢାଇଥିବା ସେ ପିଲାଟିର ହାତକୁ ବିଦ୍ୟାସାଗର ଧରି ପକାଇଲେ । ସେ କହିଲେ – ମୁଁ ଆଦୌ ତୁମର ମଜା କରୁନାହିଁ । ସତରେ ଯଦି ମୁଁ ତୋତେ ଚାରି ଅଣା ଦେବି, ତା ହେଲେ ତୁ କ’ଣ କରିବୁ? ବିଦ୍ୟାସାଗରଙ୍କ ଏପରି କଥା ଶୁଣି ସେ ପିଲାଟି ହଠାତ୍ ଟିକେ ଆଶ୍ଚର୍ଯ୍ୟ ହୋଇଗଲା । କାହିଁ ଏକ ପଇସା କାହିଁ ପଚିଶି ପଇସା । ଏହା ଭାବି ସେ ପିଲାଟି କେବଳ ଆଶ୍ଚର୍ଯ୍ୟରେ ବିଦ୍ୟାସାଗରଙ୍କ ମୁଁହକୁ ଚାହିଁ କହିଲା – ତାହେଲେ ତ ମୋର ସବୁ ଦୁଃଖ ଦୂର ହୋଇଯିବ । ଦୁଇଅଣାର ଭୋଜନ ନେବି ଓ ଦୁଇ ଅଣାର ଆମ୍ବ କିଣି ମୁଁ ବିକ୍ରୀ କରିବି । ତଦ୍ୱାରା ମୋତେ ବି ସବୁଦିନ କିଛି ନା କିଛି ରୋଜଗାର କରିବାର ବାଟ ମିଳିଯିବ । ତାହେଲେ ଯାଇ ମୁଁ ବି କେବେବି ଆଉ ଭିକ ମାଗିବି ନାହିଁ ।
ସେଦିନ ସେ ପିଲାଟିର ଏହି କଥା ବିଦ୍ୟାସାଗରଙ୍କୁ ଏତେ ପ୍ରଭାବିତ କଲା ଯେ, ସେ ପିଲାଟିକୁ ଏକ ଟଙ୍କା ଦେଲେ । ତାପରେ ଟଙ୍କାଟିଏ ପାଇ ସେ ପିଲାଟି ଅତି ଖୁସି ମନରେ ସେଠାରୁ ଚାଲିଗଲା । ଏମିତି ଚାହୁଁ ଚାହୁଁ ଦୁଇ ତିନି ବର୍ଷ ବିତିଗଲା । କୌଣସି କାର୍ଯ୍ୟରେ ବିଦ୍ୟାସାଗର ପୁଣି ବର୍ଦ୍ଧମାନ ଗଲେ । ସେଠାକାର ରେଳ ଷ୍ଟେସନଠାରେ ହଠାତ୍ ସେ ପିଲାଟି ବିଦ୍ୟାସାଗରଙ୍କୁ ଚିହ୍ନି ନମସ୍କାର କରି ନିଜ ଦୋକାନକୁ ଯିବାକୁ ତାଙ୍କୁ ଖୁବ୍ ଅନୁରୋଧ ବି କଲା ।
ବିଦ୍ୟାସାଗର ସେ ପିଲାଟିକୁ ମୋଟେ ଚିହ୍ନି ପାରି ନଥିଲେ ଯାହାକୁ ଦୁଇ ତିନି ବର୍ଷ ତଳେ ସେ ସାହାଯ୍ୟ ସ୍ୱରୂପ ପିଲାଟିକୁ ଦେଇଥିଲେ, ତାହା ତାଙ୍କର ଆଦୌ ମନେ ନଥିଲା । ଏଥର ପିଲାଟି ବିଦ୍ୟାସାଗରଙ୍କୁ ସମସ୍ତ ଘଟଣା ମନେ ପକାଇ ଦେଲା । ତାପରେ ଯାଇ ସମସ୍ତ କଥା ବିଦ୍ୟାସାଗରଙ୍କ ମନେ ପଡିଗଲା । ପିଲାଟି ବିଦ୍ୟାସାଗରଙ୍କୁ କହିଲା – ହେ ଦୟାସାଗର! ଆପଣ ଦେଇଥିବା ଏକ ଟଙ୍କା ଦ୍ୱାରା ଆଜି ଏହି ଦୋକାନ ମୁଁ କରିପାରିଛି । ଆପଣଙ୍କ ଦୟା ଯୋଗୁଁ ମୁଁ ଓ ମୋର ମା ଏବେ ବହୁତ ଖୁସିରେ ଅଛୁ । ଈଶ୍ୱରଚନ୍ଦ୍ର ସେ ପିଲାଟିର ଏମନ୍ତ ନିଷ୍ଠା ଓ ଉଦ୍ୟମକୁ ଖୁବ୍ ପ୍ରଶଂସା କଲେ । ଢେର ସମୟ ସେ ପିଲାଟିର ଦୋକାନରେ ବସି ତା’ ସହିତ ବିଦ୍ୟାସାଗର କଥାବାର୍ତ୍ତା ହେଲେ । ଯଥାର୍ଥରେ କହିବାକୁ ଗଲେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଥିଲେ – ଦୟାସାଗର ।