ପ୍ରତିଦିନ ସଂଧ୍ୟାବେଳେ ଦୁଇଭାଇ ଏକାଠି ବସି କଥାବାର୍ତା ହେଉଥାନ୍ତି । ହରିର ଏଭଳି ଉନ୍ନତି କରିବା ଓ ତାର ଚାଲିଚଳଣିରେ ପରିବର୍ତ୍ତନ ଦେଖି ନରି ଏବେ ଭାଇ ପ୍ରତି ଈର୍ଷାପରାୟଣ ହୋଇଗଲା । ଏବେ ଦୁହିଁଙ୍କ ଭିତରେ ସମ୍ପର୍କର ଦ୍ୱରତ୍ୱ ବି ବଢି ଗଲା । ହରି ଏବେ ଆଳସ୍ୟପରାୟଣ ହୋଇ ଖେଳନା ତିଆରି କରିବା ଛାଡିଦେଲା ।
ଏକଦା ସେହି ଅଂଚଳରେ ମରୁଡି ପଡିଲା । ହରିର ଆଉ କାମଧନ୍ଦା ନଥିଲା ସିନା ଗଚ୍ଛିତ ଧନ ବଢିବଢି ଚାଲିଥିଲା । ନରିର ଆଗଭଳି ମୂର୍ତ୍ତିଗଢା ବି ଚାଲିଥାଏ ସିନା, ଦୁର୍ଭିକ୍ଷ ବେଳେ ମୂର୍ତ୍ତି କିଣିବ କିଏ?
ତହୁଁ ନରିର ଅଭାବ ପଡିଲା । ସୁତରାଂ ସେ କିଛି ସାହାଯ୍ୟ ପାଇଁ ହରିପାଖରେ ହାତ ପତେଇଲା ।
ମାତ୍ର ହରି ସିଧାସିଧା ମନା କରି ଦେଲା । ନରି କ’ଣ, ଗ୍ରାମବାସୀ କାହାକୁ ହେଲେ କାଣି କଉଡିଟିଏ ବି ଦେଲାନାହିଁ । ଫଳରେ ସେଠାରୁ ସମସ୍ତ ଗ୍ରାମବାସୀ ଜୀବନ ବଂଚାଇବା ପାଇଁ ଗାଁ ଛାଡି ଚାଲିଗଲେ । ନରି ବି ଗାଁ ଛାଡି ଚାଲିଗଲା ।
ଦିନକର କଥା । ହରି ମନ୍ଦିରକୁ ପୂଜା କରିବା ପାଇଁ ଯାଇ ଦେଖିଲା, ମା’ ଲକ୍ଷ୍ମୀଙ୍କର ବିରାଟ ମୂର୍ତ୍ତି ତଳେ ଗଡିପଡିଛି । ବହୁ ଚେଷ୍ଟାକରି ମଧ୍ୟ ସେ ଏହାକୁ ଉଠାଇ ପାରିଲା ନାହିଁ । କାହା ସାହାଯ୍ୟ ନେବା ପାଇଁ ଚାହିଁଲା ବେଳକୁ ପାଖରେ କେହି ନଥିଲେ । ଗାଁଟା ଖାଲି ଖାଁ ଖାଁ ଲାଗୁଥିଲା ।
ଠିକ୍ ସେହିଦିନ ରାତିରେ ହରି ସ୍ୱପ୍ନରେ ଦେଖିଲା ତା’ ସମ୍ମୁଖରେ ମା’ ଲକ୍ଷ୍ମୀ ଠିଆହୋଇ ଆଖିରୁ ଲୁହ ଝରାଉଛନ୍ତି । କହୁଛନ୍ତି, ବତ୍ସ! ତୁମକୁ ଭଲ ଲୋକ ଭାବି ବହୁତ ଧନ ଦେଲି । ହେଲେ ତୁମେ ତା’ର ସଦୁପଯୋଗ କରିପାରିଲ ନାହିଁ । ତା’ ପରିବର୍ତ୍ତେ ଲୋକମାନଙ୍କୁ ଦୁର୍ବ୍ୟବହାର କରିବା ଦେଖି ମୋତେ ଲଜ୍ଜା ଲାଗିବାରୁ ମୁଁ ମୁହଁ ମାଡି ତଳେ ଶୋଇ ରହିଛି । ମୋତେ ଆଉ ଉଠାଇବା ଦରକାର ନାହିଁ ।”
ଏତିକି କହୁକହୁ ହରିର ସବୁ ଧନ ସମ୍ପତି, କୋଠାଘର କୁଆଡେ ଅଦୃଶ୍ୟ ହୋଇଗଲା । ହରି ଏବେ ବୁଝିପାରିଲା ଯେ, ଧନର ସଦୁପଯୋଗ ନ କରିବାରୁ ପୂର୍ବଭଳି ତାକୁ ପୁଣି ଦୀନଦୁଃଖୀ ଅବସ୍ଥା ଭୋଗିବାକୁ ହେଲା ।