ପୁରୁଣା କାଳ କଥା । ଛତ୍ରପତି ଶିବାଜୀ ରାଜା ହୋଇ ଶାସନ ଭାର ସମ୍ଭାଳିଥାନ୍ତି । ରାଜ୍ୟ ପରେ ରାଜ୍ୟ ଜୟ କରୁଥାନ୍ତି । ଥରେ ଏକ ରାଜ୍ୟ ଜୟ କରିବା ପାଇଁ ସେନାପତିଙ୍କୁ ଶିବାଜୀ ନିର୍ଦ୍ଧେଶ ଦେଲେ । ଶିବାଜୀଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ ହେଲା । ସେନାପତି ତାଙ୍କ ସେନା ଧରି ରାଜ୍ୟ ଜୟ କରିବାକୁ ବାହାରିଗଲେ ।
ଅନେକ ଦିନ ବିତିଗଲା । ଦିନେ ସିଂହାସନରେ ଶିବାଜୀ ବସିଥାନ୍ତି । ପାଖରେ ତାଙ୍କ ମନ୍ତ୍ରୀ ଓ ଅନ୍ୟ ସୁଯୋଗ୍ୟ ବ୍ୟକ୍ତିମାନେ ବି ବସିଥାନ୍ତି । ସଭା ଚାଲିଥାଏ । ଠିକ୍ ସେତିକିବେଳେ ରାଜ୍ୟ ଜୟ କରି ସେନାପତି ଫେରିଥାନ୍ତି । ନତମସ୍ତକ ହୋଇ ବିଜୟର ବାର୍ତ୍ତା ସେ ସେନାପତି ଜଣକ ଶିବାଜୀଙ୍କୁ ପ୍ରଦାନ କଲେ । କହିଲେ ମହାରାଜ ପଡୋଶୀ ରାଜ୍ୟରୁ ବହୁ ଧନସମ୍ପତ୍ତି ସହିତ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ବି ଆମେ ଆଣିଛୁ ।
ଏକଥା ଶୁଣି ହଠାତ୍ ଚକିତ ହେଲେ ମହାରାଜ ଶିବାଜୀ । ତାପରେ ସେ ରାଜା ଆଦେଶ ଦେଲେ ଉପହାର ବସ୍ତୁକୁ ରାଜ ଦରବାରରେ ଉପସ୍ଥାପିତ କରିବା ପାଇଁ । ସେନାପତିଙ୍କ ନିର୍ଦ୍ଧେଶରେ କିଛି ସୈନିକ ତୁରନ୍ତ ସେ ଉପହାର ବସ୍ତୁକୁ ଆଣିବାକୁ ଗଲେ । କିଛି ସମୟ ପରେ ଏକ ସୁନ୍ଦର ଚାଦରରେ ଗୁଡେଇ ହୋଇଥିବା ଉପହାର ବସ୍ତୁ, ରାଜ ଦରବାରରେ ପହଁଚିଲା । ବସ୍ତୁଟି ଉପରୁ ଚାଦର କାଢିବାକୁ ଶିବାଜୀ ନିର୍ଦ୍ଧେଶ ଦେଲେ । ସଙ୍ଗେସଙ୍ଗେ କାର୍ଯ୍ୟକାରୀ ହେଲା ତାଙ୍କ ନିର୍ଦ୍ଧେଶ । ଚାଦର କଢା ହେଲା । ଏକ ସୁନ୍ଦର ତରୁଣୀ ଥରି ଥରି କାନ୍ଦି କାନ୍ଦି ଠିଆ ହେଲେ । ସଗର୍ବରେ ସେନାପତି କହିଲେ, ମହାରାଜ ଏ ଝିଅଟି ହେଉଛି ସେହି ରାଜ୍ୟର ରାଜାଙ୍କ ଝିଅ ।
ଏସବୁ ଦେଖି ମହାରାଜ ଶିବାଜୀ ତାଙ୍କ ସିଂହାସନରୁ ଉଠି ଠିଆ ହେଲେ । ସେହି ସମୟରେ ରାଜ ଦରବାରରେ ଖେଳି ଯାଇଥିଲା ଏକପ୍ରକାର ନୀରବତା । ସିଂହାସନରୁ ଧୀରେ ଧୀରେ ତଳକୁ ଓହ୍ଲାଇଲେ ମହାରାଜ ଶିବାଜୀ ।