କାଳକ ପରାମର୍ଶ ଦେଲେ, “ମହାରାଜ! ଗୋଟିଏ ପ୍ରମୋଦ ଉଦ୍ୟାନ ପ୍ରସ୍ତୁତ କରିବାକୁ ଅନ୍ତତଃ ପାଂଚବର୍ଷ ସମୟ ଲାଗେ । ତାଙ୍କୁ ଆଦେଶ ଦିଅନ୍ତୁ, ଦିନକ ଭିତରେ ସେ ପତ୍ର-ପୁଷ୍ପ-ଫଳଶୋଭିତ ଗୋଟିଏ ପ୍ରମୋଦ ଉଦ୍ୟାନ କରିଦେଲେ ଆପଣ ସେଥିରେ ବିହାର କରିବେ । ଏହା ସେ କଦାପି କରିପାରିବେ ନାହିଁ । ସେହି ଅପରାଧରେ ଆପଣ ତାଙ୍କର ପ୍ରାଣଦଣ୍ଡ ବିଧାନ କରିବେ ।”
କାଳକଙ୍କର ପରାମର୍ଶ ଅନୁସାରେ ରାଜା ଧର୍ମଧ୍ୱଜଙ୍କୁ ଡାକି ସେହିପରି ଆଦେଶ ଦେଲେ ଓ ସାବଧାନ କରିଦେଇ କହିଲେ, “ନୂତନ ଉଦ୍ୟାନରେ କାଲି ସନ୍ଧ୍ୟାରେ ଆମେ ବିହାର କରିବୁ । ସେତେବେଳକୁ ଉଦ୍ୟାନ ସମ୍ପୂର୍ଣ୍ଣ ହୋଇନଥିଲେ ତୁମକୁ ପ୍ରାଣଦଣ୍ଡ ଦିଆଯିବ ।”
“ଚେଷ୍ଟାକରି ଦେଖିବି” ଏତିକି କହି ଧର୍ମଧ୍ୱଜ ରାଜାଙ୍କ ନିକଟରୁ ବିଦାୟ ନେଲେ ।
ଧର୍ମଧ୍ୱଜ ଚିନ୍ତା କଲେ, “ଏ ନିଶ୍ଚୟ ସେହି କାଳକର ଚକ୍ରାନ୍ତ । ତା’ର ଅନ୍ୟାୟ ଧନ ଉପାର୍ଜନର ପନ୍ଥା ବନ୍ଦ ହୋଇଥିବାରୁ ସେ ମୋ ବିରୁଦ୍ଧରେ ରାଜାଙ୍କୁ କହି ଏ ବ୍ୟବସ୍ଥା କରିଛି; କିନ୍ତୁ ମୁଁ କୌଣସି ଅନ୍ୟାୟ କାର୍ଯ୍ୟ କରିନାହିଁ । ଧର୍ମ ମୋର ସହାୟ ହେବେ ।”
ରାତ୍ରିରେ ଭୋଜନ ପରେ ଧର୍ମଧ୍ୱଜ ଶୟନ କରିବାକୁ ଗଲେ । ଦେବରାଜ ଶକ୍ର ତାଙ୍କ ଶୟନାଗାରରେ ଆବିର୍ଭୂତ ହୋଇ ନିଜର ପରିଚୟ ଦେଇ ପଚାରିଲେ, “ଧର୍ମଧ୍ୱଜ, ତୁମର ଚିନ୍ତାର କାରଣ କଅଣ?”
ଧର୍ମଧ୍ୱଜ ଉତ୍ତର କଲେ, “ରାଜାଙ୍କର ଆଦେଶ, କାଲି ସନ୍ଧ୍ୟାପୂର୍ବରୁ ତାଙ୍କର ବିହାରପାଇଁ ଗୋଟିଏ ପ୍ରମୋଦ ଉଦ୍ୟାନ କରିଦେବାକୁ ହେବ ।”
ଶକ୍ର ଏହା ଶୁଣି କହିଲେ, “ତୁମେ ସେଥିପାଇଁ ଚିନ୍ତା କରନାହିଁ । ମୁଁ କାଲି ସନ୍ଧ୍ୟାପୂର୍ବରୁ ନନ୍ଦନବନ ଭଳି ଗୋଟିଏ ଉପବନ କରାଇଦେବି । ତାହା ବୃକ୍ଷଲତା ପତ୍ର-ପୁଷ୍ପ-ଫଳରେ ମଣ୍ଡିତ ହୋଇଥିବ । ତୁମେ ନିଶ୍ଚିନ୍ତରେ ନିଦ୍ରାଯାଅ ।”
ବୋଧିସତ୍ୱ ସକାଳେ ଉଠି ଦେଖିଲେ ସୁନ୍ଦର ଉଦ୍ୟାନଟିଏ ନେତ୍ର ହରଣ କରୁଅଛି । ସେ ରାଜାଙ୍କୁ ଜଣାଇଲେ, “ଆପଣଙ୍କ ଆଦେଶ ଅନୁସାରେ ପ୍ରମୋଦ ଉଦ୍ୟାନ ହୋଇସାରିଛି ।”