ରାଜା ଉପବନଟି ଦେଖି ତା’ର ଶୋଭାରେ ମୁଗ୍ଧ ହେଲେହେଁ ତାଙ୍କର ଉଦ୍ଧେଶ୍ୟ ସିଦ୍ଧ ନହେବାରୁ ମନେ ମନେ ଦୁଃଖିତ ହେଲେ । ରାତ୍ରିରେ ସେ କାଳକଙ୍କୁ ଡକାଇ ତାଙ୍କର ଉଦ୍ଧେଶ୍ୟ ବିଫଳ ହୋଇଥିବାର କହିଲେ । କାଳକ କହିଲେ, “ମହାରାଜ! ମୋର ଅଭିଯୋଗ ଯେ ସତ୍ୟ ତାହା ପ୍ରମାଣିତ ହେଲା । ଯେଉଁ ଲୋକ ଏପରି ଅସାଧ୍ୟ କାର୍ଯ୍ୟ କରିପାରେ, ତାହା ପକ୍ଷରେ ଆପଣଙ୍କୁ ସିଂହାସନରୁ ବିତାଡିତ କରିବା କଦାପି ଅସାଧ୍ୟ ହୋଇନପାରେ ।”
ରାଜାଙ୍କ ମନରେ ମଧ୍ୟ ସେହି ସନ୍ଦେହ ଟିକିଏ ଦୃଢୀଭୂତ ହେଲା । ସେ ପୁଣି କାଳକଙ୍କର ପରାମର୍ଶ ଚାହିଁଲେ । କାଳକ କହିଲେ, “ଧର୍ମଧ୍ୱଜଙ୍କୁ ଆଦେଶ ଦିଅନ୍ତୁ, ଏହି ଉପବନରେ ଉପଯୁକ୍ତ ଗୋଟିଏ ସରୋବର କରିଦିଅ । ସେଥିରେ ନବରତ୍ନ ଖଚିତ ପ୍ରସ୍ତର ସୋପାନ ରହିବ । କାଲି ସନ୍ଧ୍ୟାପୂର୍ବରୁ ଆମେ ସେହି ସରୋବରରେ କ୍ରୀଡା କରିବୁ । ଏହା ନକରିପାରିଲେ ତୁମର ପ୍ରାଣଦଣ୍ଡ ହେବ ।”
ରାଜା ବୋଧିସତ୍ୱଙ୍କୁ ଡକାଇ ସେହିପରି ଆଦେଶ ଦେଲେ । ସେ କେବଳ ଉତ୍ତର କଲେ, “ଆପଣଙ୍କ ଆଦେଶ ପାଳନ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।”
ସେଦିନ ରାତିରେ ମଧ୍ୟ ଶକ୍ର ବୋଧିସତ୍ୱଙ୍କୁ ଶୟନଗୃହରେ ଦର୍ଶନ ଦେଇ କହିଲେ, “ତୁମର ଚିନ୍ତାର କାରଣ ନାହିଁ । ତୁମପାଇଁ ମୁଁ ସରୋବର ନିର୍ମାଣ କରାଇଦେବି ।” ପରଦିନ ପ୍ରାତଃକାଳରେ ଉଦ୍ୟାନ ନିକଟରେ ସରୋବର ନିର୍ମିତ ହୋଇଥିବାର ଦେଖାଗଲା । ସେଥିରେ ବିବିଧ ରତ୍ନଖଚିତ ସୋପାନ ଥିବାରୁ ତାହା ଅପୂର୍ବଶ୍ରୀରେ ବିମଣ୍ଡିତ ହୋଇଥିଲା । ବୋଧିସତ୍ୱ ରାଜାଙ୍କୁ ସମ୍ବାଦ ଦେଲେ, “ସରୋବର କାର୍ଯ୍ୟ ସମାପ୍ତ ହୋଇଅଛି ।”
ରାଜା ନିଜେ ଆସି ସରୋବରର ଶୋଭା ଦେଖି ବିମୋହିତ ହେଲେ; କିନ୍ତୁ ଧର୍ମଧ୍ୱଜ ଏପରି ଅଦ୍ଭୁତ କାର୍ଯ୍ୟ କରିଥିବାରୁ ସେ ତାଙ୍କ ଉପରେ ସନ୍ତୁଷ୍ଟ ହେବା ପରିବର୍ତେ ଆହୁରି କ୍ରୁଦ୍ଧ ହେଲେ ଓ ତାଙ୍କୁ ବିନାଶ କରିବାର ଉପାୟ ଚିନ୍ତା କଲେ ।
ରାଜା ପୁଣି କାଳକଙ୍କର ପରାମର୍ଶ ମାଗିବାରୁ ସେ କହିଲେ, “ମହାରାଜ! ଏଥର ଧର୍ମଧ୍ୱଜକୁ ଆଦେଶ କରନ୍ତୁ, ସେ ଉପବନ ମଧ୍ୟରେ ଗୋଟିଏ ଉପଯୁକ୍ତ ପ୍ରମୋଦ ଭବନ କରିଦେଉ । ତାହା ହସ୍ତୀଦନ୍ତରେ ନିର୍ମିତ ହେବ । ଏହା ଦିନକ ମଧ୍ୟରେ କରି ନ ପାରିଲେ ତା’ର ଶିରଚ୍ଛେଦ କରାଯିବ ।”