ଆମର ଇଣ୍ଡିଆ ଏକ ବିଶାଳ ଦେଶ । ଏହାର ସଭ୍ୟତା ଓ ସଂସ୍କୃତି ଅତି ପ୍ରାଚୀନ । ଏହି ପବିତ୍ର ଦେଶରେ ବହୁକାଳ ପର୍ଯ୍ୟନ୍ତ ଧର୍ମର ଅନୁଶାସନ ଅତ୍ୟନ୍ତ କଠୋର ଭାବରେ ଚଳି ଆସିଥିଲା । ଏ ଦେଶରେ ଅସଂଖ୍ୟ ଧର୍ମବିଶ୍ୱାସ ଓ ଦେବଦେବୀ । ଧର୍ମର ଚଳଣି ଓ ବିଶ୍ୱାସ ହିନ୍ଦୁ ସମାଜକୁ ବହୁକାଳ ଯାବତ ବାନ୍ଧି ରଖିଥିଲା । ଧର୍ମ ନାମରେ ଏହି ଦେଶରେ କେତେ ସଂଘର୍ଷ, ରକ୍ତପାତ ଓ ଅତ୍ୟାଚାର ଚାଲି ଆସିଅଛି । କୌଣସି ଧାର୍ମିକ ଅନୁଷ୍ଠାନ ବିରୋଧରେ ଚିନ୍ତା କରିବା ମଧ୍ୟ ପାପ ବୋଲି ବିଶ୍ୱାସ କରାଯାଉଥିଲା । ଏପରି ସମୟ ଥିଲା, ଯେତେବେଳେ ବଣଜଙ୍ଗଲର ଆଦିବାସୀମାନେ ଭଲ ଫସଲ ଆମଦାନୀ ପାଇଁ ନିଜ ନିଜ ଈଷ୍ଟଦେବୀଙ୍କ ପାଖରେ ମଣିଷ ଓ ମଇଁଷୀଙ୍କ ବଳି ଦେଉଥିଲେ । ତନ୍ତ୍ରସାଧକମାନେ ନିଜର ଅଭିଳାଷ ପୂରଣ ପାଇଁ ଦେବୀଙ୍କ ସମ୍ମୁଖରେ ମନୁଷ୍ୟକୁ ହତ୍ୟା କରୁଥିଲେ । ପ୍ରାଚୀନ ହିନ୍ଦୁ ସମାଜରେ ବହୁ ପ୍ରକାର ଯଜ୍ଞ କରାଯାଉଥିଲା । ଯଜ୍ଞଶେଷରେ ଅସଂଖ୍ୟ ପଶୁ ବଳି ପଡୁଥିଲେ ବୋଲି ପୋଥୀମାନଙ୍କରେ କୁହାଯାଇଛି । ଜୀବଜନ୍ତୁଙ୍କୁ ହତ୍ୟା କରିବା ଯେ ମହାପାପ, ଏ କଥାଟି ସେମାନେ ଆଦୌ ଅନୁଭବ କରିପାରୁ ନଥିଲେ ।
ସେହି କାଳରେ ଗୋଟିଏ ବ୍ରାହ୍ମଣ ଶାସନରେ ଜଣେ ବେଦଜ୍ଞ ବ୍ରାହ୍ମଣ ଥିଲେ । ସେ ଥିଲେ ପରମ ବିଦ୍ୱାନ । ବିଭିନ୍ନ ବିଦ୍ୟାରେ ତାଙ୍କର ଦକ୍ଷତା ଥିଲା । ତାଙ୍କ ପ୍ରତିଷ୍ଠିତ ସଂସ୍କୃତ ପାଠଶାଳାକୁ ବହୁ ଶିଷ୍ୟ ଆସୁଥିଲେ ଜ୍ଞାନ ଅର୍ଜନ କରିବା ପାଇଁ । ଦେଶ ବିଦେଶର ଧନୀ ଜମିଦାରଗଣ ଏହି ପଣ୍ଡିତ ବ୍ରାହ୍ମଣଙ୍କୁ ଅତ୍ୟନ୍ତ ସମ୍ମାନ କରୁଥିଲେ ଏବଂ ଆବଶ୍ୟକ ହେଲେ ତାଙ୍କର ପରାମର୍ଶ ବି ଲୋଡୁଥିଲେ ।
ସେ ପଣ୍ଡିତ ବ୍ରାହ୍ମଣ ଜଣକ ଥିଲେ ଅତ୍ୟନ୍ତ ନିଷ୍ଠାପର । ନାନା ଦେବଦେବୀ ପୂଜା ନ କଲେ ସେ ଆଦୌ ଜଳଗ୍ରହଣ ବି କରୁ ନ ଥିଲେ । ପାଠଶାଳାର ଶିଷ୍ୟଗଣ ମନ ଜାଣି ଗୁରୁଙ୍କର ସମସ୍ତ ସେବା କରୁଥିଲେ । ବ୍ରାହ୍ମଣ ପଣ୍ଡିତ ଥିଲେ ଦେବୀଙ୍କର ଭକ୍ତ । ତେଣୁ ବର୍ଷତମାମ ତାଙ୍କ ଘରେ ଠାକୁରାଣୀଙ୍କର ନାନା ପର୍ବ ଓ ପୂଜା ଅନୁଷ୍ଠାନ ଲାଗି ରହିଥାଏ । ବହୁପ୍ରକାର ଭୋଗର ଆୟୋଜନ ମଧ୍ୟ କରାଯାଏ । ଶିଷ୍ୟଗଣ ବି ଏହି ସବୁ ମହୋତ୍ସବର ସଫଳତା ପାଇଁ ସର୍ବଦା ଲାଗି ପଡିଥାଆନ୍ତି ।
ସେ ବ୍ରାହ୍ମଣଙ୍କର ପିତୃଶ୍ରାଦ୍ଧ ମହା ଆଡମ୍ବରରେ ପାଳିତ ହୁଏ । ସେଦିନ ସେ ବ୍ରାହ୍ମଣ ଶାସନର ପ୍ରତ୍ୟେକ ଘରୁ ନିମନ୍ତ୍ରିତ ହୋଇ ଲୋକମାନେ ଆସି ଭୋଜିରେ ଅଂଶଗ୍ରହଣ କରନ୍ତି । ଶ୍ରାଦ୍ଧ ଶେଷରେ ହୋମ କରାଯିବା ସହିତ ପ୍ରତ୍ୟେକ ବର୍ଷ ଗୋଟିଏ ବୋଦା ବଳି ପଡେ ଏବଂ ତାହାର ମାଂସ ରନ୍ଧନ କରାଯାଇ ତାହା ଗ୍ରାମବାସୀଙ୍କୁ ଖାଇବାକୁ ଦିଆଯାଏ । ଭୋଜିରେ ମାଂସ ତରକାରୀ ଖାଇ ସମସ୍ତେ ଖୁବ୍ ଆନନ୍ଦିତ ହୁଅନ୍ତି । ତେଣୁ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧବେଳକୁ ଭଲ ବୋଦାଟିଏ ଯୋଗାଡ କରିବା ପାଇଁ ଶିଷ୍ୟମାନେ ଲାଗିପଡନ୍ତି ।