ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧର୍ମାନ୍ଧ ବ୍ରାହ୍ମଣ

ସେହି ବର୍ଷ ଗୁରୁଙ୍କର ପିତୃଶ୍ରାଦ୍ଧ ପାଖେଇ ଆସିଲା । ଶ୍ରାଦ୍ଧ ପାଇଁ ତ ନାନା ସରଞ୍ଜାମ ଲୋଡା । ଶିଷ୍ୟମାନେ ସେସବୁ ଯୋଗାଡ କରିବାରେ ଲାଗିପଡିଲେ । ଶ୍ରାଦ୍ଧର ଅସଲ ଆକର୍ଷଣ ହେଲା ବୋଦା ବଳିପଡିବା । ଶିଷ୍ୟ କେତେଜଣ ବିଭିନ୍ନ ଗାଁ ବୁଲି ଭଲ ବୋଦାଟିଏ କିଣି ଆଣିଲେ । ସେହି ବୋଦାକୁ ଦେଖି ସମସ୍ତଙ୍କର ତ ପାଟିରୁ ଖାଲି ଲାଳ ଗଡି ପଡୁଥାଏ । ଯାହାହେଉ, ଏଥର ଭଲ ଭୋଜିଟିଏ ନିଶ୍ଚୟ ହେବ ।

ଶ୍ରାଦ୍ଧ ଦିନର କଥା । ପୁରୋହିତ ବରଣ ହୋଇ ଆସିଲେ । ଉପଯୁକ୍ତ ବିଧି ଅନୁସାରେ ଶ୍ରାଦ୍ଧ ବି ଦିଆଗଲା । ହୋମରେ ଘିଅର ବି ଆହୁତି ସରିଲା । ଏଣିକି କେବଳ ବଳି ପଡିବା କଥା । ପୁରୋହିତ ଆଦେଶ ଦେଲେ – “ତୁରନ୍ତ ସେ ବୋଦାକୁ ଗାଧୋଇ ନେଇଆସ ।” ତାପରେ ଶିଷ୍ୟମାନେ ପୂର୍ଣ୍ଣ ଉତ୍ସାହରେ ତାଙ୍କ ଗୁରୁଙ୍କ ସେହି ବୋଦାକୁ ନେଇଗଲେ ପୋଖରୀ କୂଳକୁ । ସମସ୍ତେ ମିଳିମିଶି ସେ ବୋଦାକୁ ଗାଧୋଇ ଦେଉଥାଆନ୍ତି । ଏହି ସମୟରେ ସେ ବୋଦାଟି ଖୁବ୍ ଜୋର୍ରେ ହସିଲା ଏବଂ ପରେ କାନ୍ଦିବାକୁ ଲାଗିଲା ।

ଏ ତ ବଡ ଅଜବ କଥା । ବୋଦା କେଉଁଠି ହସିବାର କିମ୍ବା କାନ୍ଦିବାର ତ ମୋଟେ ଦେଖା ନ ଥିଲା । ଏସବୁ ଦେଖି ଶିଷ୍ୟମାନେ ପ୍ରଥମେ ଖୁବ୍ ବିଚଳିତ ହୋଇପଡିଲେ । ଜଣେ ଶିଷ୍ୟ ସେହି ବୋଦାକୁ ପଚାରିଲା, “ଏହା କିପରି କଥା ! ତୁ ପ୍ରଥମେ ହସିଲୁ, ତା’ପରେ ତୁ ପୁଣି କାନ୍ଦିଲୁ କାହିଁକି?”

ସେହିକ୍ଷଣି ସେ ବୋଦାଟି ଅବିକଳ ମଣିଷ ପରି ଉତ୍ତର ଦେଲା ଯେ, “ପିଲାମାନେ ତୁମେ ମୋତେ ତୁମ ଗୁରୁଙ୍କ ପାଖକୁ ନେଇଚାଲ, ସେହିଠାରେ ହିଁ ମୁଁ ଏହାର କାରଣ କହିବି ।”

ତାପରେ ପିଲାମାନେ ବି ସେ ବୋଦାକୁ ଧରି ତାଙ୍କ ଗୁରୁଙ୍କ ଘରକୁ ଚାଲିଲେ । ମନରେ ଆଉ କାହାରି ଟିକିଏ ବି ସରାଗ ନଥାଏ । ଏହା ତ ବଡ ଅଦ୍ଭୁତ କଥା । ଏ ବୋଦା କିପରି ଅବିକଳ ମଣିଷ ପରି କଥା କହୁଛି !!

ଏପଟେ ପୁରୋହିତ ଭାରି ତରତର ହେଉଥାଆନ୍ତି । ବୋଦା ପହଁଚିଲା ମାତ୍ରକେ ସେ ତା’ ମୁଣ୍ଡରେ ସିନ୍ଦୁର ଲଗାଇଦେଲେ । ପୁରେହିତ ସେ ବୋଦାର ବେକରେ ପକାଇଲେ ମନ୍ଦାର ମାଳଟିଏ । ପୂଜା ସରିଲେ ଖାଲି ବଳି ପଡିବା କଥା । ତାପରେ ସେ ବୋଦାକୁ ନେଇ ବଳି ଖମ୍ବରେ ବାନ୍ଧି ଦିଆଗଲା ।

ଏଣେ ଏ ପିଲାଙ୍କର ତ ଖାଲି ମନ ଲାଗିଛି । ତେଣୁ ସେମାନେ ଯାଇ ତାଙ୍କ ଗୁରୁଙ୍କୁ ସବୁ କଥା କହିଲେ । ସମସ୍ତ କଥା ଶୁଣି ସେ ଗୁରୁ ପ୍ରଥମେ ମୋଟେ ବିଶ୍ୱାସ କରିପାରିଲେ ନାହିଁ । ବୋଦାଟି ପୁଣି ମଣିଷ ପରି କଥା କହିବ, ଏହା କ’ଣ କେବେ ସମ୍ଭବ? ପିଲାଙ୍କ କଥାରେ ପଡି ସେ ଗୁରୁ ଆସିଲେ ବଳି ଖମ୍ବ ପାଖକୁ । ସେତେବେଳେ ସେ ବୋଦାର ଆଖିରୁ ପ୍ରକୃତରେ ଲୁହ ଝରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ