ନୀରଜା ସହରରୁ ପ୍ରଥମଥର ପାଇଁ ତା’ ପିଇସି ଝିଅର ବିବାହ ଦେଖିବାକୁ ତା’ ବାପା ନୀଳକଣ୍ଠଙ୍କ ସହ ଗ୍ରାମକୁ ଆସିଥାଏ । ତା’ର ବାପା ନୀଳକଣ୍ଠ ସହରର ଜଣେ ବିଖ୍ୟାତ ହୀରା ବ୍ୟବସାୟୀ ।
ବିବାହ ପରେ ନୀଳକଣ୍ଠ ସହର ଯିବାକୁ ବାହାରିଲେ । କିନ୍ତୁ ନୀରଜା ତା’ ବାପାଙ୍କୁ କହିଲା, “ଏଠାରେ ମୋତେ ବଡ ଭଲ ଲାଗୁଛି । ତେଣୁ ମୁଁ ଆଉ ସପ୍ତାହକ ପରେ ଫେରିବି ।”
ନୀଳକଣ୍ଠ ତାକୁ ମନା କରିବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ତାଙ୍କ ଦ୍ୱିତୀୟ ଭାଣିଜୀ କମଳା କହିଲା, “ମାମୁଁ, ନୀରୁକୁ ଏଠାରେ ଛାଡିଯା’ନ୍ତୁ । ସେ ତ ପ୍ରଥମ ଥର ପାଇଁ ଆମ ଗାଁକୁ ଆସିଛି । ତା’ର ମନ ସନ୍ତୋଷ ହୋଇଗଲେ ମୁଁ ନିଜେ ଯାଇ ତାକୁ ଛାଡି ଆସିବି ।” ଶେଷରେ ନୀଳକଣ୍ଠ ବାଧ୍ୟ ହୋଇ ତାକୁ ଛାଡି ଗଲେ ।
ସେ ଗ୍ରାମର ଆମ୍ବ ବଗିଚା, ପାହାଡ ଉପରେ ଥିବା ମନ୍ଦିର ତାକୁ ଭଲ ଲାଗିଲା । ତା’ର ଭଉଣୀମାନେ ଲଗାଇଥିବା ଗୋଲାପ ବଗିଚା ତାକୁ ବହୁତ ଭଲ ଲାଗିଲା । ପାହାଡ ଉପରୁ ସୂର୍ଯ୍ୟୋଦୟ ଦୃଶ୍ୟ ଅତି ସୁନ୍ଦର ଦିଶେ । ତେଣୁ ନୀରଜା ଭୋର୍ରୁ ଉଠି ଗାଧୋଇ ପଡେ; ତା’ପରେ ସେ କମଳା ସହିତ ଗୋଲାପ ବଗିଚା, ମନ୍ଦିର, ସୂର୍ଯ୍ୟୋଦୟ ପ୍ରଭୃତି ଦେଖିବାକୁ ଯାଏ ।
ଦିନେ କମଳାର ଦେହ ଖରାପ ଥାଏ ବୋଲି ନୀରଜା ଏକେଲା ବୁଲିବାକୁ ଗଲା । ସୂର୍ଯ୍ୟୋଦୟ ଦେଖିଲା । ଫୁଲମାନଙ୍କୁ ବୁଲି ଦେଖିଲା । ଗୋଟିଏ ଧଳା ଗୋଲାପ ବଡ ସୁନ୍ଦର ଦେଖା ଯାଉଥାଏ । ତାକୁ ତୋଳିବାକୁ ହାତ ବଢାଇବା ମାତ୍ରେ, ତା’ ପାଦରେ କଂଟା ଫୁଟିଗଲା ପରି ଲାଗିଲା । ସେ ଆଉ ଫୁଲ ନ ତୋଳି ପାଦକୁ ଚାହିଁ ଦେଖିଲା ଦୁଇ ବୁନ୍ଦା ରକ୍ତ ଲାଗିଛି ଓ ଗୋଟିଏ କଳାନାଗ ବୁଦା ଭିତରକୁ ପଳାଉଛି । ସାପ କାମୁଡିଛି ବୋଲି ଦେଖି ସେ ହଠାତ୍ ବେହୋସ ହୋଇଗଲା ।