ନୀଳକଣ୍ଠ କହିଲେ, “ମୋର ଜୁଆଇଁ ହେଲେ ସେ ତ ମୋର ପୁଅ ପରି ଏଠାରେ ରହିବ ଓ ସବୁ ଦାୟିତ୍ୱ ନେବ । ସେଠାରେ ରହିଲେ ଏସବୁ କିପରି ହେବ? ମୋର ଧନ ସମ୍ପତ୍ତି ସବୁ ଦେଖାଶୁଣା କରିବା କ’ଣ ତା’ର ଧର୍ମ ନୁହେଁ । ମୁଁ ତାକୁ ବହୁତ ବୁଝାଇଲି; କିନ୍ତୁ ସେ ତା’ ନିଜକଥାରେ ଅଟଳ ।
ନୀରଜା ଏଥିରୁ ବୁଝିଲା ସବୁ ଭୂଲ୍ ରାଜେଶ୍ର । ତେଣୁ ସେ ରାଗିଗଲା ଏବଂ ମନେ ମନେ ଭାବିଲା ନିଜେ ଥରେ ଯାଇ ପଚାରିଦେଲେ ଭଲ । ତା’ପର ଦିନ ସିଧା ସେ ଗ୍ରାମକୁ ଯାଇ ରାଜେଶ୍ ଘରେ ପହଁଚିଲା । ସେତେବେଳେ ରାଜେଶ୍ ଖାଇସାରି ହାତ ଧୋଉ ଥିଲା, ଅକସ୍ମାତ୍ ନୀରଜାକୁ ଦେଖି ସେ କହିଲା, “ଏତେ ଖରାରେ ହଠାତ୍ କେମିତି ଆସିଲ? ବସ, ମୁଁ ତୁମ ପାଇଁ କିଛି ଖାଦ୍ୟ ଆଣୁଛି ।”
ରାଜେଶ୍ର କଥା ଶୁଣି ନୀରଜା କହିଲା “ମୁଁ ପିଇସି ଘରୁ ପେଟ ଭରି ଖାଇ ଆସିଛି । ତୁମ ସହିତ ଜରୁରୀ କଥା ଅଛି ବୋଲି ଆସିଲି ।”
ରାଜେଶ୍ କହିଲା “ଠିକ୍ ଅଛି । ଏବେ କୁହ ସେ ଜରୁରୀ କଥା କ’ଣ?”
ନୀରଜା କହିଲା “ଧର୍ମ ବିଷୟରେ ଲମ୍ବା ଭାଷଣ ଦେଇ ମୋ ବାପାଙ୍କୁ ଫେରାଇ ଦେଲ? ତମେ ପୁଅ ହୋଇ ତୁମ ବାପାଙ୍କ କାର୍ଯ୍ୟ କରିବା ଯେପରି ତୁମର ଧର୍ମ । ମୁଁ ଝିଅ ହୋଇ ମୋ ବାପାଙ୍କ କାର୍ଯ୍ୟ କରିବା ଠିକ୍ ସେପରି ମୋର ବି ଧର୍ମ । ଧର୍ମ ଓ ନ୍ୟାୟ କ୍ଷେତ୍ରରେ ସ୍ତ୍ରୀ ପୁରୁଷ ତ ଏକ ।”
ନୀରଜାର କଥା ଶୁଣି ରାଜେଶ୍ ହସିଲା, ହାତରେ ଧରିଥିବା ଥାଳୀରେ କେତେକ କଟା ଆମ୍ବ ଥିଲା ନୀରଜାକୁ ଖାଇବାକୁ ଯାଚିଲା; ସେ କହିଲା, “ପ୍ରଥମେ ଏଇଟା ଖାଇନିଅ ଓ ନିଜର କ୍ରୋଧ ଦୂର କର ।”
ନୀରଜା କହିଲା “କହିଲି ନା ମୁଁ ଖାଇକରି ଆସିଛି? ମୁଁ କେବଳ ମୋ ପ୍ରଶ୍ନର ଉତ୍ତର ଚାହେଁ ।”
ଇତିମଧ୍ୟରେ ଜଣେ ଭିକାରୀ, କିଛି ଖାଦ୍ୟ ମାଗିଲା । ରାଜେଶ୍ ତୁରନ୍ତ କଟା ଆମ୍ବସବୁ ନେଇ ସେ ଭିକାରୀକୁ ଦେଲା ଓ ନୀରଜାକୁ କହିଲା, “ତମେ ତ ଖାଇ ଆସିଛ ବୋଲି କହିଲ, ତେଣୁ ଏହି ଆମ୍ବ ତାକୁ ଦେଉଛି । ଏଠାରେ ଏହାହିଁ ମୋର ଧର୍ମ । ତୁମ ବାପା ସହରରେ ବ୍ୟବସାୟ କରନ୍ତି । ସହରରେ ତ ହଜାର ହଜାର ବ୍ୟବସାୟୀ ଅଛନ୍ତି; ତେଣୁ ତୁମ ବାପାଙ୍କ ବ୍ୟବସାୟ ବନ୍ଦ ହୋଇଗଲେ ସେଥିରେ କାହାର ବି କିଛି ଯାଏ ଆସେ ନାହିଁ । କିନ୍ତୁ ଏ ଗ୍ରାମରେ ମୁଁ ଏକମାତ୍ର ବୈଦ୍ୟ; ମୁଁ ମୋର କାମ ବନ୍ଦ କରିଦେଲେ, ଅନେକ ଲୋକ କଷ୍ଟ ପାଇବେ ଓ ବିନା ଚିକିତ୍ସାରେ ମରିଯିବେ । ଏଠାରେ ଅନ୍ୟ ବୈଦ୍ୟ ରହି ପାରିବେ ନାହିଁ ଯେହେତୁ ରୋଜଗାର ସୀମିତ । ମୋ କ୍ଷେତ୍ରରେ ମୁଁ ତ ଅଧିକାଂଶ ଗରିବ ଶ୍ରେଣୀର ଲୋକଙ୍କଠାରୁ ପଇସା ଟିଏ ବି ନିଏ ନାହିଁ । ତୁମ ବାପାଙ୍କ ବ୍ୟବସାୟ ଦେଖାଶୁଣା କରିବା ଅର୍ଥ ନିଜ ସ୍ୱାର୍ଥ ପାଇଁ ପଇସା ରୋଜଗାର କରିବା । କିନ୍ତୁ ମୋର ବୈଦ୍ୟ କାମ ପରର ହିତ ସକାଶେ । କେତେ ଦରିଦ୍ର ଗ୍ରାମବାସୀ ମୋ ଦ୍ୱାରା ଚିକିତ୍ସା ବିନା ପଇସାରେ ପାଉଛନ୍ତି । ମୋ କାର୍ଯ୍ୟ ମୋ ସ୍ୱାର୍ଥ ପାଇଁ ନୁହେଁ, ବରଂ ପରର ଉପକାର ପାଇଁ । ତୁମେ ଭଲା କୁହ ମୁଁ ଧର୍ମ ଛାଡି ତୁମ ବାପାଙ୍କ ବ୍ୟବସାୟ ବୁଝିବି?”
ରାଜେଶ୍ର ଏଭଳି କଥା ଶୁଣି ନୀରଜାର ଜ୍ଞାନୋଦୟ ହେଲା କାରଣ ସେ ଜୀବନର ଏକ ପରମ ସତ୍ୟ ଉପଲବ୍ଧି କଲା । ତା’ମନରେ ରାଜେଶ୍ର ସ୍ଥାନ ଆହୁରି ଉଚ୍ଛକୁ ଚାଲିଗଲା । ସେ ଉଠି ଠିଆ ହେଲା ଓ ଯିବାକୁ ଉଦ୍ୟତ ହେଲା ।
ରାଜେଶ୍ ପଚାରିଲା “କିଛି କହିବ ନାହିଁ? ନକହି ଚାଲି ଯାଉଛ ଯେ?”
ନୀରଜା କହିଲା, “ମୁଁ ବୁଝି ନଥିଲି ଏବେ ବୁଝିଗଲି । ତୁମ ସହିତ ଯୁକ୍ତି କରିବା ମୂର୍ଖତା । ତୁମ କଥା ଆମେ ସ୍ୱୀକାର କରୁଛୁ । ଏବେ ବିବାହ ପାଇଁ ବାପା ଦିନ ଠିକ୍ କରିବାକୁ ପୁଣି ତୁମ ପାଖକୁ ଆସିବେ । ମୁଁ ତୁମର ସତ୍ୟଧର୍ମ ପଥରେ ଚାଲିବା ସକାଶେ ନିଜକୁ ପ୍ରସ୍ତୁତ କରିବି । ପ୍ରକୃତରେ ତାହା ହିଁ ତ ମୋର ପରମ ସୌଭାଗ୍ୟ ।”