ଏଥର କେଶରୀ କରେ କ’ଣ? ସେଦିନ ମନର କଥା ସବୁ ମନ ମଧ୍ୟରେ ଚାପି କରି ରହିଲା । ଏହା ମଧ୍ୟରେ ଅନେକ ଦିନ ବିତି ଯାଇଛି । ତେଣେ ବିଦେଶରେ ବଣିଜ ବେପାର ସାରି ସୌଦାଗର ଅନଙ୍ଗ ଉଦୟ ଗ୍ରାମକୁ ଫେରି ଆସିଲେ । ସେତେ ବେଳେ କେଶରୀ ମନରେ ଗୋଟିଏ ଚିନ୍ତା ସଦା ସର୍ବଦା ବସା ବାନ୍ଧି ରହିଲା । ସେ ଭାବିଲା ଏ କଥା ଯେବେ ମଦନ ସୁନ୍ଦର ସୌଦାଗରଙ୍କୁ ଖୋଲା ଖୋଲି ଭାବରେ କହି ଦେଲା । ତାହା ହେଲେ ସୌଦାଗରଙ୍କ ପାଖରେ ଅବିଶ୍ୱାସିନୀ ହୋଇ ପଡିବି । ସେଥି ଲାଗି ମୋତେ ଅନେକ କଷ୍ଟ ଭୋଗ କରିବାକୁ ହେବ । ନାଁ ଏହାର ଉପାୟ ମୋତେ କରିବାକୁ ହେବ ଆଉ ସେ ଉପାୟ ଏପରି କରିବି ଯେ ଯେପରି ଏଥିରେ ମୋ ପ୍ରତି କୌଣସି ବିପଦର ଆଂଚ ଆସିବ ନାହିଁ । ତା’ଛଡା ମଦନ ସୁନ୍ଦରକୁ ଏଥିର ଏମିତି ପାନେ ଦେବି ଯେ ସେ ତା’ ଜୀବନ ସାରା ଭାବୁଥିବ ।
ଏପରି ଯୋଜନା ଗୋଟିଏ ସ୍ଥିର କରି ପଲଙ୍କ ଉପରେ ମୁହଁ ମାଡି ଶୋଇ ରହିଲା କେଶରୀ । ସୌଦାଗର ସେଦିନ ନିଜର ପତ୍ନୀଙ୍କୁ ଏପରି ଅବସ୍ଥାରେ ଦେଖି ଖୁବ୍ ଅସ୍ତବ୍ୟସ୍ତ ହୋଇ ପଡିଲେ । ସେ କେଶରୀଙ୍କ ମଥାକୁ ସାଉଁଳାଇ ଦେଇ କହିଲେ, ମୁଁ ଏତେ ଦିନ ପରେ ବିଦେଶରୁ ଆସିଲି । ତୁମେ ମୋତେ ଆନନ୍ଦରେ କେତେ କଥା ହସି ହସି କହି ଥାଆନ୍ତ ତାହା ନକରି ତମେ ଏପରି ଦୁଃଖରେ ମୁହଁ ମାଡି ଶୋଇଛ କାହିଁକି । ତୁମର ଏପରି ଉଦାସିନୀ ଭାବ ଦେଖି ମୋ ମନରେ ଖୁବ୍ କଷ୍ଟ ଆସୁଛି ।
ସୌଦାଗର ଯେତେ ବେଳେ ନିଜ ସ୍ତ୍ରୀଙ୍କର ମନକୁ ବଦଳାଇବା ଲାଗି ଏପରି ଚେଷ୍ଟା କରିଛନ୍ତି । ସେତେ ବେଳେ କେଶରୀ ଯେପରି ଏକ ବଡ ସୁଯୋଗ ପାଇ ଗଲା । ସେହି ସୁଯୋଗକୁ କିପରି କାର୍ଯ୍ୟକାରୀ କରିବେ । ସେପରି ଭାବନା କରି ସେ ସ୍ୱାମୀଙ୍କର କଥାର କୌଣସି ଉତ୍ତର ନଦେଇ କେବଳ କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରି ଦେଲା – କହିଲା – ତମେ ଆଉ ମୋତେ ବେଶୀ କିଛି ପଚାର ନାହିଁ । ତୁମ ଘର ତୁମେ ଏବେ ସମ୍ଭାଳ, ମୁଁ ଯାଉଛି ଜୀବନ ହରାଇ ଦେବି ।