ଦିନେ ତେନାଲୀରାମା ଖବର ପାଇଲେ ଯେ ରାଣୀ ତିରୁମାଲା ଦେବୀ ହଇରାଣରେ ପଡିଛନ୍ତି ଏବଂ ତେନାଲୀରାମାଙ୍କୁ ସଂଗେ ସଂଗେ ଦେଖା କରିବା ପାଇଁ କହିଛନ୍ତି । ଏ ଖବର ପାଇଲା ମାତ୍ରକେ ତେନାଲୀରାମା ବି ସଂଗେ ସଂଗେ ରାଣୀଙ୍କ ପାଖରେ ଯାଇ ପହଁଚିଗଲେ । ରାଣୀ କହିଲେ, “ଦିନେ ରାଜା କୃଷ୍ଣଦେବ ରାୟ ସ୍ୱ ରଚିତ ନାଟକ ମୋତେ ଶୁଣାଉଥିବା ସମୟରେ ଅସୁସ୍ଥତା ଜନିତ କ୍ଳାନ୍ତି ହେତୁ ମୋତେ ଟିକେ ନିଦ ଆସିଗଲା । ତେଣୁ ମୋତେ ଖାଲି ହାଇ ଉପରେ ହାଇ ଆସୁଥାଏ । ମୋର ଏପରି ଅବସ୍ଥା ଦେଖି ରାଜା ହଠାତ୍ ରାଗିଯାଇ ମୋ ନିକଟରୁ ପଳାଇ ଗଲେ । ଏପର୍ଯ୍ୟନ୍ତ ସୁଦ୍ଧା ମଧ୍ୟ ରାଜା ମୋର କକ୍ଷ ମଧ୍ୟକୁ ଆସୁନାହାଁନ୍ତି । ଏବେ ରାଜାଙ୍କୁ ବୁଝାଇବା ଦାୟିତ୍ୱ କେବଳ ତୁମର ।
ରାଣୀ ପୁଣି କହିଲେ ମୁଁ ମଧ୍ୟ ରାଜାଙ୍କୁ ସେଥିପାଇଁ କ୍ଷମା ମାଗିଛି । କିନ୍ତୁ ରାଜା ମୋ କଥା ଶୁଣିବାକୁ ଆଦୌ ନାରାଜ୍ । ତେନାଲୀରାମା ଏବେ ତୁମେ ହିଁ ଏହି ସମସ୍ୟାର ସମାଧାନ କରିପାରିବ ।”
ମହାରାଣୀଙ୍କ କଥା ଶୁଣି ତେନାଲୀରାମା କହିଲେ, “ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୁଁ ଯେମିତି ହେଲେ ବି ରାଜାଙ୍କୁ ବୁଝାଇ ଦେବି” । ଏହାପରେ ତେନାଲୀରାମା ରାଜ ଦରବାରରେ ଯାଇ ପହଁଚିଲେ । ସେହି ସମୟରେ ରାଜା ତ ତାଙ୍କର କର୍ମଚାରୀମାନଙ୍କ ସହିତ ଧାନ ଚାଷ ସମ୍ପର୍କରେ ଆଲୋଚନା ଚଳାଇଥାଆନ୍ତି । ରାଜା କହୁଥାଆନ୍ତି, “ଧାନ ଉତ୍ପାଦନ ବଢିବା ନିହାତି ଆବଶ୍ୟକ । ସେଥିପାଇଁ ଆମ୍ଭେମାନେ ଚେଷ୍ଟା କରିବା ଆବଶ୍ୟକ । ଖାଦ୍ୟାଭାବ ପରିସ୍ଥିତିକୁ ଆୟତ୍ତ କରିବାକୁ ହେଲେ ଧାନଚାଷ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । ଏଥିପାଇଁ ଆମକୁ ପରିଶ୍ରମୀ ବ୍ୟକ୍ତି ଏବଂ ଉପଯୁକ୍ତ ସ୍ଥାନର ଆବଶ୍ୟକତା ରହିଛି ।”