ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂଳିଆବାବା

ଅଗିରା ପୂର୍ଣ୍ଣିମା ଅଧରାତିଠାରୁ ଧୁନି ପୂଜା ଆରମ୍ଭ ହେଲା । ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନିଦେବତା ବିଜେ ହୋଇଗଲେ । ଧୂ-ଧୂ ହୋଇ ସେ ଖାଲି ଜଳୁଛନ୍ତି । ଯାହାର ଯାହା ପ୍ରାର୍ଥନା, ହାତ ଯୋଡି ଜଣାଇଲେ ଧୁନି ଭିତରୁ ଅଗ୍ନିଦେବତା ଗମ୍ଭୀର ସ୍ୱରରେ “ହୁଁ-ନା ହେବ” ଏହିପରି ଆଜ୍ଞା କରୁଛନ୍ତି । ପ୍ରତ୍ୟକ୍ଷରେ ପୁଣି ଅବିଶ୍ୱାସ କ’ଣ? ଲୋକମାନେ ଏକଥା ଶୁଣି ତାଟକା, ଭକ୍ତିରେ ଖାଲି ଭୂଇଁରେ ପଡି ଗଡିଯାଉଛନ୍ତି । ହରିଧ୍ୱନିରେ ସେ ମଠ ଏକ ରକମ ଉଛୁଳି ପଡୁଛି ।

ଶ୍ୟାମ ସାଉ ସବୁ କଥା ଶୁଣିଲା । ଘର ମଧ୍ୟରେ ଡକାପାରି ମୁଣ୍ଡ ବାଡେଇ ହେଉଛି । ଲୋକମାନେ ଧୁନି ପୂଜା କରି ବର ଘେନି ଯାଉଛନ୍ତି । ରାମାଭାଇ ବି ପୂଜା ଦେଇ ବର ପାଇବ, ତାହେଲେ ତ ମୋହର ସର୍ବନାଶ ହେବ । ଇଜମାଲି ଧନ ଊଣା ନୁହେଁ, ଲକ୍ଷକରୁ ବଳିପଡିବ । ସବୁ ରାମାଭାଇ ଘେନିଯିବ । ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତି, “ଆଚ୍ଛା ସେ ତେଲୀ ଟୋକାକୁ ଦେଖିବୁ ।” ଏ କଥା ଶୁଣିଲାବେଳୁ ସେ ଶାମାର ଫକାସି ଉଡିଲାଣି । କଣ କରିବ, ଭାଳୁ ଭାଳୁ ତାକୁ ଗୋଟିଏ ବୁଦ୍ଧି ଦିଶିଗଲା । ତା’ପରେ ମହନ୍ତ ମହାରାଜଙ୍କ ଗଞ୍ଜେଇ ପ୍ରସାଦ ସେବକମାନଙ୍କୁ ଯାଇଁ ସେ ଧଇଲା । କାହାକୁ ଦଶ, କାହାକୁ ପାଂଚ ଦେଇ ସମସ୍ତଙ୍କ ଗୋଡତଳେ ସେ ପଡିଲା । ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡତଳେ ପଡିବାକୁ ଶ୍ୟାମ ସାଉକୁ ଉପଦେଶ ଦେଲେ ।

ବେଳ ଛ’ଘଡି । ସେବକମାନେ ମହନ୍ତଙ୍କୁ ବେଢି ବସିଛନ୍ତି । ମହନ୍ତ ଧୂଳିଟାରେ ବସି ଗଞ୍ଜେଇ ଭିଡୁଛନ୍ତି, ତେଣୁ ସେ ଜାଗାଟା ଧୂଆଁମୟ । ଶ୍ୟାମ ସାଉର ଛାତି ଦାଉଁ ଦାଉଁ ପଡୁଛି । ଡରି ଡରି ସେ ଯାଇ ମୁଠାଏ ଟଙ୍କା ପ୍ରଭୁଙ୍କ ପାଦପୂଜା ପାଇଁ ଝଣ କରି ମହନ୍ତଙ୍କ ପାଦତଳକୁ ଫୋପାଡି ଦେଇ ଲମ୍ବ ଲମ୍ବ ହୋଇ ସେ ତାଙ୍କ ଗୋଡତଳେ ପଡିଗଲା । “ପ୍ରଭୁ! ମୁଁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ ।” ଏଣେ ମହନ୍ତ ଆଖିବୁଜି ବସି ଗଞ୍ଜେଇ ଭିଡୁଛନ୍ତି, କିଛି ଆଜ୍ଞା ହେଲା ନାହିଁ । ସମସ୍ତ ସେବକ ଏକାବେଳକେ ମହନ୍ତ ମହାରାଜଙ୍କ ଗୋଡତଳେ ପଡି ପ୍ରାର୍ଥନା କଲେ – “ହେ ମହାପ୍ରଭୁ! ଆମ୍ଭେମାନେ ମହାପାପିଷ୍ଠ, ଅପରାଧୀ । ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି?” ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, “ଯାଓ ବେଟା, ପୂଜା ଲେଆଓ ।” ଏସବୁ ଦେଖି ଶ୍ୟାମ ସାଉର ଆନନ୍ଦର ଆଉ ସୀମା ନାହିଁ, ପୂଜା ଆୟୋଜନରେ ସେ ଖାଲି ଧାଇଁଛି । ଯେଡେ ମହାଜନ, ପୂଜା ଆୟୋଜନ ବି ଠିକ୍ ସେହିପରି । ଘିଅ ପାଂଚ ପାଆ ଜାଗାରେ ପାଂଚ ସେର, ଆଉ ଆଉ ସରଞ୍ଜାମ ତା ମାଫିକେ । ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢି ଆହୁତି ଦିଅନ୍ତି । ଶ୍ୟାମସାଉ କୁମ୍ଭକର୍ଣ୍ଣୀ କିନାରି ସଚ୍ଚା ଜରିମୁହୁଣ୍ଡା ଖଣ୍ଡେ ବରମପୁରୀ ପାଟଶାଢି ଆହୁତି ଦେବାଲାଗି ଆଣିଛି । ଶ୍ୟାମସାଉର ଭାରି ବଡ ପୂଜା ହେବ, ଗାଁରେ ବି ସେ ଦୁଇ ଭାଇ ବଡ ଟାଣୁଆ ମହାଜନ । ଅଗ୍ନିଦେବ ତାକୁ ବର ଦେବେ, ସେହିକଥା ଶୁଣିବାପାଇଁ ଆଖପାଖ ପାଂଚଖଣ୍ଡ ଗାଁରୁ ମଣିଷ ସେଠାକୁ ଧାଇଁଛନ୍ତି । ଊଣାଅଧିକ ପାଂଚ ଶହ ଲୋକ ଜମା ହୋଇ ଗଲେଣି । ବେଢା ଭିତରେ ଆଉ ଜାଗା ନାହିଁ ।

ମନ୍ଦିରବେଢା ପାଚେରିଲଗା ଧାଡିଏ ଘର ଅଛି । ଗୋଟାଏ ଘରେ ମେଳା ମଉଛବରେ ପିଠାଖଜା ତିଆରି ହୁଏ । ତା ପାଖଟା ସରଘର । ସେହି ପିଠାତିଆରି ଘରେ ଧୁନି ଥାପନା ହୋଇଛନ୍ତି । ରାତି ଅନ୍ଦାଜ ଛ’ଘଡି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ । ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ । କାହିଁକିନା ଇଏ ଅନେକ ଟଙ୍କା ରୋଜଗାର ମାମଲା । ତୋଳାଏ ଆପୁ ଉପରେ ସଞ୍ଜବେଳେ ଆହୁରି ତୋଳାଏ ପକାଇଛନ୍ତି । ଗଞ୍ଜେଇ ବି ବେଶି କରି ଭିଡିଛନ୍ତି । ତେଣୁ ଚାଲିଲାବେଳେ ଗୋଡ ତାଙ୍କର ଟଳିଯାଉଛି, ଏହି କାରଣରୁ ଚାରିଜଣ ଚେଲା ତାଙ୍କୁ ଧରାଧରି କରି ନେଉଛନ୍ତି । ମହନ୍ତବାବୁଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରୀ ହରିବୋଲ ପକାଇ ଗୋଡତଳେ ପଡିଗଲେ । ପୂଜା ଆରମ୍ଭ ହେଲା । ପାଂଚ ସେର ଘିଅ ଆହୁତି, ଖୁବ୍ ମୋଟା ମୋଟା ଢେର୍ ଗୁଡାଏ କାଠ ଧୁନିରେ ଲଦିଦେଲେ । ଆହୁତି ପାଇ ଚାରିହାତ ଉଚ୍ଚ ଶିଖା ଟେକି ନିଆଁ ଧୂ ଧୂ ଜଳୁଛି । ଘର ଭିତରେ ମହନ୍ତ ଏକାକୀ । ପ୍ରଭୁଙ୍କର ସେହିପରି ମହିମା, ନୋହିଲେ ନିଆଁ ତେଜରେ ଆଉ କିଏସେ ପଶିପାରିବ? ଶ୍ୟାମସାଉ ବେକରେ ପଟକା ପକାଇ ହାତ ଯୋଡି ଦୁଆରବନ୍ଧ ବାହାରେ ଛିଡା ହୋଇ ଧୁନି ମହାପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କରୁଛି । ମହନ୍ତ ଆଖି ବୁଜି ଖୁବ୍ ପାଟିକରି ପ୍ରାର୍ଥନା କଲେ, ‘ଧୁନିଜୀ! ଶାମା ବେଟାକୁ ବର ଦିଅ – ବର ଦିଅ – ବର ଦିଅ, ତା ମାମଲା ଫତେ ହେଉ ।” ଧୁନି କିଛି ଜବାବ୍ ଦେଲେ ନାହିଁ । ମହନ୍ତ ଆପଣାର କରାମତ ଲୋକଙ୍କୁ ଦେଖେଇବା ପାଇଁ ଛିଡା ହୋଇଗଲେ । ହାତରେ ଯେଉଁ ଦଶସେରିଆ ଲୁହାଚିମୁଟା ଥିଲା, ଖୁବ୍ ବଳରେ ପାହାରେ ବାଡେଇଲେ । ଭୁସ୍ କରି ଭାରି ଗୋଟାଏ ଶବ୍ଦ ହେଲା । ଶ୍ୟାମସାଉ ହଠାତ୍  ଚମକିପଡି ଅନାଇଲା, ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ । ଗାତ ଅଧାଅଧି ପୂରି ନିଆଁ ଜଳୁଛି, ତା ମଧ୍ୟରେ ଦୁଇଜଣ ଲୋକ ଭାରି ଗୋଟାଏ ଧରାପରା ଲାଗିଛନ୍ତି । ଶ୍ୟାମ ପ୍ରଥମରେ କିଛି ବି ବୁଝିପାରିଲା ନାହିଁ । ମୁହୂର୍ତ୍ତକ ବାଦ୍ ଭକ୍ତିବଳରେ ସେ ବୁଝିଗଲା, ଧୁନିଦେବତା ଦେହ ଧରି ବିରାଜମାନ ହୋଇଗଲେଣି, ମହନ୍ତଙ୍କ ସଙ୍ଗରେ କୋଳାକୋଳି କରୁଛନ୍ତି । ତାହାର ଭାଗ୍ୟ ଫିଟିଲା, ଏଥର ତାକୁ ନିଶ୍ଚୟ ବର ମିଳିଯିବ । ମୁହୂର୍ତ୍ତକ ମଧ୍ୟରେ ଏତେ କଥା ସେ ବୁଝିନେଲା । ଖୁବ୍ ପାଟି କରି ହରିବୋଲ ପକାଇ ସେ କହିଲା, ଧୁନି ଦେବତା ରୂପ ଧରି ବିଜେ ହେଲେଣି । ଏକଥା ଶୁଣି ସେଠାରେ ଯେତେ ଲୋକ ଥିଲେ, ଆନନ୍ଦରେ ହରିବୋଲ ପକାଉଛନ୍ତି । ମନ୍ଦିରରୁ ଘଂଟା କାହାଳୀ ଝାଞ୍ଜ ବାଜୁଛି । ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି । ଅଗ୍ନିଦେବତାଙ୍କୁ ଦର୍ଶନ କରିବାକୁ ଲୋକେ ଧାଇଁଲେ । ଗୋଟିଏ ବୋଲି ଦୁଆର, ଘର ଭିତରଟା ଧୂଆଁରେ ପୂରିଛି । ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡାଦଳାରେ ଆଣ୍ଠୁଗଣ୍ଠି ଛିଡି ଘାଇଲା ହୋଇଗଲେଣି ।


ଗପ ସାରଣୀ

ତାଲିକାଭୁକ୍ତ ଗପ