ପହରେ ବିତିଗଲାଣି । ଲୋକେ ନାଚିକୁଦି ହରିବୋଲ ଦେଇ ହାଲିଆ ହୋଇ ପଡିଲେଣି । ଏ କ’ଣ? ମଡାପୋଡାର ଉତ୍କଟ ଗନ୍ଧ । ଲୋକ ନାକରେ ଲୁଗା ଜାକୁଛନ୍ତି । କେତେଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲକରି ଅନାଇଲେ – ଆରେ ମହନ୍ତ ମହାରାଜ ପୋଡି ମଲେଣିରେ! ବାଜେ ଲୋକେ ବୁଝିଲେ, ଅଗ୍ନିଦେବତା ବିଜେ ହୋଇ ମହନ୍ତବାବାଙ୍କୁ ଖାଇଗଲେଣି – କାଳେ ଧାଇଁଆସି ଆଉ ସମସ୍ତଙ୍କୁ ଖାଇଯିବେ । ପଳା – ପଳା – ପଳା! ଏହା ଶୁଣି ପଡିଉଠି ଗୋଟାକ ଉପରେ ଗୋଟାଏ ପଡି ଧାଇଁଛନ୍ତି । ଶେଷକୁ ମନ୍ଦିରର ପୂଜାହାରୀ ଟହଲିଆ ଚାକରମାନେ ବି ଛାଡି ପଳାଇଲେଣି । ଦଣ୍ଡକ ମଧ୍ୟରେ ଏଡେ ମନ୍ଦିରଟା ନିଶୂନ ହୋଇଗଲା । ଖାଲି ଯାହା ସେ ଧୁନି ଘରୁ ପଡ୍ପଡ୍ ଶବ୍ଦ ଶୁଭୁଛି, ତହିଁରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି ।
ଦେଗାଁ ପାଖରୁ ଗୋପାଳପୁର ସରକାରୀ ଥାନା ପୂରା ଅଢେଇକୋଶ ବାଟ । ସକାଳୁ ସକାଳୁ ସେଠାରେ ଖବର ପହଁଚିଗଲା । ଦାରୋଗା ସାହେବ ପାଂଚ ଛ’ ଜଣ ବରକନ୍ଦାଜ, ଆଠ ଦଶ ଚୌକିଦାର ଧରି ଧାଇଁଲେ । (ଢେର୍ ଦିନ ତଳ କଥା । ସେତେବେଳେ ତ ଆଉ କନେଷ୍ଟବଳ ନ ଥିଲେ ।) ଦାରୋଗା ପହଁଚି ଦେଖିଲେ, ମନ୍ଦିର ତ ମନ୍ଦିର, ସେ ଗାଁ ଗୋଟାରେ ଜଣେ ମଣିଷ ହେଲେ ବି ନାହିଁ । ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ ।
ଚଉକିଆମାନେ ବହୁତ ଡକାହକା କରିବାରେ ଭିତରୁ ମାଇକିନିଆମାନେ ଜବାବ ଦେଲେ, ପୁରୁଷ କେହି ବି ଘରେ ନାହିଁ । କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣିଆଘର, କେହି ଜାତିଆଣ ଭୋଜି ଖାଇ, ଢେର୍ ଲୋକ ଯାଇଛନ୍ତି କଟକ ମାମଲାରେ । ବହୁତ ଖୋଜ ତଲାସରେ ମନ୍ଦିର ପୂଜାହାରୀ ଆଉ କେତେଜଣ ଚାକର ବାହାରିଲେ । ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସର ଘର ଭିତରୁ ଧୁନି ମଝିଯାଏ ମନୁଷ୍ୟ ଗୋଟାଏ ଗଳିଯିବା ଭଳି ବିଳ ଖୋଳାଯାଇଛି । ଧୁନି ତଳେ ଅଢେଇ ଅଢେଇ ହାତ ଲମ୍ବ ଚଉଡା, ଅଢେଇ ହାତ ଗହୀର ଗୋଟାଏ ଗହିଡା ଖୋଳା ହୋଇଛି । ତା’ ଉପରେ ଚାଖଣ୍ଡେ ମୋଟା ମାତ୍ର ମାଟି ଅଛି । ସେହି ମାଟି ଉପରେ ଧୁନି ଜଳେ । ସେ ଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୁନି ତଳେ ବସିଥାଏ, ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ ଦିଏ । ଘଟଣା ରାତ୍ରରେ ଗଞ୍ଜୋଡ ଚେଲା ଧୁନି ତଳେ ବସିଥିଲା, ତା ନାମ ହୁଣ୍ଡା ଦାସ । ସେଦିନ ମହନ୍ତଙ୍କର ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା । ଲାସ ଭାରି ମଣିଷ । ଭାରୀ ଚିମୁଟାରେ ଖୁବ୍ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଗାତରେ ପଡିଗଲା । ଫଳରେ ଦୁଇଟା ଲୋକ ଧରାପରା ହୋଇ ପୋଡି ମଲେ । ବାହାରେ ବଡ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ମଧ୍ୟ ଶୁଣିପାରିଲେ ନାହିଁ ।
ଦାରୋଗା ସାହେବ ରିପୋର୍ଟ ଲେଖି ମଇନା ସକାଶେ ସେ ଅଧାପୋଡା ଲାସଯୋଡାକ ସହରକୁ ପଠାଇଦେଲେ ।
ଗାଳ୍ପିକ – ଫକୀରମୋହନ ସେନାପତି