ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଧୂସର ଦୁର୍ଗ

ଅଗ୍ନିପକ୍ଷୀ ଦେହରୁ ଝଲକ ଝଲକ ନିଆଁ ବାହାରୁଥିଲା ଓ ସେଥିରେ କାଳନାଗର ଦେହ ସିଝି ଯାଉଥିଲା । ତେଣେ କାଳନାଗର ଗରଳ ଫୁତ୍କାରରେ ଅଗ୍ନିପକ୍ଷୀ ଯେ କୌଣସି ମୁହୂର୍ତ୍ତରେ ଅଚେତନ ହୋଇଯିବ ବୋଲି ମନେ ହେଉଥିଲା ।

ସେ ଦୃଶ୍ୟ ବଡ ଭୟଙ୍କର ଥିଲା । ଥରେ ଥରେ ମନେ ହେଉଥାଏ କାଳନାଗ ଆଉ ମୁଣ୍ଡ ଟେକି ପାରିବ ନାହିଁ । କିନ୍ତୁ ପରେ ପରେ ଦେଖାଯାଉଥାଏ ସେ ପ୍ରବଳ ବେଗରେ ବୁଲିପଡି ପକ୍ଷୀକୁ ପଛପଟରୁ ଦଂଶନ କରୁଛି । ଥରେ ଥରେ ମନେ ହେଉଥାଏ ଅତିକାୟ ପକ୍ଷୀ କହିଲା ହୋଇଗଲାଣି; ତା’ ପକ୍ଷମାନ ଦୁର୍ବଳ ହୋଇଗଲାଣି? କିନ୍ତୁ ପୁଣି ଦେଖାଯାଉଥାଏ ସେ ସତେ ଅବା ପୁନର୍ଜୀବନ ପାଇ ଶତ୍ରୁ ଉପରେ ଡେଣା ଝପଟାଇ ତାକୁ କାବୁ କରିବାକୁ ତତ୍ପର ହେଉଛି! ବେଶ୍ କିଛି ସମୟ ଯାଏଁ କାପାଳିନୀ ଓ ଚନ୍ଦ୍ରବର୍ମା ସେଆଡେ ଅନାଇ ରହିଲେ ।

ଚନ୍ଦ୍ରବର୍ମା ନିଜ ସନ୍ଦେହ ବ୍ୟକ୍ତ କରିବାକୁ ଯାଇ କହିଲେ “ଯଦି ଏ ଦୁଇଜଣଙ୍କ ଲଢେଇର ଶବ୍ଦ କୌଣସି ପ୍ରକାରେ ତାନ୍ତ୍ରିକ ଶଂଖୁ କାନରେ ଯାଇ ପଡିବ, ତେବେ ଆମ କଥା ସରିଲା!”

କାପାଳିନୀ ଉତ୍ତର ଦେଲା “ନା, ନା, ସେ ଭୟ ନାହିଁ । ଅଗ୍ନିପକ୍ଷୀ ଏଠାରେ ଥିବା ଯାଏଁ ନିଜର କୌଣସି ବିପଦର ସମ୍ଭାବନା ନାହିଁ ବୋଲି ଜାଣି ଶଙ୍ଖୁ ତା’ର ବେଶ୍ ଆରାମ୍ରେ ଶୋଇଥାଏ । ତା’ର ନିଦ ଅତ୍ୟନ୍ତ ଗାଢ । ଅନ୍ଧକାର ହେବା ମାତ୍ରେ ସେ ଶୋଇଯାଏ – ସୂର୍ଯ୍ୟୋଦୟର କିଛି ସମୟ ପରେ ଯାଇ ସେ ଉଠେ । ତା’ କଥା ମୁଁ ବେଶ୍ ଭଲ ଭାବରେ ଜାଣେ । ଚିନ୍ତା ନାହିଁ ।”

ସେତିକିବେଳେ ଅଗ୍ନିପକ୍ଷୀର ତୀକ୍ଷ୍ନ ଚିତ୍କାର ଶୁଭିଲା । ମନେହେଲା, ତାହାହିଁ ତା’ର ଅନ୍ତିମ ଚିତ୍କାର । କାପାଳିନୀ ଓ ଚନ୍ଦ୍ରବର୍ମା ସେଆଡେ ଅନାଇ ଦେଖିଲେ, ତା’ର ମୁଣ୍ଡ ଗୋଟାଏ ପଟକୁ ଢଳି ପଡିଛି ।

ଅଗ୍ନିପକ୍ଷୀର କଣ୍ଠରେ କାଳନାଗ ଗୁଡେଇ ହୋଇ ରହିଥିଲା । ଅଗ୍ନିପକ୍ଷୀ ପୁରାପୁରି ନିଶ୍ଚେଷ୍ଟ ହୋଇଯିବା ପରେ କାଳନାଗ ତାକୁ ଛାଡିଦେଲା, କିନ୍ତୁ ସଙ୍ଗେ ସଙ୍ଗେ ନିଜେ ନିସ୍ତେଜ ହୋଇ ତା’ପାଖରେ ସେ ପଡି ରହିଲା ।

“ଜୟ କାଳନାଗର ଜୟ! ବୀର ନାଗର ଜୟ!” ନିଜ ହିତାକାଂକ୍ଷୀ କାଳନାଗର ଜୟରେ ଖୁସି ହୋଇ ଚନ୍ଦ୍ରବର୍ମା ପାଟି କରି ଏହା କହି ଗୁମ୍ଫାରୁ ବାହାରି ତା’ ଆଡେ ଦୌଡିଗଲେ । କାପାଳିନୀ ମଧ୍ୟ ନିଜର ସମସ୍ତ ଶକ୍ତି ଖଟାଇ ଚନ୍ଦ୍ରବର୍ମାଙ୍କ ପଛେ ପଛେ ଦୌଡିଲେ ।

ଯେତେବେଳେ ଚନ୍ଦ୍ରବର୍ମା ଓ କାପାଳିନୀ ଯାଇ କାଳନାଗ ପାଖରେ ପହଁଚିଲେ, ସେତେବେଳେ ସେ ନିଷ୍ପାଣ-ପ୍ରାୟ ହୋଇ ପଡିଥିଲା । ଦେହର ଅନେକ ସ୍ଥାନରୁ ତା’ର ରକ୍ତ ବାହାରୁଥିଲା ।

ଚନ୍ଦ୍ରବର୍ମା ଓ କାପାଳିନୀ ପାଖକୁ ଆସିବାର ଦେଖି କାଳନାଗ ନିଜ ଅବସ୍ଥା କଥା ଭୁଲିଯାଇ ଉତ୍ସାହରେ ତିନିମୁଣ୍ଡ ଉପରକୁ ଉଠାଇଲା । ଚନ୍ଦ୍ରବର୍ମା ତା’ ପାଖକୁ ଦୌଡିଯାଇ ତାକୁ ଆଉଁସି ଦେଲେ । ଅଗ୍ନିପକ୍ଷୀର ଦେହରୁ ବାହାରିଥିବା ନିଆଁ ଯୋଗୁଁ କାଳନାଗର ଦେହ କଳା ପଡି ଯାଇଥାଏ ।

ନିଜ ସେବକର ସେ ଅବସ୍ଥା ଦେଖି ଦୁଃଖରେ କାପାଳିନୀର କଣ୍ଠ ପ୍ରାୟ ରୁଦ୍ଧ ହୋଇ ଆସିଲା । ସେ କହିଲା, “କାଳନାଗ! ତୋ କଷଣ ଏଣିକି ଶେଷ ହେବ । ଶଙ୍ଖୁ ପାଖରୁ ସେ ଅପୂର୍ବ ଶକ୍ତିପୂର୍ଣ୍ଣ ଶଙ୍ଖଟି ମୋ ହସ୍ତଗତ ହେବା ମାତ୍ରେ ମୁଁ ତୋତେ ତୋ’ ମଣିଷ ରୂପ ଫେରାଇ ଦେବି । ତେଣିକି ସ୍ୱାଧୀନ ହୋଇ ଯେଣେ ଇଚ୍ଛା ତୁ ତେଣେ ଯିବୁ ।”

କାପାଳିନୀର କଥା ଶୁଣି ଚନ୍ଦ୍ରବର୍ମା ଚେତି ଉଠିଲେ । ଶଙ୍ଖୁ ଘରେ ପଶି କାମ ହାସଲ କରିବା କଥା ସେ ପ୍ରାୟ ପାଶୋରି ଦେଇଥିଲେ । ସେ କହିଲେ, “କାପାଳିନୀ! ସୂର୍ଯ୍ୟୋଦୟ ପାଇଁ ଆଉ ଅଧିକ ବିଳମ୍ବ ନାହିଁ । ମୁଁ ତାନ୍ତ୍ରିକ ଶଙ୍ଖୁ ଘର ଆଡେ ଚାଲିଲି ।”

କାପାଳିନୀ କହିଲା “ନା, ଚନ୍ଦ୍ରବର୍ମା, ବର୍ତ୍ତମାନ ତମେ ତାନ୍ତ୍ରିକ ଶଙ୍ଖୁର ମନ୍ତ୍ରପୁରୀ ଭିତରକୁ ଯିବା ଉଚିତ୍ ହେବ ନାହିଁ । ମୁଁ ତା’କୁ ଦମନ କରିବା ନିମନ୍ତେ ଗୋଟାଏ ଉପାୟ ପାଂଚୁଛି । ଥୟ ଧର ।”

ଚନ୍ଦ୍ରବର୍ମା ପଚାରିଲେ “ସେ ଉପାୟଟି କ’ଣ, କାପାଳିନୀ?”

କାପାଳିନୀ କହିଲା “ପ୍ରତିଦିନ ସୂର୍ଯ୍ୟୋଦୟ ବେଳେ ଶଙ୍ଖୁ ଅଳ୍ପ ଦୂରରେ ଥିବା ଖଣ୍ଡିଏ ଶିଳା ଉପରେ ଠିଆ ହୋଇ ଚାରିଦିଗକୁ ଅନାଇ ମନ୍ତ୍ରପାଠ କରେ । ସେ ଶିଳାଖଣ୍ଡ ବିଶେଷ ପ୍ରଶସ୍ତ ନୁହେଁ । ତା’ ସାମନାରେ ଅତ୍ୟନ୍ତ ଗଭୀରରେ ଗୋଟିଏ ଜଳସ୍ରୋତ ଅଛି । ଯଦି ତମେ ତାକୁ ସେ ଶିଳାରୁ ତଳକୁ ଟଳାଇଦେଇ ପାରିବ, ତେବେ ସେ ଗହୀର ଜଳସ୍ରୋତରେ ପଡି ସେ ନିଶ୍ଚିହ୍ନ ହୋଇଯିବ ।”

ଚନ୍ଦ୍ରବର୍ମା ଅଧୀର ହୋଇ ପଚାରିଲେ “କାପାଳିନୀ! ତମ ପ୍ରସ୍ତାବଟି ଟିକିଏ ବିସ୍ତୃତ ଭାବରେ କୁହ । ବର୍ତ୍ତମାନ ଆଉ ଅଧିକ ସମୟ ନାହିଁ ।”

“ଆଚ୍ଛା ହେଉ, ପାଖକୁ ଆସ । କହୁଛି ।” କାପାଳିନୀ ଏହା କହି ଚନ୍ଦ୍ରବର୍ମାଙ୍କୁ ଗୋପନରେ କିଛି କହିଲା ଏବଂ ତା’ପରେ ଚେତାବନୀ ଶୁଣାଇ ଦେଲା: “ସାବଧାନ, ଏଥିରେ ଟିକିଏ ଏପଟ ସେପଟ ହେଲେ ସବୁକିଛି ଭଣ୍ଡୁର ହୋଇଯିବ ।”

ଚନ୍ଦ୍ରବର୍ମା ନୀରବରେ ଛିଡା ହୋଇ କିଛି ଚିନ୍ତା କଲେ । ତା’ପରେ ସେ ପାଖରେ ଥିବା ଗୋଟିଏ ଉଚ୍ଚ ବୃକ୍ଷ ଆରୋହଣ କରି ପୂର୍ବ ଦିଗକୁ ଦୃଷ୍ଟିପାତ କଲେ । ତା’ପରେ ବୃକ୍ଷରୁ ଓହ୍ଲାଇ ଆସି କାପାଳିନୀ ପାଖକୁ ଯାଇ କହିଲେ, “କାପାଳିନୀ! ସୂର୍ଯ୍ୟୋଦୟ ନିମନ୍ତେ ବିଶେଷ ବିଳମ୍ବ ନାହିଁ । ବର୍ତ୍ତମାନ ଆମେ ଯାହା କରିବାର କଥା, ସେ ଦିଗରେ ପଦକ୍ଷେପ ନେବା ଉଚିତ । ତମେ ଓ କାଳନାଗ ଗୁମ୍ଫା ଭିତରକୁ ଯାଇ ସେଠାରେ ଟିକେ ବିଶ୍ରାମ ନିଅ ।”

ଚନ୍ଦ୍ରବର୍ମା ଏହାପରେ ପାଖରେ ଥିବା ଅନ୍ୟ ଗୋଟିଏ ବୃକ୍ଷ ଉପରକୁ ଚଢିଗଲେ ଓ ତରବାରୀ ବାହାର କରି ଗୋଟିଏ ପ୍ରକାର ଟାଣ ଲତା କାଟି ତହିଁରେ ଖଣ୍ଡିଏ ଲମ୍ବ ଦଉଡି ପ୍ରସ୍ତୁତ କଲେ । ସେ ଲତାତକ କାନ୍ଧରେ ପକାଇ ସେ ତରତର ହୋଇ ଗୋଟିଏ ପାହାଡ ଆରୋହଣ କଲେ ।

ପାହାଡ ଉପରେ ଥିବା ଖଣ୍ଡିଏ ପଥର ଦେହରେ ଚନ୍ଦ୍ରବର୍ମା ସେ ଲତା-ଦଉଡିର ଗୋଟିଏ ସ୍ଥାନକୁ ବାନ୍ଧିଦେଲେ ଓ ଅନ୍ୟ ପ୍ରାନ୍ତକୁ ତଳକୁ ଛାଟିଦେଲେ । ସେହି ପଥର ଉପରେ ଠିଆ ହୋଇ ତାନ୍ତ୍ରିକ ଶଙ୍ଖୁ ସକାଳେ ମଂତ୍ରୋଚାରଣ କରିଥାଏ ।

ଏ କାମ ଶେଷ କରି ଚନ୍ଦ୍ରବର୍ମା ଗୁମ୍ଫା ପାଖକୁ ଲେଉଟି ଆସିଲେ । ଗୁମ୍ଫା ପାଖରେ କାପାଳିନୀ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥାଏ । ଚନ୍ଦ୍ରବର୍ମାକୁ ଦେଖିବା ମାତ୍ରେ ସେ କେଇପାଦ ଅଗ୍ରସର ହୋଇ ପଚାରିଲା, “ଚନ୍ଦ୍ରବର୍ମା! ଆମ ଆୟୋଜନ ଠିକ୍ ଭାବରେ ହୋଇଛି ତ?”

ଚନ୍ଦ୍ରବର୍ମା କହିଲେ “ସେକଥା କିପରି କହିବି? ଦଉଡିର ଗୋଟିଏ ପ୍ରାନ୍ତ ମୁଁ ଶିଳା ଦେହରେ ବାନ୍ଧି ଦେଇଛି, ଅନ୍ୟ ପ୍ରାନ୍ତଟି ତଳକୁ ଫୋପାଡି ଦେଇଛି ।”

କାପାଳିନୀ କହିଲା “ବର୍ତ୍ତମାନ ତେବେ ଅପେକ୍ଷା କରିବା କଥା । ଯେଉଁ ମୁହୂର୍ତ୍ତରେ ଶଙ୍ଖୁ ସେ ପାହାଡ ଚଢି ଶିଳାଖଣ୍ଡ ଉପରେ ଛିଡା ହେବ, ସେହି ମୁହୂର୍ତ୍ତରେ ତଳେ ଝୁଲୁଥିବା ଦଉଡିର ପ୍ରାନ୍ତ ଦେଶରେ ଗୋଟାଏ ଟାଣ ଦେବାକୁ ହେବ । ଶିଳାଖଣ୍ଡ ସହ ତାନ୍ତ୍ରିକ ଶଙ୍ଖୁ ଆସି ଅତଳ ସ୍ରୋତଗର୍ଭରେ ପଡିବ ।”

ସେ ଏତକ କହିସାରିବା ବେଳକୁ ଶଙ୍ଖୁ ପାହାଡ ଚଢୁଥିବାର ଦେଖାଗଲା । କାପାଳିନୀ ତା’ କଣ୍ଠସ୍ୱର ନିମ୍ନ କରି ଚନ୍ଦ୍ରବର୍ମାଙ୍କୁ କହିଲା, “ହେଇ ଦେଖ । ବର୍ତ୍ତମାନ ସାହସ ସଂଚୟ କର । ଟିକିଏ ହେଳା କଲେ ସୁଯୋଗ ଚାଲିଯିବ ।” ଚନ୍ଦ୍ରବର୍ମା ପାହାଡ ଉପରକୁ ଅନାଇଲେ । ତାନ୍ତ୍ରିକ ଶଙ୍ଖୁ ତାଙ୍କ ଆଖିକୁ ଭୟଙ୍କର ଦିଶୁଥାଏ । ଗୋଟିଏ ମୁହୂର୍ତ୍ତ ପାଇଁ ସେ ଶଙ୍କିଗଲେ । କିନ୍ତୁ ସଙ୍ଗେ ସଙ୍ଗେ ପୁଣି ଦମ୍ବ ବାନ୍ଧିଲେ ।

ଶଙ୍ଖୁ ଯେମିତି ଯାଇ ଶିଳାଖଣ୍ଡ ଉପରେ ଠିଆ ହୋଇ ପୂର୍ବ ଦିଗକୁ ଅନାଇ ନିଜ ମନ୍ତ୍ରଦଣ୍ଡ ଉଂଚାଇଛି, ଚନ୍ଦ୍ରବର୍ମା ସେମିତି ଦଉଡିରେ ଅତ୍ୟନ୍ତ ଜୋରେ ଟାଣ ଦେଲେ । ଶିଳାଖଣ୍ଡ ଦୋହଲି ଗଲା । ତାନ୍ତ୍ରିକ ଶଙ୍ଖୁ ହାତରୁ ତା’ ମନ୍ତ୍ରଦଣ୍ଡ ଛିଟିକି ଯାଇ ଅଦୂରରେ ଥିବା ତା’ ମନ୍ତ୍ର ଗୃହ ଦେହରେ ବାଜିଲା । ସଙ୍ଗେ ସଙ୍ଗେ ସେ ପୁରା ଘରଟି ଉତ୍ପାଟିତ ହୋଇ ସ୍ରୋତ ଗର୍ଭରେ ପଡିଲା । “ଧୋକା! ଧୋକା!” ବୋଲି ଚିତ୍କାର କରି ତାନ୍ତ୍ରିକ ଶଙ୍ଖୁ ମଧ୍ୟ ଶିଳାଖଣ୍ଡ ସହ ତଳକୁ ଖସି ପଡି କୁଆଡେ ଅଦୃଶ୍ୟ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ