ସେ କଥା ଶୁଣି ଦୁଇ ଘୋଡସବାର୍ଙ୍କ ସମେତ ଆହୁରି କେତେଜଣ ବି ହସି ଉଠିଲେ । ଜଣେ କିଏ ମନ୍ତବ୍ୟ ଦେଲା “ବାପ୍ରେ ବାପ୍! କେଡେ ବଡ ବାଘଭାଲୁ ଶିକାରୀ! ଏହି ଶିକାରୀ ଏ ଅଂଚଳରେ ଅଛନ୍ତି ବୋଲି ଆମ ଆଗରେ କାହିଁ ବାଘଭାଲୁ ପଡୁ ନାହାଁନ୍ତି । ଡରି ମରି ସବୁ ପଳାଇ ଯାଇଛନ୍ତି ।”
ସୁବାହୁ କହିଲେ “ବାବୁ, ଖଣ୍ଡିଏ ରୋଟି ମିଳୁ । କେତେ ଦିନ ହେଲା ମୁଁ କେବଳ ପାଣି ପିଇ ବଂଚି ରହିଛି । ମଝିରେ ମଝିରେ କଅଁଳ ପତ୍ର ଚୋବାଇ ଖାଇଛି ।”
ଘୋଡସବାର୍ମାନେ ଆଉ ତା’ କଥାରେ କର୍ଣ୍ଣପାତ କଲେ ନାହିଁ । ମୁଖ୍ୟ ଘୋଡାସବାର୍ ଗ୍ରାମବାସୀମାନଙ୍କୁ କହିଲା, “ଆଉ ବିଳମ୍ୱ କଲେ ଚଳିବ ନାହିଁ । ଯଥାଶୀଘ୍ର ରାକ୍ଷସଢିଲା ପାଖରେ ପହଁଚିବା ଆବଶ୍ୟକ । ସେଇଠି ତମମାନଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯିବ । ସକାଳ ସୁଦ୍ଧା ଆମ୍ଭେ ବୀରପୁର ଦଖଲ କରିନେବା ଆବଶ୍ୟକ ।” ଅନ୍ୟ ଘୋଡସବାର୍ ପାଟି କଲା, “ମହାରାଜା ସର୍ପକେତୁଙ୍କର ଜୟ!” ସମସ୍ତେ ସମସ୍ୱରରେ ସେ ଜୟଧ୍ୱନିର ପୁନରାବୃତ୍ତି କଲେ । ଘୋଡସବାର୍ ଦୁଇଜଣ ଘୋଡା ଛୁଟାଇ ଚାଲିଗଲେ ।
ଘୋଡସବାର ଦୁଇଜଣ ଚାଲିଯିବା ଉତାରୁ କେତେଜଣ ଲୋକ ସୁବାହୁଙ୍କୁ ଘେନିଗଲେ ଓ ପଚାରିଲେ, “ଆରେ ଭାଇ, ଆମେ ତ ତମକୁ ଯେତେ ଦୁର୍ବଳ ଭାବିଥିଲୁ, ତମେ ସେତେ ଦୁର୍ବଳ ନୁହଁ ବୋଲି ମନେହୁଏ । ବୟସରେ ବି ତମେ ଯୁବା । ତମେ କାମଦାମ ନକରି ଏପରି ଭିଖ କାହିଁକି ମାଗୁଛ?”
ସୁବାହୁ କହିଲେ “ସେକଥାର ରହସ୍ୟ ମୁଁ ପ୍ରକଟ କରି ପାରିବି ନାହିଁ । କ୍ଷମା କର ।” ସେଥିରେ ସେ ଲୋକମାନଙ୍କର କୌତୁହଳ ବଢିଗଲା । ସେମାନେ ସୁବାହୁକୁ ଧରି ତଳେ ବସାଇ ଦେଲେ ।
ସେମାନେ ଆହୁରି ବିଚାର କରି କହିଲେ “ଆରେ ଭାଇ, ଏଥିରେ ତେବେ କୌଣସି ରହସ୍ୟ ରହିଛି? ଆମକୁ ନ କହିଲେ ଆମେ ତମକୁ ଛାଡିବୁ ନାହିଁ । କୁହ, କୁହ!”
ସୁବାହୁ ଗମ୍ଭୀର ଭାବରେ କହିଲେ “କଥା କ’ଣ ଜାଣିବାକୁ ଚାହଁ? ମୋ ଶନିଦଶା ପଡିଥିଲା । ଯାହା କଲି, ସବୁଥିରେ ଠକିଗଲି । ତେଣୁ ଭିଖ ମାଗିବା ଛଡା ମୋ ପାଖରେ ଆଉ କୌଣସି ବି ଉପାୟ ନଥିଲା । ତେବେ ଏବେ ଆଉ ମୋର କିଛି ବି ଚିନ୍ତା ନାହିଁ । ପର୍ବତରେ ଥିବା ଜଣେ ସନ୍ନ୍ୟାସୀ ମୋତେ କହିଛନ୍ତି, ମୋ ଶନିଦଶା ଆସ୍ତେ ଆସ୍ତେ କଟି କଟି ଯାଉଛି । ସିଏ ତମମାନଙ୍କୁ ନିର୍ଦ୍ଧେଶ କରି ମୋତେ ଏଆଡେ ଆସିବାକୁ କହିଲେ । ତା ସଙ୍ଗେ ସଙ୍ଗେ ସେ ଏକଥା ବି କହିଲେ ଯେ ଯିଏ ମୋତେ ଅନୁସରଣ କରିବ, ସକାଳ ବେଳକୁ ତା’ ଉପରୁ ବି ଦୁଷ୍ଟ ଗ୍ରହର ପ୍ରଭାବ ସବୁ କଟିଯିବ । ଅର୍ଥାତ୍ ତା’ର ସବୁକିଛି ଶୁଭ ହିଁ ଶୁଭ ହେବ । ତାଙ୍କ ନିର୍ଦ୍ଧେଶ ମାନି ମୁଁ ତମମାନଙ୍କ ସାମ୍ନାରେ ଆସି ହାଜର ହେଲି । ନହେଲେ ମୁଁ ବା ଏଠାକୁ କାହିଁକି ଆସନ୍ତି?”
ସୁବାହୁଙ୍କ କୈଫିୟତ୍ ଶୁଣି ସମସ୍ତେ କାବା ହୋଇଗଲେ । ଏହାପରେ ସେମାନେ ପରସ୍ପର ପରସ୍ପରକୁ ଅନାଇଲେ । ଜଣେ କହିଲା, “ପର୍ବତରେ ଜଣେ କେହି ମହାପୁରୁଷ ଅଛନ୍ତି ବୋଲି ଆମେ ବି ଅନେକ ଦିନରୁ ଶୁଣି ଆସିଛୁଁ । କିନ୍ତୁ ଆମେ କେବେ ମଧ୍ୟ ତାଙ୍କୁ ଦେଖି ପାରିନାହୁଁ । ତମେ ଭାଗ୍ୟବାନ ବୋଲି ତାଙ୍କୁ ଦେଖିଛ, ତଥା ତାଙ୍କ ନିର୍ଦ୍ଧେଶ ପାଇଛ । ଆମେ ତୁମର ଅନୁସରଣ କରିଛୁଁ । ସକାଳ ବେଳକୁ ଆମେ ବୀରପୁର ଦୁର୍ଗ ଅଧିକାର କରିବା କଥା । ତମ ସାଥିରେ ଗଲେ ଶୁଭ ହେବ, ଅର୍ଥାତ୍ ବିଜୟ ଲାଭ ସହଜ ହେବ ।”
ସୁବାହୁ ସହଜରେ ବୁଝିନେଲା ଯେ ଏ ଲୋକେ ସରଳ ଓ ତା’ ଉଦ୍ଧେଶ୍ୟ ହୁଏତ ସାଧିତ ହୋଇ ପାରିବ ।
ସଙ୍ଗେ ସଙ୍ଗେ କେତେଜଣ ଦୌଡିଯାଇ ଗାଁ ଭିତରୁ ସୁବାହୁ ନିମନ୍ତେ କିଛି ଖାଦ୍ୟ ଓ ଗରମ ଦୁଧ ନେଇ ଆସିଲେ । ଆଉ ଜଣେ ପରିଚ୍ଛନ୍ନ ଲୁଗାପଟା ଆଣି କହିଲା, “ବନ୍ଧୁ! ତମେ ତମର ଏ ମଇଳା ଚିରାଲୁଗା ବଦଳରେ ଏସବୁ ପିନ୍ଧି ପକାଅ ।”
କିନ୍ତୁ ସୁବାହୁ ଭାବିଲେ ସେ ଭଲଲୁଗା ପିନ୍ଧିଲେ ତାଙ୍କୁ କେହି ବି ଚିହ୍ନି ପକାଇବା ଆଦୌ ଅସମ୍ଭବ ନୁହେଁ । ସେ ବରଂ ଭିଖାରୀ ଭଳି ଦେଖାଯିବା ହିଁ ଭଲ ।
ସେ କହିଲେ, “ଭାଇ, ପ୍ରଭାତରେ ମୋ ରିଷ୍ଟ କଟିବ । ତା’ପରେ ମୁଁ ମୋ ପୋଷାକ ବଦଳାଇବି । ତା’ ପୂର୍ବରୁ ବଦଳାଇଲେ ସନ୍ନ୍ୟାସୀଙ୍କ ନିର୍ଦ୍ଧେଶ ଅମାନ୍ୟ କରିବା ସହିତ ସମାନ ହେବ ।”
ଏଭଳି କଥା ଶୁଣି ଗ୍ରାମବାସୀମାନେ କୌତୁହଳୀ ହୋଇ କହିଲେ “ଓଃ, ଏମିତି କଥା! ତେବେ ଆମେ ତମକୁ ବାଧ୍ୟ କରିବୁ ନାହିଁ । ତମର ଜୟ ହେଉ । ଆଚ୍ଛା ଭାଇ, ତମ ନାମ କ’ଣ କହି ନାହଁ ତ!”